ରିପୋର୍ଟରୁ ଖୁଲାସା: ଆଧୁନିକ ଯୁଦ୍ଧାସ୍ତ୍ର ଥିଲେ ବି ପାହାଡ଼ିଆ ଅଞ୍ଚଳରେ ଯୁଦ୍ଧ ପାଇଁ ଅସମର୍ଥ ପିଏଲଏ, ଭାରି ପଡ଼ିବ ଇଣ୍ଡିଆନ୍‌ ଆର୍ମି

Published By : Prameya-News7 Bureau | September 15, 2021 IST

ବେଜିଂ ୧୫/୦୯: ଚୀନ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ବ୍ୟସ୍ତ ଥିବା ବେ​‌ଳେ ଶକ୍ତି ପ୍ରଦର୍ଶନ କରିବାକୁ କେବେ ଭୁଲେ ନାହିଁ। ବିଶ୍ବ ନଜରରେ ନିଜକୁ ଶକ୍ତିଶାଳୀ ବୋଲି ଡେଙ୍ଗୁରା ପିଟିବାରେ ବ୍ୟସ୍ତ ଚୀନ। କିନ୍ତୁ ଡ୍ରାଗନ ସେନାକୁ ନେଇ ଆସିଥିବା ଖବର ଆଶ୍ଚର୍ଯ୍ୟଜନକ। ଆମେରିକାର ଏକ ମାଗାଜିନ୍‌ ନ୍ୟାସନାଲ୍‌ ଇଣ୍ଟରେଷ୍ଟରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଡ୍ରାଗନ ସେନା କେତେ ଦୁର୍ବଳ ସେନେଇ ରିପୋର୍ଟରେ ଖୁଲାସା ହୋଇଛି। ପ୍ରକୃତରେ ଚୀନର ପିଏଲଏ ସୈନିକ ପାହାଡ଼ ଚଢ଼ିବାରେ ଅସମର୍ଥ। ଏହାର ଅର୍ଥ ଚୀନ ସେନା ଉଚ୍ଚ ସ୍ଥାନରେ ଯୁଦ୍ଧ କରିପାରିବ ନାହିଁ। ଆଧୁନିକ ଯୁଦ୍ଧାସ୍ତ୍ର ଥିବା ସତ୍ବେ ସେନା ଦୁର୍ବଳ। ଉଚ୍ଚ ସ୍ଥାନକୁ ନିଜର ଯୁଦ୍ଧାସ୍ତ୍ର ପଠାଇବାରେ ଚୀନ ପାଖରେ ସେମିତି କିଛି ସୁବିଧା ନାହିଁ। ଯଦି ସାମ୍ନାସାମ୍ନି ଯୁଦ୍ଧ ପରିସ୍ଥିତି ଉପୁଜେ ତେବେ ଡ୍ରାଗନ ସେନା ପରାଜୟ ସ୍ବୀକାର କରିନେବ ବୋଲି ରିପୋର୍ଟରୁ ଜଣାପଡ଼ିଛି।

ଅନ୍ୟପଟେ ଚୀନ ନିଜର ଦୁର୍ବଳତାକୁ ଲୁଚାଇବାକୁ ଯାଇ ଶକ୍ତି ପ୍ରଦର୍ଶନ କରୁଛି। ନିକଟରେ ଗ୍ଳୋବାଲ ଟାଇମ୍ସରେ ପ୍ରକାଶିତ ଖବର ମୁତାବିକ, ଚୀନ ସେନା ପଶ୍ଚିମ ଇଲାକାରେ ରକେଟ ଏବଂ ଯୁଦ୍ଧାସ୍ତ୍ରର ଟେଷ୍ଟିଂ କରିଛି। ଏଥିରେ ପିଏଚଏଲ୍‌-୧୧ ମଲ୍ଟି ରକେଟ୍‌ ଲଞ୍ଚର, ପିଏଚଏଲ୍‌-୦୩ ଲଙ୍ଗ ରେଞ୍ଜ ରକେଟ ଲଞ୍ଚର ଏବଂ ପିସିଏଲ୍‌ ତୋପ ସାମିଲ ଥିଲା।

କିନ୍ତୁ ଏହାରି ମଧ୍ୟରେ ପାହାଡ଼ିଆ ଅଞ୍ଚଳକୁ ଯୁଦ୍ଧାସ୍ତ୍ର ପହଞ୍ଚାଇବା ପାଇଁ ଚିନୁକ ଭଳି ହେଲିକପ୍ଟରର ଆବଶ୍ୟକତା ରହିଛି। ଚୀନ ପାଖରେ ଯେଉଁ ହେଲିକପ୍ଟର ଅଛି ତାହା ୨୦ ହଜାର ପାଉଣ୍ଡ ଭାର ଉଠାଇବାରେ ସକ୍ଷମ। ସେପଟେ ଆମେରିକାର ଚିନୁକ୍‌ ୫୦ ହଜାର ପାଉଣ୍ଡ ଓଜନର ଯୁଦ୍ଧାସ୍ତ୍ର ବୋହିବା ପାଇଁ ଫିଟ୍‌। ଏହି ମାମଲାରେ ଡ୍ରାଗନ ଉପରେ ଭାରତ ଭାରି ପଡ଼ିବ। କାରଣ ଭାରତ ପାଖରେ ୨୨ ଆପାଚେ ଏବଂ ୧୫ ଚିନୁକ୍‌ ହେଲିକପ୍ଟର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.