Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଫନି’ ବିଭୀଷିକା : ଉଜାଡି ଦେଲା ପୁରୀ ଓ ଭୁବନେଶ୍ବର, ୪୮ଘଣ୍ଟା ପରେ ବି ଉଦ୍ଧାର ଓ ଥଇଥାନ ଆଖିଦୃଶିଆ ହେଉନି, ତାତିଲେଣି ଲୋକେ

5/05/2019 at 12:32 PM

ଭୁବନେଶ୍ବର ୫|୫: ‘ଫନି’ ରଚିଲା ତାଣ୍ଡବ । ଭୀଷଣରୁ ଅତି ଭୀଷଣ ରୂପ ଧରି ପୁରୀ, ଭୁବନେଶ୍ବର ସହ ଓଡିଶାର ଅଧା ଅଞ୍ଚଳକୁ ଛାରଖାର କରିଦେଇଛି । ଶ୍ରୀକ୍ଷେତ୍ର ପୁରୀକୁ ଛାରଖାର କରିଦେଇଛି ସିଭିୟର ସାଇକ୍ଲୋନ ‘ଫନି’ । ଲ୍ୟାଣ୍ଡଫଲ କରିବା ପରେ ଭୀଷଣରୁ ଅତିଭୀଷଣ ରୂପ ନେଇ ତାଣ୍ଡବ ରଚିଥିଲା । ‘ଫନି’ର ପ୍ରଭାବରେ ପୁରୀ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୁରୀ ବେଳାଭୂମୀଠାରୁ ବଡଦାଣ୍ଡ ପର୍ଯ୍ୟନ୍ତ ସବୁ ଛିନଛତ୍ର ହୋଇଯାଇଛି । ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ପୁରୀ ସହର ସମେତ ବ୍ରହ୍ମଗିରି, ସାତପଡା, କୃଷ୍ଣପ୍ରସାଦ, କୋଣାର୍କ, ନିମାପଡା, ଗୋପ ଓ ସତ୍ୟବାଦୀ ଅଞ୍ଚଳରେ ଛାରଖାର କରିଦେଇଛି ‘ଫନି’ । ରାସ୍ତାଘାଟରେ ବଡ ବଡ ଗଛ ଉପୁଡି ପଡିଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

ସେହିପରି ସବୁଆଡେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ୪୮ଘଣ୍ଟା ପରେ ବି ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଆଖିଦୃଶିଆ ହୋଇନି । ତେଣୁ ବିଭିନ୍ନ ସ୍ଥାନରେ ଲୋକମାନେ ତାତିଲେଣି ।

 ‘ଫନି’ ତାଣ୍ଡବରେ ସବୁ କିଛି ଛିନଛତ୍ର ହୋଇଯାଇଛି । ଉପୁଡି ପଡିଛି ଲକ୍ଷ ଲକ୍ଷ ଗଛ, ଇଲେକ୍ଟ୍ରିଖୁଣ୍ଟ । ବେଘର ହୋଇଯାଇଛନ୍ତି ଲକ୍ଷାଧିକ ଲୋକ । କେତେ ସହର କେତେ ଗାଁ ଉଜୁଡି ଯାଇଛି ତା’ର କିଛି ହିସାବ ନାହିଁ । ବାତ୍ୟା ଯିବା ପରେ ଆରମ୍ଭ ହୋଇଛି ସବୁ କିଛି ସଜାଡ଼ିବା ପ୍ରକ୍ରିୟା । ତେବେ ସ୍ଥିତି ସ୍ବାଭବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ କାମ ଚଳାଇଛି । ଦିନରାତି ଏକ କରିଦେଇଛନ୍ତି ଏନଡିଆରଏଫ, ଓଡ୍ରାଫ୍, ଅଗ୍ନିଶମ ବାହିନୀ । ବାତ୍ୟା ଫନି ଦ୍ବାରା ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ।

ବିଜୁଳି ଭତ୍ତିଭୂମିରେ ବିଶାଳ କ୍ଷତି । ଅନ୍ଧାରରେ ୩୫ ଲକ୍ଷ ଲୋକ । ‘ଫନି’ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଉପକୂଳ ଓଡ଼ିଶାରେ ବିଦ୍ୟୁତ୍ ବ୍ୟବସ୍ଥା । ୪୦୦ କେଭି, ୨୦୦ କେଭି ଟାୱାର, ଗ୍ରୀଡ୍  ସବଷ୍ଟେସନ, ୧୧ କେଭି ଲାଇନ ସବୁ ଉପୁଡ଼ି ଯାଇଛି । ବାତ୍ୟା ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ପୁରୀ, ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାରେ ସର୍ବାଧିକ କ୍ଷତି ହୋଇଛି । ୩୫ ଲକ୍ଷରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ଓ ବିଭିନ୍ନ ଅନୁଷ୍ଠାନ ପ୍ରଭାବିତ ହୋଇଛି । ବିଦ୍ୟୁତ୍ ସଂକ୍ରାନ୍ତୀୟ ଅଭିଯୋଗ ପାଇଁ ସ୍ବତନ୍ତ୍ର ହେଲ୍ପଲାଇନ ମଧ୍ୟ କରାଯାଇଛି । ଯାହା ମାଧ୍ୟମରେ ଲୋକେ ବିଦ୍ୟୁତ ବିଭାଗ ସହିତ ଯୋଗଯୋଗ କରିପାରିବେ ।

ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪୦ ଏନଡିଆରଏଫ୍ ଟିମ୍ । ଆଉ ୪ଟି ଟିମ୍ ଆସୁଛନ୍ତି । ବାତ୍ୟା ଫନି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଅଧିକ ଫୋକସ କରାଯାଉଛି । ପୁରୀରେ ୭ ଏବଂ ଭୁବନେଶ୍ବରରେ ୧୫ ଏନଡିଆରଏଫ୍ ଟିମ୍ ଗଛ କାଟି ରାସ୍ତା ସଫା କରିବା କାମରେ ଲାଗିଛନ୍ତି । ରୋଡ୍ କ୍ଲିୟରାନସକୁ ପ୍ରାଥମିକତା ଦିଆଯାଇଛି ।

ବାତ୍ୟା ଜନିତ ଅସ୍ବାଭିବକ ହୋଇପଡିଥିବା ସ୍ଥିତିକୁ ସ୍ବାଭାବିକ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ହେଲେ କେତେ ଶୀଘ୍ର ଏହା ସମ୍ଭବ ହୋଇପାରୁଛି ତାହା ହେଉଛି ଏବେ ସବୁଠାରୁ ବଡ଼ ଚାଲେଂଜ୍ । ପ୍ରାୟ ସବୁ ଅଂଚଳକୁ ଇଲେକ୍ଟ୍ରିସିଟି, ପିଇବା ପାଣି ଯୋଗାଇଦେବା ଗୁରୁତ୍ବପୂର୍ଣ୍ଣ କାମ । ବାତ୍ୟା ଫନିର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତ ବୋଲି  କହୁଥିବା ସରକାରଙ୍କ ପକ୍ଷରେ ଏବେ ବି ସବୁ କିଛି ନିୟନ୍ତ୍ରଣରେ ନାହିଁ । କାରଣ ଟେଲିଫୋନ୍, ଇଣ୍ଟରନେଟ୍ ସେବା ବ୍ୟାହତ ହେବା ଯୋଗୁଁ ସବୁ ଯାଗାରୁ ଠିକ୍ ଭାବେ କ୍ଷୟକ୍ଷତିର ଇନଫର୍ମେସନ ମଧ୍ୟ ଆସିପାରୁନାହିଁ । ଏମିତିରେ ପୁନରୁଦ୍ଧାର କାମ କିଭଳି ତ୍ବରାନ୍ବିତ ହୋଇ ପାରିବ ତାକୁ ନେଇ ଉଠିଛି ପ୍ରଶ୍ନ । ଲକ୍ଷ ଲକ୍ଷ ବସ୍ତିବାସିନ୍ଦା ଯେଉଁମାନେ କଚ୍ଚା ଘରେ ରହୁଥିଲେ ସେମାନେ ଏବେ ବାସହରା ହୋଇପଡିଛନ୍ତି । ବାତ୍ୟା ଆଶ୍ରୟସ୍ଥଳରେ ଜୀବନ ସିନା ବଞ୍ଚିଗଲା ହେଲେ ଉଜୁଡା ଘରକୁ ପୁଣି ସଜାଡିବାର ରାହା ଖୋଜୁଛନ୍ତି ଲୋକେ । ପିଲା ପରିବାରଙ୍କ ମୁଣ୍ଡ ଉପରକୁ ଛାତ ଖଣ୍ଡକ ଯୋଗାଡ କରିବାକୁ ଚିନ୍ତା କଲା ବେଳକୁ ଚାରିଆଡ ଅନ୍ଧାର ଦେଖାଯାଉଛି । ଇଏତ ଥିଲା ନଥିଲା ବାଲାଙ୍କ କଥା । ଥିଲାବାଲା ବି ଏବେ ଅସହାୟ ହୋଇପଡିଛନ୍ତି । ବଜାରରେ ଖାଦ୍ୟ ସାମଗ୍ରୀର କୃତ୍ରିମ ଅଭାବ ସେମାନଙ୍କୁ ବିବ୍ରତ କରୁଛି । ମଉକାର ଫାଇଦା ଉଠାଇ ୫ଟଙ୍କାର ଜିନିଷଙ୍କୁ ୨୫ଟଙ୍କାରେ ବିକ୍ରି କରିବାରେ ମାତିଛନ୍ତି ଅସାଧୁ ବ୍ୟବସାୟୀ । ଯୋଗାଣ ବିଭାଗର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏସବୁ ଭିତରେ ବାତ୍ୟା ‘ଫନି’ ଦ୍ବାରା କ୍ଷତିଗ୍ରସ୍ତ ଅଂଚଳରେ ସରକାରୀସ୍ତରରେ  ପୁନରୁଦ୍ଧାର କାମକୁ କିଭଳି ଯୋରଦାର କରାଯାଇପାରିବ ତାହା ହିଁ ବର୍ତ୍ତମାନ ସମୟରେ ସବୁଠୁ ବଡ ପ୍ରଶ୍ନ ।  

   Related Posts