ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପାଇଁ ବନ୍ଧା ହେଲେ ପି. ଚିଦାମ୍ବରମ୍, ଜାଣନ୍ତୁ କିଏ ଏହି ଇନ୍ଦ୍ରାଣୀ ମୁଖାର୍ଜୀ ଓ କ’ଣ ଏହି ଆଇଏନଏକ୍ସ (INX) ଦୁର୍ନୀତି

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ ୨୨|୮: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଛନ୍ତି ପୂର୍ବ କେନ୍ଦ୍ର ଗୃହ ମନ୍ତ୍ରୀ ପି. ଚିଦାମ୍ବରମ୍ । ହାଇଭୋଲଟେଜ୍ ଡ୍ରାମା ପରେ ତାଙ୍କୁ ଦିଲ୍ଲୀ ଜେରବାଗ୍ ବାସଭବନରୁ ଗିରଫ କରିଥିଲା ସିବିଆଇ । ରାତିସାରା ମାରାଥନ ଜେରା କରିବା ପରେ ଆଜି ଚିଦାମ୍ବରମ୍ ଙ୍କୁ କୋର୍ଟରେ ହାଜର କରିବ ସିବିଆଇ । ଚିଦାମ୍ବରମ୍ ଙ୍କୁ ଆଗୁଆ ଜାମିନ୍ ଦେବା ପାଇଁ କୋର୍ଟ ମନାକରିଦେଇଛି । ଚିଦାମ୍ବରମଙ୍କ ଗିରଫକୁ କଂଗ୍ରେସ ଦିନ ଦି ପହରେ ଗଣତନ୍ତ୍ରର ହତ୍ୟା ବୋଲି କହିଛି ।

{"id":147315}

ତେବେ ଆଇଏନଏକ୍ସ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଗିରଫ ପଛରେ ରହିଛି ଏହି ଦୁର୍ନୀତିର ହିତାଧିକାରୀ ବା ଏହି ଦୁର୍ନୀତିରୁ ଲାଭ ପାଇଥିବା ଆଇଏନଏକ୍ସ ସଂସ୍ଥାର ମାଲିକାଣୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସାକ୍ଷ୍ୟ । ଏହି ଦୁର୍ନୀତିରୁ ସେ ଲାଭବାନ ହୋଇଥିଲେ ମଧ୍ୟ ଘଟଣାଚକ୍ରରେ ସେ ହିଁ ସାଜିଥିଲେ ଚିଦାମ୍ବରମଙ୍କ ମୁଖ୍ୟ ଶତ୍ରୁ । ସେ ରାଜସାକ୍ଷୀ ବା ସରକାରୀ ସାକ୍ଷୀ ହେବାଫଳରେ ଚିଦାମ୍ବରମଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଧିକ ଶକ୍ତିଶାଳୀ ହୋଇଥିଲା ଯ ଯାହା ଫଳରେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ମଧ୍ୟ ସିବିଆଇ ଗିରଫ କରିବାରେ ସକ୍ଷମ ହେଲା । ହେଲେ କିଏ ଏହି ଇନ୍ଦାଣି ମୁଖାର୍ଜୀ ଓ କଣ ଏହି ଆଇଏନଏକ୍ସ ଦୁର୍ନୀତି ଆସନ୍ତୁ ଜାଣିବା ।

{"id":147317}

ଗଣମାଧ୍ୟମ ସୂଚନା ଅନୁସାରେ ଆଇଏନଏକ୍ସ ମିଡିଆ ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନ ଆଧାରରେ ଗିରଫ ହୋଇଛନ୍ତି ଚିଦାମ୍ବରମ୍ । ଆଇଏନଏକ୍ସ ମିଡିଆ କମ୍ପାନୀ ପ୍ରତିଷ୍ଠିତ ବ୍ୟବସାୟୀ ପିଟର ମୁଖାର୍ଜୀ ଏବଂ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ମାଲିକାନରେ ରହିଛି । ଇନ୍ଦ୍ରାଣୀ ଆଇଏନଏକ୍ସ ମିଡିଆର ସିଇଓ ମଧ୍ୟ ଥିଲେ । ଆଇଏନଏକ୍ସ ମିଡିଆରେ ବିଦେଶୀ ପାଣ୍ଠି ବିନିଯୋଗ ପାଇଁ ଏଫଆଇପିବି ମଞ୍ଜୁରୀ ଲାଗି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି .ଚିଦାମ୍ବରମ୍ ଏବଂ ପୁଅ କାର୍ତ୍ତି ଚିଦାମ୍ବରମ୍ ଙ୍କ ସହଯୋଗ ଲୋଡିଥିଲେ । ଫଳରେ ଇନ୍ଦ୍ରାଣୀଙ୍କ ବୟାନ ଆଧାରରେ ପି. ଚିଦାମ୍ବରମ୍ ଏବଂ କାର୍ତ୍ତିଙ୍କ ବିରୋଧରେ ମାମଲା ଦୃଢ ହୋଇଛି ।

{"id":147318}

ମାର୍ଚ୍ଚ ୨୦୧୮ରେ ଇନ୍ଦ୍ରାଣୀ ମୁଖାର୍ଜୀ ସିଆରପିସିର ଧାରା ୧୬୪ ଅନୁସାରେ ସିବିଆଇରେ ନିଜର ବୟାନ ରଖିଥିଲେ । ସେ କହିଥିଲେ ଯେ, ଆଇଏନଏକ୍ସ ମିଡିଆ ସପକ୍ଷରେ ଏଫଆଇପିବି ମଞ୍ଜୁରି ପାଇଁ କୀର୍ତ୍ତି ଚିଦାମ୍ବରମ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ୧ ନିୟୁତ ଡଲାରର କ ବୁଝାମଣା ହୋଇଥିଲା । ଯାହାଫଳରେ ୩୧୦୦କୋଟି ଟଙ୍କାର ଆଇଏନଏକ୍ସ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇକୁ ପି ଚିଦାମ୍ବରମଙ୍କ ବିରୋଧରେ ଏକ ବଡ ଅସ୍ତ୍ର ମିଳିଥିଲା ।

{"id":147327}

୨୦୧୭ ମସିହାରେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ଦିଆଯାଇଥିବା ଏଫଆଇପିଜି ମଞ୍ଜୁରିରେ ଘୋର ଅନିୟମିତତା ହୋଇଥିବା ଧରାପଡିଥିଲା । ସେହି ସମୟରେ ପି. ଚିଦାମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ । ୨୦୧୭ରେ ପ୍ରଥମେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍, ଆଇଏନଏକ୍ସ ମିଡିଆ ଏବଂ ଏହାର ନିର୍ଦ୍ଦେଶକ ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ ପିଏମଏଲ ଆଇନ ଅଧିନରେ ଇସିଆଇଆର (ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ୍ ରିପୋର୍ଟ) ରୁଜୁ କରିଥିଲା । ୨୦୧୭ ମେ ୧୫ ତାରିଖରେ ସିବିଆଇ ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା । ପରେ ୨୦୧୮ରେ ଇଡି ଏହି ମାମଲାରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା ।

{"id":147319}

ସୂଚନାଯୋଗ୍ୟ ଯେ, ଇନ୍ଦ୍ରାଣୀ ମୁଖାର୍ଜୀ ଆସାମର ଗୌହାଟୀରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୯୩ରେ ସଞ୍ଜୀବ ଖାନ୍ନାଙ୍କୁ ବିବାହ କରିଥିଲେ । ଇନ୍ଦ୍ରାଣୀ ମୁଖାର୍ଜୀ ପ୍ରଥମେ କଲିକତାରେ ଆଇଏନଏକ୍ସ ସର୍ଭିସେସ୍ ନାମକ ଏକଜିକ୍ୟୁଟିଭ ସର୍ଚ୍ଚ କମ୍ପାନୀ ପରିଚାଳନା କରୁଥିଲେ । ଏହି କମ୍ପାନୀରେ ସେତେବେଳେ ମାତ୍ର ୧୦ଜଣ ଲୋକ କାମ କରୁଥିଲେ । ୨୦୦୨ ମସିହାରେ ନିଜ ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ଦେଇ ଇନ୍ଦ୍ରାଣୀ ପିଟର ମୁଖାର୍ଜୀଙ୍କୁ ବିବାହ କରିଥିଲେ । ପିଟର ମୁଖାର୍ଜୀ ଷ୍ଟାର ଇଣ୍ଡିଆର ସିଇଓ ଥିଲେ । ଆସାମରୁ ମୁମ୍ବାଇ ଆସି ଏକ ମିଡିଆ କମ୍ପାନୀ ଚଳାଉଥିଲେ । ପିଟରଙ୍କୁ ବିବାହ କରିବାପରେ ସହରର ଚର୍ଚ୍ଚିତ ବ୍ୟକ୍ତିମାନଙ୍କ ମଧ୍ୟରେ ଇନ୍ଦ୍ରାଣୀ ରହିଥିଲେ । ୨୦୦୮ ମସିହାରେ ଷ୍ଟ୍ରିଟ୍ ଜର୍ଣ୍ଣାଲ ତାଙ୍କୁ ବିଶ୍ବର ୫୦ ପ୍ରଭାବଶାଳୀ ମହିଳାମାନଙ୍କ ମଧ୍ୟରେ ସାମିଲ କରିଥିଲା ।

{"id":147321}

ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ବାମୀ ପିଟର ମୁଖାର୍ଜୀ ଉଭୟ ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଏବେ ମୁମ୍ବାଇ ଜେଲରେ ଅଛନ୍ତି । ସିନା ବୋରା ହେଉଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ପ୍ରଥମ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ଝିଅ । ୨୦୧୨ ମସିହାରେ ସିନା ବୋରା ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଉଭୟଙ୍କୁ ୨୦୧୫ ମସିହାରେ ଗିରଫ କରିଥିଲା । ୨୦୧୮ ମସିହାରେ ପିଟର ଏବଂ ଇନ୍ଦ୍ରାଣୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।

ଗତ ମାସରେ ଦିଲ୍ଲୀ କୋର୍ଟ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଇଏନଏକ୍ସ ମାମଲାରେ ସାକ୍ଷୀ ହେବା ପାଇଁ ଅନୁମତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.