ସାଧାରଣ ନିର୍ବାଚନ ବେଳେ କେଉଁ ଦଳ କେଉଁ ପ୍ରର୍ଥୀଙ୍କୁ କେତେ ଟଙ୍କା ଦେଇଥିଲା ଜାଣନ୍ତୁ…
13/08/2019 at 8:06 PM

ଭୁବନେଶ୍ବର୧୩|୮: ଗତ ସାଧାରଣ ନିର୍ବାଚନରେ ହାଇ ଭୋଲଟେଜ ରୋଡ ସୋ ଓ ଗଣମାଧ୍ୟମ ବିଜ୍ଞାପନ ମାନ ଦେଖିବାକୁ ମିଳିଥିଲା। ନିର୍ବାଚନ ଯେତେ ଗରମ ହେଉଥିଲା ସେତିକି ସୋ ବଢୁଥିଲା। ତେବେ ପ୍ରାର୍ଥୀମାନେ କେତେ ଖର୍ଚ୍ଚ କଲେ, ଦଳ କେତେ ଦେଲା ଏହାର ହିସାବ କିତାବ ଏବେ ଚାଲିଛି। କେବଳ ବିଜେଡି ତାର ଖର୍ଚ୍ଚ ଘୋଷଣା କରିଥିବା ବେଳେ ବିଜେପି, କଂଗ୍ରେସ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିଛନ୍ତି। …….

ଗତ ସାଧାରଣ ନିର୍ବାଚନରେ କେଉଁ ଦଳର ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟର ୩ ପ୍ରମୁଖ ଦଳଙ୍କ ଭିତରୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କୁ କେତେ ଟଙ୍କା ଖର୍ଚ୍ଚ ପାଇଁ ଦେଇଛନ୍ତି ସେନେଇ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଜଣାଇ ନାହାଁନ୍ତି ।

ବିଜେଡି ଯେଉଁ ତଥ୍ୟ ଦେଇଛି ସେଥିରୁ ଜଣାପଡିଛି ସବୁ ବିଧାୟକ ପ୍ରାର୍ଥୀଙ୍କୁ ଦଳ ୨୦ ଲକ୍ଷ ଏବଂ ସାଂସଦ ପ୍ରାର୍ଥିଙ୍କୁ ୫୦ ଲକ୍ଷ ନିର୍ବାଚନ ଖର୍ଚ୍ଚ ଦିଆଯାଇଛି । କ୍ୟାସରେ ନୁହଁ ବରଂ ଚେକ୍, ଡ୍ରାଫ୍ଟ କିମ୍ବା ଆରଟିଜିଏସ ମାଧ୍ୟମରେ ଦିଆଯାଇଛି ।

ତେବେ ଚର୍ଚ୍ଚା ହେଉଛି ଯେ ଏହା ହାତୀର ଦେଖାଇବା ଦାନ୍ତ । ମାନେ ଉଡ଼ିଛି କୋଟି କୋଟି ଦେଖାଯାଉଛି ଲକ୍ଷ ଲକ୍ଷ। ତାପରେବି କିଛି ନେତା କହୁଛନ୍ତି ପାର୍ଟି ଯାହା ଦେଇଥିଲା ସେଥିରୁ ବହୁ ଅର୍ଥ ସେମାନଙ୍କର ବଳିଗଲା। କିଛି କହୁଛନ୍ତି ଦଳ ଯାହା ଦେଇଥିଲା ସେଥିରେ ନିଜପାଣ୍ଠି ବି ମିଶିଛି ।

କଂଗ୍ରେସ ଓ ବିଜେପି ଲିଖିତ ଭାବେ ନିର୍ବାଚନ କମିଶନଙ୍କୁ ପାର୍ଥୀଙ୍କ ଖର୍ଚ୍ଚ ବାବଦରେ ଅବଗତ କରାଇନାହାନ୍ତି। ପ୍ରାର୍ଥିମାନେ ଯେଉଁ ଆଫିଡେଭିଟ ଦେଇଛନ୍ତି ସେଥିରେ ଖର୍ଚ୍ଚ ଦର୍ଶାଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀମାନେ ଦଳଠାରୁ ୧୫ ଲକ୍ଷ ଏବଂ ସାଂସଦ ପ୍ରାର୍ଥୀମାନେ ୪୦ ଲକ୍ଷ ଖର୍ଚ ବାବଦକୁ ନେଇଛନ୍ତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ସେହିଭଳି କଂଗ୍ରେସର ସାଂସଦ ପ୍ରାର୍ଥିମାନେ ଦଳଠାରୁ ୬୦ଲକ୍ଷ ଏବଂ ବିଧାୟକ ପ୍ରାର୍ଥିମାନେ ୨୦ ଲକ୍ଷ ଲେଖାଏଁ ନେଇଥିବା ଦର୍ଶାଇଛନ୍ତି ।

୨୦୧୯ ନିର୍ବାଚନରେ ସାଂସଦ ପ୍ରାର୍ଥି ୫୦ରୁ ୭୦ ଲକ୍ଷ ଏବଂ ବିଧାୟକ ପ୍ରାର୍ଥି ୨୦ ରୁ ୨୮ ଲକ୍ଷ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ନର୍ଦ୍ଦେଶ ଥିଲା । ସେଣ୍ଟର ଫର ମିଡିଆ ଷ୍ଟଡିଜର ରିପୋର୍ଟ ଅନୁସାରେ ୧୯ ନିର୍ବାଚନରେ ୫୦ ହଜାର କୋଟିରୁ ଅଧିକ ଅର୍ଥ ହୋଇଛି । ସେହି ଅନୁଯାୟୀ ଓଡ଼ିଶାରେ କେତେ ଖର୍ଚ୍ଚ ହୋଇଥିବ ତାହା ଅନୁମାନ କରିହେଉଥିବ।
