ବାତ୍ୟା ଫୋନିରେ ଉଜୁଡି ଯାଇଛି ଶ୍ରୀମନ୍ଦିର ଭିତରର ଉପବନ, ଶ୍ରୀଜିଉଙ୍କ ଲାଗି ଫୁଲ ନାହିଁ କି ପ୍ରିୟ ତୁଳସୀ ବି ନାହିଁ

Published By : Prameya-News7 Bureau | May 12, 2019 IST

ପୁରୀ ୧୨|୫:  ବିଶ୍ବ ନିୟନ୍ତାଙ୍କ ଲାଗି ଫୁଲ ନାହିଁ, ପ୍ରିୟ ତୁଳସୀ ବି ନାହିଁ । ବାତ୍ୟା ଫୋନିରେ ଉଜୁଡି ଯାଇଛି ମନ୍ଦିର ଭିତରର ଉପବନ । କୋଇଲି ବୈକୁଣ୍ଠ ବି ଛାରଖାର । ଫୋନିର ଦୁଃଖ ମହାପ୍ରଭୁଙ୍କୁ ଜଣାଇବାକୁ ଧାଇଁ ଆସୁଛନ୍ତି ଭକ୍ତ । ହେଲେ ଖୋଦ୍ ଶ୍ରୀମନ୍ଦିରର ଏ ସ୍ଥିତି ଦେଖି ସମସ୍ତେ ହତବାକ୍ । ଲୀଳାମୟଙ୍କ ଏହି ଲୀଳା ସମସ୍ତଙ୍କ ବୁଝିବା ବାହାରେ ।

{"id":111031}

ସେ କଳିଙ୍ଗ ପ୍ରଦେଶର କାଳିଆ ରଜା । ତାଙ୍କର ୩୨ ବେଶ । ସଜେଇ ହେବାକୁ ଭଲ ପାଆନ୍ତି ସେ । ସେ ତୁଳସୀ ପ୍ରିୟ, ଫୁଲ ପ୍ରିୟ । ଦୟଣା ବି ତାଙ୍କର ଭାରି ପସନ୍ଦ । ତାଙ୍କରି ଲାଗି ତ ଶ୍ରୀମନ୍ଦିରରେ ରହିଛି ନୀଳାଚଳ ଉପବନ । ପ୍ରତିଦିନ ଅଗଣିତ ପୁଷ୍ପ ମହାପ୍ରଭୁଙ୍କ ମଥାରେ ଲାଗି ହେବାକୁ ଏଠି ଫୁଟେ । ସ୍ବତନ୍ତ୍ର ସେବକ ବି ଖଞ୍ଜା ହୋଇଛନ୍ତି ଏଥିଲାଗି । ହେଲେ ଏବେ ସବୁକିଛି ବଦଳି ଯାଇଛି । ଉଜୁଡି ଯାଇଛି ଉପବନ । ଫୋନିର ଗ୍ରାସରେ ଶ୍ରୀମନ୍ଦିର ଭିତରର ଅଧିକାଂଶ ବୃକ୍ଷ ଧ୍ବସ୍ତ ହୋଇଛି । ଏପରିକି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାତାଳୀ ସ୍ଥଳ କୌଇଲି ବୈକୁଣ୍ଠରେ ଥିବା ମହାବାହୁଙ୍କ ଅତି ପ୍ରିୟ ତୁଳସୀ ବଣ ବି ଛାରଖାର ହୋଇଛି । ସ୍ଥିତି ଏମିତି ହୋଇଛି, ବିଶ୍ବନିୟନ୍ତାଙ୍କ ପୂଜାର୍ଚ୍ଚାନା ଲାଗି ପ୍ରତିଦିନ ଦରକାର ହେଉଥିବା ତୁଳସୀ, ଫୁଲର ଘୋର ଅଭାବ ଦେଖାଦେଇଛି ।

{"id":111032}

ଏବେ ଚାଲିଛି ଚନ୍ଦନ ଯାତ୍ରାର ପର୍ବ । ଅନ୍ୟଦିନ ମାନଙ୍କ ଅପେକ୍ଷା, ଏବେ ପ୍ରଭୁଙ୍କ ଲାଗି ଫୁଲ, ତୁଳସୀର ଆବଶ୍ୟକତା ବେଶୀ । ପୁଷ୍ପ ଅଳଙ୍କାର ଗୁଡ଼ିକୁ ପ୍ରସ୍ତୁତ କଲାବେଳେ ଫୁଲ ଗୁନ୍ଥାଳିମାନେ ପ୍ରଚୁର ପଣସ ପତ୍ର, ତୁଳସୀ, ଦୟଣା ଓ ନାନାବିଧ ଫୁଲ ଆବଶ୍ୟକ କରିଥାଆନ୍ତି । ଠିକ୍ ଏତିକିବେଳେ କିନ୍ତୁ ସେମାନଙ୍କ ହାତ ବାନ୍ଧି ହୋଇଯାଉଛି । ଶ୍ରୀମନ୍ଦିରରେ ପହଞ୍ଚି ପାରୁନାହିଁ ଶ୍ରୀଜିଉଙ୍କ ପ୍ରିୟ ତୁଳସୀ । ସତେ ଯେମିତି ଠାକୁରଙ୍କ ପାଖରୁ ତାଙ୍କର ପ୍ରିୟ ତୁଳସୀକୁ ଦୂରକୁ ଉଡାଇ ନେଇଛି ବାତ୍ୟା ଫୋନି । ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ଫୁଲରେ ହେଉଥିବା ମହାପ୍ରଭୁଙ୍କର ବଡ଼ସିଂହାର ବେଶ ନିରସ ପାଲଟିଛି । ପୁଷ୍ପ ଆଢୁଆଳରେ ଲୁଚି ଯାଉଥିବା ଚକା ଆଖି ଯେମିତି ଖାଲି ଖାଲି ଲାଗୁଛି । କେବଳ ନାମକୁ ମାତ୍ର ଅଳଙ୍କାର ଗୁଡିଏ ପ୍ରସ୍ତୁତ କରି ସେବକମାନେ ନୀତି ବଢଉଛନ୍ତି । ପ୍ରତିଦିନର କାମ ଚଳାଇବାକୁ ବାହାରୁ ଯାହା ଯେମିତି କିଛି ଫୁଲ ଓ ତୁଳସୀ ଯୋଗାଡ଼ କରାଯାଉଛି ।

{"id":111034}

ବାତ୍ୟା ଫୋନିରେ ଶ୍ରୀମନ୍ଦିରରେ ନାହିଁ ନ ଥିବା କ୍ଷତି ହୋଇଛି । ଅନେକ କିଛି ଉଜାଡ଼ିଛି, ମନ୍ଦିରରେ ଫାଟ ହୋଇଛି, ଠାକୁରଙ୍କ ପାଟ ବସ୍ତ୍ର ଭିଜିଛି । ମହାପ୍ରସାଦରେ କଳା ପାଣି ବି ପଡ଼ିଛି । ଗତକାଲି ଏଏସଆଇ ଡିଜି ଅନୁଧ୍ୟାନ ପରେ କହିଛନ୍ତି, ରଥ ଯାତ୍ରା ପୂର୍ବରୁ ମନ୍ଦିର କାମ ସରିବ । ତେବେ ଭକ୍ତ ମନ କିନ୍ତୁ ବୁଝୁନି । ଫୋନିର ଦୁଃଖ ଜଣାଇବାକୁ ବଡ଼ ଦେଉଳକୁ ବିଶ୍ବାସରେ ଧାଇଁ ଯାଉଛି ଶ୍ରଦ୍ଧାଳୁ, ହେଲେ ଖୋଦ୍ ଶ୍ରୀମନ୍ଦିରର ଏହି ସ୍ଥିତି ଭକ୍ତ ଆଖିରୁ ବୋହି ଯାଉଛି ଧାର ଧାର ଲୁହ । ଲୀଳାମୟଙ୍କ ଏ କି ଲୀଳା, ତାହା କେହି ବି ବୁଝି ପାରୁ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.