ବିନା ଭକ୍ତରେ ଜଗା ନୀତି : ଆଜି ବିଳମ୍ବିତ ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ଦେବସ୍ନାନ ନୀତି

Published By : Prameya-News7 Bureau | June 04, 2020 IST

ପୁରୀ ୪।୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତିମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ବାହୁଟ କଣ୍ଟ ନୀତି ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଜି ବିଳମ୍ବିତ ରାତି ଅର୍ଥାତ୍ ୫ ତାରିଖ ରାତି ଗୋଟାଏ ସମୟରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦେବସ୍ନାନ ନୀତି । ରତ୍ନସିଂହାସନ ଛାଡି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତିମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ବାହୁଟ କଣ୍ଟ ନୀତି ସହ ସେନାପଟା ଲାଗି କରିବେ ।

ସେହିଭଳି କୋଠସୁଆଁସିଆମାନେ ଶ୍ରୀଜିଉମାନଙ୍କ ପହଣ୍ଡି ପାଇଁ ଚାରମାଳ ବାନ୍ଧିବେ । ରାତି ଗୋଟାଏରୁ ଆରମ୍ଭ ହେବ ପହଣ୍ଡି ନୀତି । ପ୍ରଥମେ ମଙ୍ଗଳାର୍ପଣ ପରେ ଆରମ୍ଭ ହେବ ପହଣ୍ଡି । ଏହା ରାତି ଗୋଟାଏରୁ ସକାଳ ୪ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ମଇଲମ, ତଡପଲାଗି, ଅଧର ପୋଛା, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା ଦ୍ବାରପାଳ ପୂଜା ହେବ । ଏସବୁ ସରିବା ପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ, ପୂଜା ଏବଂ ସ୍ନାନ ନୀତି ସମ୍ପନ୍ନ ହେବା ପାଇଁ ସ୍ଥିର ହୋଇଛି । ସକାଳ ୧୦ଟାରେ ନୂଆଲୁଗା ଲାଗି ବେଶ, ୧ଟା ୩୦ରେ ଛେରା ପହଁରା, ୧୧ଟାରୁ ୧୨ଟା ମଧ୍ୟରେ ହାତୀ ବେଶ କରାଯିବ । ତେବେ ଏଥର ସାହାଣ ମେଲା ନୀତି ବନ୍ଦ ରହିବ । 

ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଭକ୍ତଙ୍କ ବିନା ଭଗବାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । କରୋନା କଟକଣା ପାଇଁ କାଳିଆ ସାଆନ୍ତଙ୍କ ଦେବ ଦୁର୍ଲଭ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆଜି ରାତି ୧୦ଟାରୁ ଶ୍ରୀମନ୍ଦିର ଚାରିପାଖରେ ଲାଗିବ ୧୪୪ ଧାରା । ସୀମିତ ସଂଖ୍ୟକ ସେବାୟତ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହିଁ ହେବ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି । ସଂଧ୍ୟା ୫ଟାରୁ ୮ଟା ମଧ୍ୟରେ ବାହୁଡା ପହଣ୍ଡି ହେବ । ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରୁ ଅଣସର ଘରକୁ ବିଜେ କରିବେ । ସେଠାରେ ରାତି ୯ଟାରୁ ୧୨ଟା ପର୍ଯ୍ୟନ୍ତ ତାଟି ବନ୍ଧା ଏବଂ ଅନ୍ୟ ନୀତି ହେବା ପରେ ରାତି ୪ ଟାରେ ଆରମ୍ଭ ହେବ ଅନବସର ନୀତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.