Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଯାତ୍ରା ଅଭିନେତ୍ରୀ ଡ଼ଲି ଭୂୟାଁ : ବଖାଣିଲେ ବାସର ରାତିରୁ ବାସ୍ତବ ଜୀବନର ବିଭିନ୍ନ କଥା

9/03/2019 at 3:34 PM

“ ଆଜି ବାସର ରାତି ..ବୋଧେ ଜୀବନର ଶ୍ରେଷ୍ଠରାତି..ଦେଖିଯାଅ ବାପା..ତମ ଝିଅ ଏଠି କେତେ ଖୁସିରେ ଅଛି । କାହିଁକି ଏମିତି କଲେ ବାପା..କଥା ରହିଥିଲା ଯେଉଁ ମଗୁଶୁରକୁ ସେହିକଥା ସେହି ମଗୁଶୁରକୁ ଭାଙ୍ଗିଦେଇ କଣ ପାଇଲ…କଣ ପାଇଲେ ଆପଣ..କଣ ପାଇଲି ମୁଁ..?

ମୋ ଭଲପାଇବାକୁ ଚିରାକାଗଜ ପରି ଚିରି ଟୁକୁଡ଼ା ଟୁକୁଡ଼ା କରି ତମ ଖିଆଲର ଡ଼ଷ୍ଟବିନ ଭିତରକୁ ଫିଙ୍ଗିଦେଲ…ହେଲେ କଣ ପାଇଲ…’’

ରାତି ସରି ନଥିଲା କି ମରି ନଥିଲା ଉତ୍ତେଜନା । କାହିଁକି ଏ ଚନ୍ଦନା ତା ଜୀବନର ଶ୍ରେଷ୍ଠରାତିକୁ ଏମିତି ଝୁରିଝୁରି ମରୁଛି । କାହିଁକି ତା ବାପା ନିଜ ଆତ୍ମଭିମାନରେ ନିଜ ଭଲପାଇବାକୁ ତାଠାରୁ ଛଡ଼େଇନେଲେ । ଚନ୍ଦନା ଓରଫ ଡ଼ଲି ଭୂୟାଁଙ୍କ  ନିଜ ବାସ୍ତବ ଜୀବନ ନୁହେଁ, ବରଂ ଯାତ୍ରାଜୀବନର କାହାଣୀ ଏଇଠୁ ଆରମ୍ଭ ହୋଇଥିଲା । ଏ ଥିଲା  ଯାତ୍ରାର ସଂଳାପ କିନ୍ତୁ ପରବର୍ତ୍ତୀ ସମୟ ଯାତ୍ରା ସହିତ ଜୀବନ ବି ମିଶିଯାଇଥିଲା ।

ପେଟପାଇଁ ଜୀବନ ଜୀଇଁବାକୁ ଆସିଥିବା ଡ଼ଲିଙ୍କ ଜୀବନ  ଏବେ ହୋଇଯାଇଛି ଯାତ୍ରାମୟ । ଜୀବନ ପାଇଁ କଳାକୁ ଆସିଥିଲେ ଶେଷରେ କଳାରେ ଉବୁଟୁବୁ  ହୋଇଗଲା ସମଗ୍ର ଜୀବନ ।

ପେଟପାଇଁ ଜୀବନ ଜୀଇଁବାକୁ  ଯାତ୍ରାକୁ କରିଥିଲି ଆଶ୍ରା , ହେଲେ ଯାତ୍ରା ମୋ ଜୀବନ ପାଲଟିଗଲା ; ଡ଼ଲି ଭୂୟାଁ

ଯେତେବେଳେ ଝିଅଟିଏ ଘରୁ ଗୋଡ଼ କାଢ଼ିଲେ , ନିନ୍ଦା ଅପବାଦ ସହିତ ନାନାକଥା ଶୁଣିବାକୁ ପଡ଼ୁଥିଲା-କେହି କେହି ଆଙ୍ଗୁଳି ଉଠାଇ ଚରିତ୍ରକୁ ଆକ୍ଷେପ କରି ଚରିତ୍ରାହିନାବୋଲି  କହୁଥିଲେ…ସେତେବେଳେ ମୁଁ ଏହି ପେଟ ଚାଖଣ୍ଡାକ ପାଇଁ ଘରୁ ଗୋଡ଼ କାଢ଼ି ଯାତ୍ରା ଦୁନିଆରେ  ପାଦ ଦେଇଥିଲି  ।  ଏହି ନିନ୍ଦା ଅପବାଦ ଭୟରେ କେହି କେହି ନିଜକୁ କୁଳୀନ ଘରର ଝିଅ କହି ବାହାରକୁ ପାଦ କାଢ଼ୁ ନ ଥିଲେ..କାଳେ ମାନ ଇଜ୍ଜତ ମାଟିରେ ମିଶିଯିବ…ଲୋକ ଖରାପ କହିବେ …ମାଆ-ବାପାଙ୍କ ମୁହଁରେ ଚୂନକାଳି ଲାଗିଲା ପରି ଲାଗିବ..ବାରଲୋକ ବାରକଥା କହିବେ …ସାତ ଖଣ୍ଡ ଗାଁ ପଡ଼ିବ ଉଠିବ…କେହିକେହି କହିବେ ଅଲାଜୁକିକୁ ଲାଜ ଅଛି ନା ସରମ ଅଛି….ସେଇ ସମୟରେ ସମାଜର ସବୁ ରକ୍ଷଣଶୀଳତାକୁ ପଛରେ ପକାଇ ଯାତ୍ରା ପାର୍ଟିକୁ ପଳେଇ ଆସିଥିଲି । ଖାସ୍ ..ଏଇ ପେଟ ଚାଖଣ୍ଡକୁ ଦାନା ଗଣ୍ଡେ ପାଇଁ ।

ବାପା ଗାଁରେ ଚାଷବାଷ କରି ଚାରି ପ୍ରାଣୀ କୁଟୁମ୍ବ ପୋଷୁଥିଲେ । ଦିଓଳି ଦି ମୁଠା ମୁହଁରେ ଦାନାଦେବା ବି ସମ୍ଭବ ନଥିଲା ।   ସେତେବେଳେ ବିଲବାଡ଼ିରେ ଯାହା ଯେତିକି ଫଳୁଥିଲା ଅଣ୍ଟୁ ନଥିଲା ବର୍ଷକ ଯାକ । ତା ପରେ ପୁଣି ବାତ୍ୟା-ବନ୍ୟା-ମରୁଡ଼ି ଭଗାରୀ ସାଜି ଆସୁଥିଲେ ବର୍ଷକୁବର୍ଷ । ବାପାଙ୍କୁ ଘର ଚଳେଇବାର ସାହାର୍ଯ୍ୟ କରିବାକୁ ଘର ଛାଡ଼ିଥିଲି ।

ଘର ଛାଡ଼ିଲା ପରେ ବି ନାନାଲୋକ ନାନାକଥା କହିଥିଲେ । ନିନ୍ଦା ଅପବାଦ ଆଣିଥିଲେ…ହେଲେ କାହାକଥାରେ ମୋତେ ମିଳିବ ବା କଣ ? ମୋର ଆର୍ଥିକ ପରିସ୍ଥିତି ଯାହାଥିଲା …ମୁଁ କାହାକଥାରେ କିଛି ବିଚଳିତ ହୋଇ ନଥିଲି । ସେଦିନର ଘର ଛାଡ଼ିବା ଆଜି ମୋପାଇଁ ଆଶୀର୍ବାଦ ପାଲଟିଯାଇଛି ।

 ଜୀବନ ବଂଚେଇବାକୁ ସିନା ଦିନେ କଳାର ସାହାରା ନେଇଥିଲି.. ଆଜି ଜୀବନ ପାଲଟିଯାଇଛି କଳା । ଏଇ କଳା ମୋ ପରିବାର ପୋଷିଛି..ମୋ ପିଲାଛୁଆଙ୍କୁ ପୋଷିଛି..ମୋତେ ଆଣିଦେଇଛି ଯାତ୍ରାଜଗତରେ ସ୍ଵତନ୍ତ୍ର ପରିଚୟ ।

ବାରିକପୁରରୁ ବାଣେଶ୍ଵରୀ ଗଣନାଟ୍ୟ …ଲମ୍ବାଯାତ୍ରା । କଥା ରହିବ ମଗୁଶୁରକୁ ନାଟକର ଚନ୍ଦନା ଚରିତ୍ର ଆଜି ଡ଼ଲିଙ୍କୁ କରିଛି ଦର୍ଶକଙ୍କ ମଧ୍ୟରେ ସୁପରିଚିତ । ଯାତ୍ରାର ସୁପରଷ୍ଟାର ଦୈତାରୀ ପଣ୍ଡାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରି ସାଉଣ୍ଟିଥିଲେ ଅନେକ ପ୍ରଂଶସା । ରାତିରାତି ମଂଚସ୍ଥ ହେଲେ ବି ଦର୍ଶକଙ୍କ କରତାଳିରେ ଫାଟିପଡ଼ୁଥିଲା ଗ୍ୟାଲେରୀ । ସେହି ନାଟକରୁ ଡ଼ଲି ପାଲଟିଯାଇଥିଲେ ଜଣେ ଆଗଧାଡ଼ିର ଯାତ୍ରା ନାୟିକାର ମାନ୍ୟତା । ବାସ୍ .. ସେଇଦିନଠୁ ପଛକୁ ଫେରିନାହାଁନ୍ତି ଡ଼ଲି । ଅନେକଦିନ ଆଗଧାଡ଼ିର ନାୟିକା ଦୌଡ଼ରେ ଦୌଡ଼ିଦୌଡ଼ି ଥକିପଡ଼ିନାହାଁନ୍ତି ଡ଼ଲି…ଦର୍ଶକ ଆଜି ଯାତ୍ରା ପେଣ୍ଡାଲରେ ଖୋଜିବସନ୍ତି ଡ଼ଲିଙ୍କୁ ।  ଆଜି ବି ଡ଼ିମାଣ୍ଡ ହରାଇ ନଥିବା ଡ଼ଲି ସମସ୍ତଙ୍କର ପ୍ରିୟର ଚନ୍ଦନା…ଡ଼ଲି …ଡ଼ଲି ଭୂୟାଁ ।  

ଡ଼ଲି ଭୂୟାଁ ଭଦ୍ରକ ,ବାରିକପୁର , କେନ୍ଦୁଆପଦାରୁ ଆସି ଯାତ୍ରା ଜଗତରେ ନାୟିକା ଭାବେ ଘରେଘରେ ପରିଚିତ । ବାଣେଶ୍ଵରୀ ଗଣନାଟ୍ୟରେ ଦୈତାରୀ ପଣ୍ଡାଙ୍କ ବିପକ୍ଷ ନାୟିକା ଭୂମିକାରୁ ଆଜି ଯାତ୍ରା ଇନ୍ଦ୍ରମହଲ ପର୍ଯ୍ୟନ୍ତ ନିଜର ସ୍ଵତନ୍ତ୍ର ଛାପ ରଖିଆସିଥିବା ଡ଼ଲି ଭୂୟାଁ ଜଣେ ନିଆରା ଅଭିନେତ୍ରୀ ।

ବାଣେଶ୍ଵରୀ ପରେ କୋଣାର୍କ, ତୁଳସୀ, ତାରିଣୀ, ବାଘାଜତୀନ, ସ୍ଵର୍ଣ୍ଣମହଲ, ଇନ୍ଦ୍ରମହଲ ଆଦି ଯାତ୍ରାପାର୍ଟିରେ  ନିଜର ଅଭିନୟର ପାରଙ୍ଗମତା ଦେଖାଇଛନ୍ତି ଡ଼ଲି।

ବାଣେଶ୍ଵରୀରେ ଅଭିନୀତ ନାଟକ ମଧ୍ୟରେ କଥାରହିଲା ମଗୁଶୁରକୁ, ଚନ୍ଦନଟିପାକୁ ନାଲି ଅଳତା ,ଟୁଉକୁ ମୁଷି, ବୋହୂଆସିଛି କଟକିଆଣି ,ବ୍ରଜସାରଙ୍କ ବଡ଼ପୁଅ, ବାରଶହ ବଢ଼େଇର ପ୍ରେତ, କାଉ ବସାରେ କୋଇଲିଛୁଆ,କଂସେଇଖାନା,ଆଖିଛୁଉଁଛି କାନ ଧରୁଛି ।

କୋଣାର୍କ ଗଣନାଟ୍ୟରେ କାରଗିଲ ଜଳୁଛି, କେନ୍ଦ୍ରାପଡ଼ାର ଝିଅ, ଦୂରଦର୍ଶନ ଭୂବନେଶ୍ଵର, ବନ୍ଦୀଆମେ ଗାନ୍ଧୀ ଛକରେ ଓ ତୁଳସୀରେ ମଶାଣୀଫୁଲ,ଶ୍ରୀମତି କମ୍ ନୁହଁନ୍ତି,ଦି-ଟୋପା ଲୁହ, ଲୁହକୁ ପଚାର ଆଖିର କଥା,ସବୁବାପାଙ୍କ ଦୋଷ,କନ୍ୟାଯାଉଛି କାଂଚନପୁର, ନା ମୁଁ ଦୃଷ୍ଟ ହେବିନିରେ  ନିଜର ଅଭିନୟର ପରାକାଷ୍ଠା ଦେଖାଇ ଦର୍ଶକଙ୍କ ମନ ଜିଣିପାରିଛନ୍ତି ।

ସେହିପରି ବାଘାଜତୀନ ଲୋକନାଟ୍ୟରେ  ଅଭିନୀତ ନାଟକ ମଧ୍ୟରେ କାଲିର ବନ୍ଧନ କଳାଚନ୍ଦନ,ରାଜଧାନୀର ରାତି,ଟିକିଲି ଖୋଜୁଛି ନାଲି ସିନ୍ଦୁର,ଜାନୁଆର, ଲୁହରେ ଲେଖୁଛି ନିଜ କାହାଣୀ,ବାଉଁଶରାଣୀ, କି ରଂଗେ ନାଚୁଛି ଗୋରୀ, ଏ ରଜନୀ କାହାର ସଜନୀ, ବାଘ ପଢ଼ୁଛି ଭାଗବତ, ସଂଜକୁ ଆସିବ ସଂଜୟ ଭୋଳ, ଆଲୋ ମୋର କଣ୍ଢେଇ ।

ସ୍ଵର୍ଣ୍ଣମହଲରେ ନିଜ ଶବପାଇଁ ନିଜେ କୋକେଇ,କଳିଯୁଗ ତୋତେ ନମସ୍କାର, କେମିତିକା ନାରୀ ତୁ, ପ୍ରେମରେ ଲାଗିଛି ନିଆଁ ଓ ଇନ୍ଦ୍ରମହଲରେ ଉର୍ବଶୀ ଆସୁଛି ଇନ୍ଦ୍ରମହଲ, ବଡ଼ଲୋକଙ୍କୁ ଉତ୍ତର ନାହିଁ, ଶ୍ରୀକୃଷ୍ଣ ମୋର ଶେଷସାକ୍ଷୀ ଆଦି ନାଟକରେ ଅଭିନୟ ଜାରି ରଖିଥିବା ଡ଼ଲି ଏବେବି ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ।

Script-shreegobinda

   Related Posts