Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଆସନ୍ତାକାଲି ଜନ୍ମାଷ୍ଟମୀ : ଶ୍ରୀକୃଷ୍ଣଙ୍କ କେତେ ଜଣ ପତ୍ନୀ ଥିଲେ ? ସେମାନଙ୍କ ନାଁ କ’ଣ ଥିଲା ଓ କେମିତି ବିବାହ ହୋଇଥିଲା ଜାଣନ୍ତୁ କିଛି ରୋଚକ କାହାଣୀ

22/08/2019 at 5:19 PM

ଆସନ୍ତାକାଲି ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରିରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । ଗୋଲକ ବିହାରୀ ବିଷ୍ଣୁଙ୍କ ଅବତାର ଭାବେ ଦ୍ବାପର ଯୁଗରେ ପାପୀ ସଂହାର ପାଇଁ ସେ ଆବିର୍ଭୁତ ହୋଇଥିବା ପୁରାଣ ଓ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଶ୍ରୀକୃଷ୍ଣଙ୍କ ସମଗ୍ର ଜୀବନ ମାନବ ଜାତି ପାଇଁ ଶିକ୍ଷା ଓ ପ୍ରେରଣାରେ ଭରପୁର ହୋଇ ରହିଛି । ତାଙ୍କ ଜୀବନର ବିଭିନ୍ନତା ଭିତରେ ଗୋଟିଏ ଦିଗ ସମସ୍ତଙ୍କୁ ଅଧିକ ଆକର୍ଷିତ କରିଥାଏ । ତାହା ହେଲା ପ୍ରେମ ଓ ପରିଣୟ ଦିଗ ।

ପୁରାଣ ଅନୁସାରେ ଶୋଡ ସହସ୍ର ଗୋପ ନାରୀଙ୍କ ପ୍ରେମିକ ହେଉଛନ୍ତି ଶ୍ରୀକୃଷ୍ଣ । ସେଥିପାଇଁ ତାଙ୍କୁ ରସଶେଖର ବୋଲି ମଧ୍ୟ କୁହାଯାଏ । ଶ୍ରୀରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପ୍ରେମିକା । କେହି କେହି ଶାସ୍ତ୍ରବିତ୍‌ କହିଛନ୍ତି ଯେ, ବାସ୍ତବରେ ଶ୍ରୀରାଧା ବୋଲି କେହି ଚରିତ୍ର ହରିବଂଶରେ ନାହିଁ । ଶ୍ରୀରାଧା ହେଉଛନ୍ତି ଏକ କାଳ୍ପନିକ ଚରିତ୍ର । ଶ୍ରୀରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଆହ୍ଲାଦିନି ଶକ୍ତି ମାତ୍ର । ତେବେ ସେ ଯାହା ହେଉ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ପ୍ରେମ କାହାଣୀ ସନାତନ ହିନ୍ଦୁ ଧର୍ମରେ ବେଶ୍ ପ୍ରସିଦ୍ଧ ଓ ଚର୍ଚ୍ଚିତ ।

ଶ୍ରୀକୃଷ୍ଣଙ୍କ ଜୀବନର ଆଦ୍ୟ ଭାଗଟି ଗୋପପୁରରେ ସୀମିତ । ଶ୍ରୀକୃଷ୍ଣ ଗୋପରେ ଅବସ୍ଥାନ କଲାବେଳେ ଶୋଡ ସହସ୍ର ଗୋପ ବାଳା ଓ ଶ୍ରୀରାଧାଙ୍କ ପ୍ରେମ ପ୍ରସଂଗ ମୁଖ୍ୟ ଥିଲା । ତେବେ ଏହି ପ୍ରେମିକାଙ୍କ ବ୍ୟତୀତ ଶ୍ରୀକୃଷ୍ଣ ୧୬୧୦୦ଜଣଙ୍କୁ ବିବାହ କରିଥିବା କଥା ବିଭିନ୍ନ ପୁରାଣରେ ବର୍ଣ୍ଣିତ ହୋଇଛି । ତେବେ ଏହି ୧୬୧୦୦ ଜଣ ରାଣୀଙ୍କ ମଧ୍ୟରେ ମୁଖ୍ୟତଃ ୮ଜଣ ରାଣୀଙ୍କୁ ଗୁରୁତ୍ବ ଦିଆଯାଉଥିଲା । ଏମାନଙ୍କୁ ଅଷ୍ଟ ପାଟ୍ଟମହିଷୀ ବୋଲି କୁହାଯାଉଥିଲା । କିଛି ପୁରାଣରେ ଅଷ୍ଟ ପାଟ୍ଟମହିଷୀ ନୁହଁ ନବ ପାଟ୍ଟମହିଷୀ ବୋଲି ମଧ୍ୟ କୁହାଯାଇଛି ।  ଏହି ଅଷ୍ଟ ପାଟ୍ଟମହିଷୀ ମାନେ ହେଲେ –

୧. ଋକ୍ମିଣୀ

୨. ସତ୍ୟଭାମା

୩. ଜାମ୍ବବତୀ

୪. କାଳିନ୍ଦୀ

୫. ମିତ୍ରବିନ୍ଦା

୬. ନଗ୍ନଜିତି

୭. ଭଦ୍ରା

୮. ଲକ୍ଷ୍ମଣା

ଏମାନଙ୍କ ବ୍ୟତୀତ ରୋହିଣୀଙ୍କୁ ପାଟ୍ଟ ମହିଷୀ ବୋଲି କେଉଁ କେଉଁ ପୁରାଣରେ କୁହାଯାଇଛି । ତେବେ ଏମାନଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କ କେମିତି ଦେଖା ହୋଇଥିଲା ଓ କେଉଁ ପରିସ୍ଥିତିରେ ବାହାଘର ହୋଇଥିଲା ଆସନ୍ତୁ ପକାଇବା ନଜର ।

ଋକ୍ମିଣୀ :  ଋକ୍ମିଣୀଙ୍କୁ ମା ଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଏ । ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କ ରୂପରେ ଅବତାର ନେବାପରେ ମା ଲକ୍ଷ୍ମୀ ଋକ୍ମିଣୀଙ୍କ ରୂପରେ ଅବତାର ନେଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । ଋକ୍ମିଣୀ ହେଉଛନ୍ତି ବଦର୍ଭର ରାଜା ବିଶ୍ବକର୍ମାଙ୍କ କନ୍ୟା । ଋକ୍ମିଣୀଙ୍କ ଭାଇ ହେଉଛନ୍ତି ଋକ୍ମ । ଶ୍ରୀକୃଷ୍ଣଙ୍କ ପରମ ଶତ୍ରୁ ଜରାସନ୍ଧଙ୍କ ବନ୍ଧୁ ଥିଲେ ଋକ୍ମ । ନିଜ ଭଉଣୀ ଋକ୍ମିଣୀଙ୍କ ବିବାହ ଶିଶୁପାଳଙ୍କ ସହ କରିବା ପାଇଁ  ଋକ୍ମ ମନେ ମନେ ସ୍ଥିର କରିଥିଲେ । ତେବେ ନିଜେ ଋକ୍ମିଣୀ ଚାହୁଁଥିଲେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ବରଣ କରିବା ପାଇଁ । ଋକ୍ମିଣୀଙ୍କ ପିତା ବିଶ୍ବକର୍ମା ମଧ୍ୟ ଠିକ୍‌ ଏହି କଥା ଚାହୁଁଥିଲେ । ତେବେ ଋକ୍ମିଣୀ ଓ ଶିଶୁପାଳଙ୍କ ବିବାହ କରାଇବା ଲାଗି ରକ୍ମ ନିଜ ପିତା ବିଶ୍ବକର୍ମାଙ୍କୁ ରାଜି କରାଇବା ସକ୍ଷମ ହୋଇଥିଲେ । ସେହି ଅନୁସାରେ ସବୁ ଠିକ ହୋଇଥିଲା ।

ଋକ୍ମଣୀ ଓ ଶିଶୁପାଳଙ୍କ ବିବାହ ସ୍ଥିରୀକୃତ ହେବା ପରେ ଋକ୍ମିଣୀ ନିଜେ ଏକ ପତ୍ର ଲେଖି ଜଣେ ବ୍ରାହ୍ମଣଙ୍କ ହାତରେ ଶ୍ରୀକୃଷ୍ଣଙ୍କ ପାଖକୁ ପଠାଇଥିଲେ । ତାଙ୍କୁ ଅପହରଣ କରିନେଇ ବିବାହ କରିବା ପାଇଁ ଋକ୍ମିଣୀ ଏହି ପତ୍ରରେ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଥିଲେ । ବିବାହ ପୂର୍ବରୁ ଦେବୀଙ୍କ ମନ୍ଦିରକୁ ଯିବାର ପରମ୍ପରା ରହିଥିଲା । ତେଣୁ ସେ ଦେବୀଙ୍କ ମନ୍ଦିରକୁ ଯିବାବେଳେ ବା ଫେରିବାବେଳେ ତାଙ୍କୁ ଅପହରଣ କରିବା ପାଇଁ ମଧ୍ୟ ଋକ୍ମିଣୀ ପତ୍ରରେ ଉଲ୍ଲେଖ କରିଥିଲେ ।  ପତ୍ର ପାଇବା ପରେ ଶ୍ରୀକୃଷ୍ଣ ନିଜ ବଡଭାଇ ବଳରାମଙ୍କୁ ସାଙ୍ଗରେ ନେଇ ବିଦର୍ଭ ପହଂଚିଥିଲେ । ଶ୍ରୀକୃଷ୍ଣ ଓ ବଳରାମ ବିଦର୍ଭ ଆସିଛନ୍ତି ଜାଣିବାପରେ ବିଶ୍ବକର୍ମା ଖୁସୀ ହୋଇ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଇଦେଇଥିଲେ ।

ଅପରପକ୍ଷରେ ଋକ୍ମିଣୀ ଓ ଶିଶୁପାଳଙ୍କ ବିବାହରେ ଶ୍ରୀକୃଷ୍ଣ କିଛି ଅଘଟଣ ଘଟାଇବା ଆଶଂକାରେ ଜରାସଂଧ ନିଜ ସୈନ୍ୟ ସାମନ୍ତଙ୍କ ସହ ମଧ୍ୟ ବିଦର୍ଭରେ ପହଞ୍ଚିଥିଲେ । ନିର୍ଧାରିତ ଶୁଭ ମୁହୂର୍ତ୍ତରେ ଋକ୍ମିଣୀ ଦେବୀଙ୍କ ମନ୍ଦିରକୁ ବାହାରିଥିଲେ । ହେଲେ ସେ ରାସ୍ତାରେ ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ନପାଇ ନିରାଶ ହୋଇଥିଲେ । କିନ୍ତୁ ଋକ୍ମିଣୀ ଦେବୀଙ୍କ ପୂଜା ସାରି ମନ୍ଦିରରୁ ବାହାରିବା ବେଳକୁ ଶ୍ରୀକୃଷ୍ଣ ରଥ ନେଇ ମନ୍ଦିର ସମ୍ମୁଖରେ ଉପସ୍ଥିତ ଥିଲେ । ଋକ୍ମିଣୀଙ୍କୁ ରଥରେ ଅପହରଣ କରିନେଇଥିଲେ ଶ୍ରୀକୃଷ୍ଣ । ଜରାସନ୍ଧଙ୍କ ସେନା ତୁରନ୍ତ ଶ୍ରୀକୃଷ୍ଣଙ୍କ ପିଛା କରିଥିଲେ । ତେବେ ବଳରାମ ଜରାସନ୍ଧଙ୍କ ସେନାକୁ ଅଟକାଇ ସେମାନଙ୍କ ସହ ଯୁଦ୍ଧ କରିଥିଲେ । ତେବେ ଋକ୍ମିଣୀଙ୍କ ଭାଇ ନିଜ ସେନା ସହ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ଫଳରେ ଶ୍ରୀକୃଷ୍ଣ ଓ ଋକ୍ମଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ଋକ୍ମଙ୍କୁ ଶ୍ରୀକୃଷ୍ଣ ପରାସ୍ତ କରିବା ସହ ହତ୍ୟା କରିବାକୁ ବାହାରିଥିଲେ । ଏହି ସମୟରେ ଋକ୍ମିଣୀ ଶ୍ରୀକୃଷ୍ଣଙ୍କ ପାଖରେ ନିଜ ଭାଇର ଜୀବନ ଭିକ୍ଷା କରିଥିଲେ । ଫଳରେ ଶ୍ରୀକୃଷ୍ଣ ଋକ୍ମଙ୍କୁ ଛାଡି ଦେଇଥିଲେ । ଦ୍ବାରିକାରେ ଶ୍ରୀକୃଷ୍ଣ ଓ ଋକ୍ମିଣୀଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ସତ୍ୟଭାମା ଓ ଜାମ୍ବବତୀ : ସତ୍ୟଭାମାଙ୍କୁ ମାତା ପୃଥିବୀଙ୍କ ଅବତାର ବୋଲି ପୁରାଣ ଶାସ୍ତ୍ରରେ ବିବେଚନା କରାଯାଇଛି । ସତ୍ୟଭାମାଙ୍କ ପିତାଙ୍କ ନାଁ ସତ୍ରଜିତ ଥିଲା । ତାଙ୍କ ପାଖରେ ଶ୍ୟାମନ୍ତକ ନାମକ ଏକ ଦୁର୍ଲଭ ମଣି ଥିଲା । ଏକଥା ଶ୍ରୀକୃଷ୍ଣ ଜାଣିବା ପରେ ଏହି ଦୁର୍ଲଭ ମଣିର ସୁରକ୍ଷା ପାଇଁ ଏହା ମଥୁରାର ରାଜା ଉଗ୍ରସେନଙ୍କ ପାଖକୁ ପଠାଇଦେବା ଲାଗି ପରାମର୍ଶ ଦେଇଥିଲେ । ତେବେ ଇତିମଧ୍ୟରେ ଏହି ମଣିକୁ ଧରି ସତ୍ରଜିତଙ୍କ ଭାଇ ପ୍ରସୀନ ଜଂଗଲକୁ ଶିକାର କରିବାକୁ ଯାଇଥିଲେ । ଜଙ୍ଗଲେ ଏକ ସିଂହ ହାବୁଡରେ ପଡି ପ୍ରସୀନ ପ୍ରାଣ ହରାଇଥିଲେ । ଶ୍ୟାମାନ୍ତକ ମଣିଟିକୁ ଜଙ୍ଗଲେ ଥିବା ଜାମ୍ବବାନ ହାସଲ କରିଥିଲେ । ଜାମ୍ବବାନ ତ୍ରେତେୟା ଯୁଗରେ ଶ୍ରୀରାମଙ୍କ ଭକ୍ତ ଥିଲେ ଓ ସେ ଆହୁରି ବଞ୍ଚିଥିଲେ ।

ଏପଟେ ଶ୍ୟାମନ୍ତକ ମଣି ହଜିଯିବାପରେ ସତ୍ରଜିତ ବିବ୍ରତ ହେବା ସହ ଏହା ପଛରେ ଶ୍ରୀକୃଷ୍ଣଙ୍କ ହାତ ଥିବା ଅଭିଯୋଗ ଉଠାଇଥିଲେ । ଅଭିଯୋଗରୁ ମୁକ୍ତ ହେବା ପାଇଁ ଶ୍ରୀକୃଷ୍ଣ ଶ୍ୟାମାନ୍ତକ ମଣି ସଂଧାନରେ ବାହାରିଥିଲେ । ଜାମ୍ବବାନଙ୍କ ପାଖରେ ଶ୍ୟମାନ୍ତକ ମଣି ଥିବା ଜାଣିବାପରେ ସେ ଜାମ୍ବବାନଙ୍କ ଗୁମ୍ଫାରେ ପ୍ରବେଶ କରିଥିଲେ ସେତେବେଳକୁ ଜାମ୍ବବାନଙ୍କ କନ୍ୟା ଜାମ୍ବବତୀ ଶ୍ୟାମାନ୍ତକ ମଣି ଧରି ଖେଳିୁଥିଲେ । ଶ୍ରୀକୃଷ୍ଣ ଶ୍ୟାମାନ୍ତକ ମଣି ଆଣିବା ପାଇଁ ଚେଷ୍ଟା କରିବା ଫଳରେ ଜାମ୍ବବାନ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ବାହୁ ଯୁଦ୍ଧ ହୋଇଥିଲା । ଦୀର୍ଘ ୨୮ଦିନ ଯୁଦ୍ଧ ପରେ ଜାମ୍ବବାନ ବୁଝିଯାଇଥିଲେ ଯେ, ଶ୍ରୀକୃଷ୍ଣ ହେଉଛନ୍ତି ତାଙ୍କ ପ୍ରଭୁ ଶ୍ରୀରାମଙ୍କ ଅବତାର । ତେଣୁ ସେ ଆତ୍ମସମର୍ପଣ କରିବା ସହ ଶ୍ୟାମାନ୍ତକ ମଣି ଫେରସ୍ତ କରିଥିଲେ ଓ ଶ୍ରୀକୃଷ୍ଣଙ୍କ ସହ ନିଜ କନ୍ୟା ଜାମ୍ବବତୀଙ୍କ ବିବାହ କରାଇଥିଲେ । ଶ୍ୟାମାନ୍ତକ ମଣି ଶ୍ରୀକୃଷ୍ଣଙ୍କୁ ଫେରାଇବାପରେ ସତ୍ୟଭାମାଙ୍କ ପିତା ସତ୍ରଜିତ ଶ୍ରୀକୃଷ୍ଣଙ୍କ ପରାକ୍ରମ ସମ୍ପର୍କରେ ଜାଣିପାରି ନିଜ ଝିଅ ସତ୍ୟଭାମାଙ୍କ ସହ ତାଙ୍କର ବିବାହ କରାଇଥିଲେ ।

କାଳନ୍ଦୀ : ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ କାଳନ୍ଦୀ ଯମୁନା ନଦୀର ଅଧିଷ୍ଠାତ୍ରୀ ଦେବୀ ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ସେ ମଧ୍ୟ ସୂର୍ଯ୍ୟଙ୍କ କନ୍ୟା ଥିଲେ । ଏକଦା କୃଷ୍ଣ ଏବଂ ଅର୍ଜୁନ ଶିକାରରୁ ଫେରି ଯମୁନା କୂଳରେ ବିଶ୍ରାମ କରୁଥିଲେ । ଏହି ସମୟରେ ସେହି ରାସ୍ତା ଦେଇ କାଳନ୍ଦୀ ଯାଉଥିବା ଶ୍ରୀକୃଷ୍ଣ ଦେଖିଥିଲେ । କାଳନ୍ଦୀଙ୍କ ରୂପ ଲାବଣ୍ୟରେ ଶ୍ରୀକୃଷ୍ଣ ବିଭୋର ହୋଇ ତାଙ୍କ ସମ୍ପର୍କରେ ବୁଝିବା ପାଇଁ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅର୍ଜୁନ କାଳନ୍ଦୀଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ବୁଝିଥିଲେ । କାଳନ୍ଦୀ କହିଥିଲେ ଭଗବାନ ବିଷ୍ଣୁଙ୍କୁ ସ୍ବାମୀ ରୂପେ ପାଇବା ଲାଗି ସେ ତପସ୍ୟାରତ । ଏକଥା ଜାଣିବାପରେ ଶ୍ରୀକୃଷ୍ଣ ନିଜ ସ୍ବରୂପ ପ୍ରଦର୍ଶନ କରିବା ସହ କାଳନ୍ଦୀଙ୍କୁ ବିବାହ କରିଥିଲେ ।

ନଗ୍ନଜିତି : କୋଶଳର ପରାକ୍ରମୀ ରାଜା ନଗ୍ନଜିତଙ୍କ ସୁନ୍ଦରୀ କନ୍ୟା ନଗ୍ନଜିତି । ନିଜକନ୍ୟାର ବିବାହ ପାଇଁ ନଗ୍ନଜିତ ଏକ ସର୍ତ୍ତ ରଖିଥିଲେ । ତାଙ୍କ ପାଖରେ ଥିବା ୭ଟି ଷଣ୍ଢଙ୍କୁ ଯିଏ ଯୋଚି ପାରିବ ବା ସେମାନଙ୍କ ନାକରେ ରଶି ପୁରାଇ ବାନ୍ଧି ପାରିବ ତାକୁ ନିଜ କନ୍ୟାଙ୍କୁ ବିବାହ ଦେବେ । ଏହି ଷଣ୍ଢମାନେ ଅତ୍ୟନ୍ତ ଶକ୍ତିଶାଳୀ ଓ ଦୁର୍ଦ୍ଧଶ ଥିଲେ । ଅନେକ ଯୋଦ୍ଧା ଉଦ୍ୟମ କରି ବିଫଳ ହୋଇଥିଲେ । ଏକଥା ଶୁଣିବାପରେ ଶ୍ରୀକୃଷ୍ଣ କୋଶଳକୁ ଯାତ୍ରା କରିଥିଲେ । ନଗ୍ନଜିତିଙ୍କୁ ବିବାହ କରିବା ଲାଗି ଶ୍ରୀକୃଷ୍ଣ ଇଚ୍ଛା ପ୍ରକାଶ କରିବାରୁ ରାଜା ନଗ୍ନଜିତ ନିଜ ସର୍ତ୍ତ ଉପସ୍ଥାପନ କରିଥିଲେ । ତେବେ ଶ୍ରୀକୃଷ୍ଣ ଅନାୟସରେ ଷଣ୍ଢମାନଙ୍କୁ ବାନ୍ଧିବାରେ ସକ୍ଷମ ହୋଇଥିଲେ ଓ ନଗ୍ନଜିତିଙ୍କୁ ବିବାହ କରିଥିଲେ ।

ମିତ୍ରବିନ୍ଦା : ଶ୍ରୀକୃଷ୍ଣଙ୍କ ଦୂର ସମ୍ପର୍କୀୟା ହେବେ ମିତ୍ରବିନ୍ଦା । ମିତ୍ରବିନ୍ଦାଙ୍କ ଭାଇମାନେ ଦୁର୍ଯ୍ୟୋଧନଙ୍କ ସହ ତାଙ୍କର ବିବାହ କରାଇବାକୁ ମନସ୍ଥ କରିଥିଲେ । ଏଥିପାଇଁ ଏକ ସ୍ବୟମ୍ବର ମଧ୍ୟ ଆୟୋଜିତ ହୋଇଥିଲା । ତେବେ ଏହି ସ୍ବୟମ୍ବରକୁ କୃଷ୍ଣ ଓ ବଳରାମଙ୍କୁ ଆମନ୍ତ୍ରଣ କରାଯାଇନଥିଲା । ଶ୍ରୀକୃଷ୍ଣଙ୍କ ପ୍ରତି ମିତ୍ରବିନ୍ଦାଙ୍କ ଦୁର୍ବଳତା ରହିଥିବା ବଳରାମ ଜାଣିଥିଲେ । ତେଣୁ ସେ ମିତ୍ରବିନ୍ଦାଙ୍କୁ ଅପହରଣ କରି ବିବାହ କରିବା ଲାଗି ସେ ଶ୍ରୀକୃଷ୍ଣଙ୍କୁ ପ୍ରବର୍ତ୍ତାଇଥିଲେ । ମିତ୍ରବିନ୍ଦା ତାଙ୍କୁ ଭଲ  ପାଆନ୍ତି ବୋଲି ଶ୍ରୀକୃଷ୍ଣ ଜାଣିନଥିଲେ । ତେଣୁ ଏହା ଜାଣିବା ଲାଗି ମିତ୍ରବିନ୍ଦାଙ୍କ ପାଖକୁ ଶ୍ରୀକୃଷ୍ଣ ନିଜ ଭଉଣୀ ସୁଭଦ୍ରାଙ୍କୁ ପଠାଇଥିଲେ । ମିତ୍ରବିନ୍ଦା ତାଙ୍କୁ ହିଁ ଭଲ ପାଆନ୍ତି ଓ ବିବାହ କରିବାକୁ ଚାହାନ୍ତି ବୋଲି ସୁଭଦ୍ରାଙ୍କଠୁ ଜାଣିବା ପରେ ଶ୍ରୀକୃଷ୍ଣ ମିତ୍ରବିନ୍ଦାଙ୍କୁ ଅପହରଣ କରିନେଇ ବିବାହ କରିଥିଲେ ।

ଲକ୍ଷ୍ମଣା : ମଦ୍ର ଦେଶର ନରେଶ ନିଜ ଝିଅ ଲକ୍ଷ୍ମଣାଙ୍କ ପାଇଁ ଏକ ସ୍ବୟମ୍ବରର ଆୟୋଜନ କରିଥିଲେ । ଧାର୍ଯ୍ୟ ଲକ୍ଷ୍ୟକୁ ତୀରମାରି ପାରିଲେ କନ୍ୟାର ପାଣିଗ୍ରହଣ କରିପାରିବ ବୋଲି ସର୍ତ୍ତ ରହିଥିଲା । ଏହି ସ୍ବୟମ୍ବରରେ ଜରାସନ୍ଧ, ଦୁର୍ଯ୍ୟୋଧନ ଓ ଅର୍ଜୁନଙ୍କ ଭଳି ଯୋଦ୍ଧାମାନେ ଉପସ୍ଥିତ ଥିଲେ । ତେବେ ସମସ୍ତେ ଲକ୍ଷ୍ୟ ଭେଦ କରିବାରେ ବିଫଳ ହୋଇଥିଲେ । ଅର୍ଜୁନ ଜାଣିଶୁଣି ଲକ୍ଷ୍ୟଭେଦ କରିନଥିଲେ । କୃଷ୍ଣ କିନ୍ତୁ ଲକ୍ଷ୍ୟଭେଦ କରି ଲକ୍ଷ୍ମଣାଙ୍କୁ ବିବାହ କରିଥିଲେ ।

   Related Posts