ରାଜଧାନୀରେ ତାଣ୍ଡବ ରଚିଲା ଫନି, ରହିଲାନି ଗୋଟିଏବି ଗଛ, ରାସ୍ତାଘାଟ ଜାମ୍

Published By : Prameya-News7 Bureau | May 03, 2019 IST

ଭୁବନେଶ୍ବର ୩|୫: ରାଜଧାନୀ ଭୁବନେଶ୍ବରରେ ଆଜି ସକାଳ ୮ଟାରୁ ଫନି ତାର ତାଣ୍ଡବଲୀଳା ଆରମ୍ଭ କରିଛି  । ପ୍ରଥମେ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ପବନ ଏବଂ ତା ପରେ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ପବନ ରାଜଧାନୀର କାୟା କଳ୍ପ ବଦଳାଇ ଦେଇଛି । ଘଣ୍ଟାକୁ ୨୨୦ କିଲୋମିଟର ବେଗରେ ପବନ ରାଜଧାନୀକୁ ଦୀର୍ଘ ୪ଘଣ୍ଟା ଧରି ଥରହର କରିଛି । ସମଗ୍ର ଭୁବନେଶ୍ବରର ରାସ୍ତାରେ ଖାଲି ଗଛ, ଗଛ ଡାଳ, ହୋଡିଂ, ବିଦ୍ୟୁତ ଖୁଣ୍ଟ, ଆଜବେଷ୍ଟସ, ଟିଣରେ ଛାଇ ହୋଇ ରହିଛି । ଦିନ ୧୧ଟାବେଳେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ପବନ ଓ ବର୍ଷା ଥମିବାର ନାଁ ହି ନେଉନାହିଁ ।

{"id":110180}

ସମଗ୍ର ଭୁବନେଶ୍ବରର ବିଜୁଳି ଠପ୍ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲ, ଏୟାରପୋର୍ଟ, ରେଲୱେ ଷ୍ଟେସନ ସମେତ ରସୁଲଗଡ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଲକ୍ଷ୍ମୀସାଗର, ଜାଗମରା, କଳ୍ପନା, ପୋଖରୀପୁଟ ଆଦି ଅଞ୍ଚଳରେ ରାସ୍ତା ଜାମ ହୋଇ ରହିଛି । କଟକରେ ମଧ୍ୟ ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁଁ ଗଛ ଓ ବିଜୁଳି ଖୁଣ୍ଟ ଉପୁଡି ରାସ୍ତା ବନ୍ଦ ହୋଇ ରହିଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏଭଳି ତାଣ୍ଡଲୀଳା ଚାଲିବ ବୋଲି ପୂର୍ବାନୁମାନ କରାଯାଇଛି ।

{"id":110181}

ରାଜଧାନୀର ତଳିଆ ଅଞ୍ଚଳରେ ପାଣଇ ଭର୍ତ୍ତି ହୋଇଯିବା ଯୋଗୁଁ ପରିସ୍ଥିତି ଅଣାୟତ ହୋଇପଡିଛି । ବସ୍ତିବାସିନ୍ଦା ତ୍ରାହି ତ୍ରାହି ଡାକିଲେଣି । ଭୁବନେଶ୍ବରରେ ଫୋନି ଏଭଳି କରାଳ ରୂପ ଦେଖାଇବ ବୋଲି କଳ୍ପନା କରାଯାଇନଥିଲା । ରାଜଧାନୀର ପରିବହନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦୋକାନବଜାର ବନ୍ଦ ରହିଛି । ବର୍ଷା ଓ ପବନ ସାମାନ୍ୟ କମିବା ପରେ ଯାଇ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.