ISROଙ୍କ ଏଣ୍ଟ୍ରିକ୍ସ କର୍ପୋରେସନକୁ ଝଟକା, ଷ୍ଟାର୍ଟଅପ Devasକୁ ୧.୨ ବିଲିୟନ ଡଲାର କ୍ଷତିପୁରଣ ଦେବାକୁ US କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | October 30, 2020 IST

ସିଏଟଲ : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ବାଣିଜ୍ୟିକ ଶାଖା ଏଣ୍ଟ୍ରିକ୍ସଙ୍କ ୨୦୦୫ ଉପଗ୍ରହ ବାତିଲ ନିଷ୍ପତ୍ତି ମାମଲାରେ ଆମେରିକା ଜିଲ୍ଲା କୋର୍ଟ ରାୟ ଘୋଷଣା କରିଛନ୍ତି। ଏଥିରେ  ଆବେଦନକାରୀ ବେଙ୍ଗାଲୁରର ଷ୍ଟାର୍ଟଅପ ଦେବାସ ମଲ୍ଟିମିଡିଆକୁ କ୍ଷତିପୂରଣ ବାବଦେ ୧.୨ ବିଲିୟନ ଡଲାର ଦେବାକୁ କୋର୍ଟ ଏଣ୍ଟ୍ରିକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୫ ମସିହାରେ ଦେବାସ୍  ମଲ୍ଟିମିଡିଆ ଦୁଇଟି ଉପଗ୍ରହ ନିର୍ମାଣ ସମେତ  ଏଗୁଡିକୁ ଅନ୍ତରୀକ୍ଷକୁ ପ୍ରକ୍ଷେପଣ ଓ ଏହାର ସଞ୍ଚାଳନ ନିମନ୍ତେ ଏଣ୍ଟ୍ରିକ୍ସ ସହ ରାଜିନାମା କରିଥିଲେ। ଏଥିରେ ଦେବାସକୁ ୭୦ ମେଗାହର୍ଜ ସ୍ପେକ୍ଟ୍ରମ ଉପଲବ୍ଧ କରାଇବାକୁ ମଧ୍ୟ ଅନ୍ତରିକ୍ସ ସହମତି ଦେଇଥିଲେ। ଏଥିପାଇଁ ହୋଇଥିବା ରାଜିନାମାରେ ଦେବାସ ଭାରତରେ ହାଇବ୍ରିଡ ଉପଗ୍ରହ ଓ ଭୂ ସଞ୍ଚାର ସେବା ଲାଗି ଏହାର ଉପଯୋଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ୨୦୧୧ ମସିହାରେ ଏଣ୍ଟ୍ରିକ୍ସ ବିନା କୌଣସି ପୂର୍ବ ସୂଚନାରେ ରାଜିନାମା ବାତିଲ କରିଦେଇଥିଲେ।

ଏଣ୍ଟ୍ରିକ୍ସଙ୍କ ଏପରି ପଦକ୍ଷେପରେ ଦେବାସ ମଲ୍ଟିମିଡିଆ ଭାରତରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ସହ ଆଇନଗତ ଉପାୟରେ ସମାଧାନ ଲାଗି ଉଦ୍ୟମ କରାଯାଇଥିଲା। ତେବେ ଏହା ସଫଳ ନ ହେବାରୁ ଦେବାସ ସିଏଟଲ  ୱାସିଂଟନ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜଷ୍ଟିସ୍ ଥୋମାସ୍ ଏସ୍.ଜିଲ୍ଲିଙ୍କ ଅଦାଲତ ଏଣ୍ଟ୍ରିକ୍ସକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏଣ୍ଟ୍ରିକ୍ସଙ୍କ ପଦକ୍ଷେପ ଯୋଗୁ ଦେବାସ ମଲ୍ଟିମିଡିଆର ହୋଇଥିବା କ୍ଷତି ବାବଦକୁ କୋର୍ଟ ୫୬୨.୫ ମିଲିୟନ ଆମେରିକୀୟ ଡଲାର ଭରଣା କରିବା ସହ ଏ ବାବଦେ ୦.୨ବିଲିୟନ ଡଲାର ସୁଧ ଦେବାକୁ ମଧ୍ୟ କହିଛନ୍ତି। ଯାହା ମୋଟ ମିସାଇ ୧.୨ ବିଲିୟନ ଡଲାର ବୋଲି ଜଣାପଡିଛି।

୨୦୧୮ ମସିହାରେ ଏଣ୍ଟ୍ରିକ୍ସ ଏହି ମାମଲାକୁ ଆମେରିକୀୟ କୋର୍ଟଙ୍କ ଅଧିକାର କ୍ଷେତ୍ର ବାହାରେ ବୋଲି ଦର୍ଶାଇବା ସହ ମାମଲା ରଦ୍ଦ କରିବାକୁ ନିବେଦନ କରିଥିଲେ। ତେବେ ଏହା ଆମେରିକୀୟ ଅଧିକାର କ୍ଷେତ୍ର ଅନ୍ତର୍ଗତ ବୋଲି କୋର୍ଟ ଭାରତୀୟ ଅନୁଷ୍ଠନକୁ ଜଣାଇ ଦେଇଥିଲେ। ତେବେ ମାମଲାର ଶୁଣାଣି ଉପରେ ୧ ବର୍ଷ ଲାଗି ରହିତାଦେଶ ଜାରି କରିବା ସହ ୧୫ ଏପ୍ରିଲ ୨୦୨୦ରେ ଉଭୟ ପକ୍ଷଙ୍କୁ ମିଳିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଉଭୟ ପକ୍ଷ ଗତ ଜୁଲାଇ ୧୬ ତାରିଖରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ସହ ମୋକଦ୍ଦମା ଉପରୁ ରହିତାଦେଶ ପ୍ରତ୍ୟାହର ସହ ମାମଲାର ପରବର୍ତ୍ତି ଶୁଣାଣି ଲାଗି ନିବେଦନ କରିଥିଲେ। ଏଥିରେ ଦେବାସ କୋର୍ଟଙ୍କୁ ଦେଇଥିବା ସବମିସନ୍‌ ଅନୁସାରେ ମାମଲା ଆମେରିକୀୟ କୋର୍ଟଙ୍କ ଅଧିକାରଭୁକ୍ତ କ୍ଷେତ୍ର ଅନ୍ତର୍ଗତ । କାରଣ ଏଣ୍ଟ୍ରିକ୍ସ ଏହି ଜିଲ୍ଲା ସମେତ ସମଗ୍ର ଆମେରିକାରେ ବ୍ୟବସାୟ କରୁଛନ୍ତି। ଏଣ୍ଟ୍ରିକ୍ସ ଓ ସ୍ପେସ୍ ଫ୍ଲାଇଟ୍ ଇଣ୍ଡଷ୍ଟ୍ରିଜଙ୍କ ମୁଖ୍ୟାଳୟ ସିଏଟଲରେ ରହିଛି। ଭାରତର ପିଏସଏଲଭି ରକେଟ୍ ଦ୍ୱାରା ଉପଗ୍ରହ ଲଞ୍ଚ ସର୍ଭିସ ଯୋଗାଇ ଦେବାକୁ  ସଂସ୍ଥା ରାଜିନାମା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.