ଏହି ଖେଳାଳିଙ୍କ ପ୍ରତି ଘୋର ଅନ୍ୟାୟ ! ଫିଟନେସ୍‌ ଏବଂ ଫର୍ମରେ ଥାଇ ମଧ୍ୟ ଭାରତୀୟ ଦଳରେ ମିଳିଲାନି ସୁଯୋଗ

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୦୭।୦୫: ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ୨୦ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ମହମ୍ମଦ ସାମି, ଉମେଶ ଯାଦବ, ହନୁମା ବିହାରୀଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ମାତ୍ର ଚୟନକର୍ତ୍ତାଙ୍କ ଏକ ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଭାରତର ୨୦ ଜଣିଆ ଦଳରେ ଅନୁଭବୀ ଏବଂ ଅଭିଜ୍ଞ ବୋଲର ଭୁବନେଶ୍ଵର କୁମାରଙ୍କ ନାଁ ନାହିଁ। ଭୁବନେଶ୍ଵର କୁମାର ଫିଟ୍ ବି ଅଛନ୍ତି ଏବଂ ଫର୍ମରେ ମଧ୍ୟ ଅଛନ୍ତି। ସେ ନିକଟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ଦଳରେ ଦମଦାର ପ୍ରଦର୍ଶନ କରିଥିଲେ।

ଭୁବନେଶ୍ଵର କୁମାରଙ୍କୁ ଦଳରେ ଚୟନ କରାନଯିବା ଏଥିପାଇଁ ଆଶ୍ଚର୍ଯ୍ୟ ଲାଗୁଛି, କାରଣ ଇଂଲଣ୍ଡର ପରିବେଶ ଏବଂ ପିଚ୍‌ ତାଙ୍କ ପାଇଁ ବହୁତ ଅନୁକୂଳ। ଭୁବନେଶ୍ଵର କୁମାର ଜଣେ ସୁଇଙ୍ଗ ବୋଲର ଏବଂ ସେ ଇଂଲଣ୍ଡ ମାଟିରେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛନ୍ତି। ବଲ୍‌କୁ ଉଭୟ ପାର୍ଶ୍ଵକୁ ସ୍ଵିଙ୍ଗ କରିବା ସହ ସଠିକ୍ ଲାଇନ୍‌ରେ ବୋଲିଂ କରିବାରେ ସେ ସିଦ୍ଧହସ୍ତ। ବର୍ତ୍ତମାନ ଦଳରେ କେବଳ ବୁମରା ଓ ସାମି ହିଁ ଭୁବନେଶ୍ଵରଙ୍କ ପରି ଇଂଲଣ୍ଡରେ ବୋଲିଂ କରି ପାରିବେ।

{"id":449660,"sizeSlug":"large","linkDestination":"none"}

ଇଂଲଣ୍ଡରେ ଦମଦାର ରେକର୍ଡ

ଭୁବନେଶ୍ଵର କୁମାରଙ୍କ ଇଂଲଣ୍ଡରେ ରେକର୍ଡ ଦମଦାର ରହିଛି। ସେ ଇଂରେଜ ମାଟିରେ ୫ ମ୍ୟାଚ୍‌ରୁ ୧୯ ଓ୍ଵିକେଟ୍ ନେଇଛନ୍ତି। ଗୋଟିଏ ଇନିଂସରେ ୮୨ ରନ ଦେଇ ୬ ଓ୍ଵିକେଟ୍ ନେବାର ସଫଳତା ତାଙ୍କ ନାଁରେ ରହିଛି। କେବଳ ଏତିକି ନୁହେଁ ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ଘରୋଇ ସିରିଜ୍‌ରେ ମଧ୍ୟ ଭୁବନେଶ୍ଵର କୁମାର ପ୍ରଭାବଶାଳୀ ବୋଲିଂ କରିଥିଲେ। ଯେଉଁ ପିଚ୍‌ରେ ଅନ୍ୟ ବୋଲର ନିର୍ଘାତ ପ୍ରହାର ଖାଉଥିଲେ, ସେଠାରେ ଭୁବନେଶ୍ଵର କୁମାର ବିରୋଧୀଙ୍କ ବ୍ୟାଟିଂ ଉପରେ ଅଙ୍କୁଶ ଲଗାଉଥିଲେ। ଦିନିକିଆ ସିରିଜ୍‌ରେ ଭୁବନେଶ୍ଵର କୁମାର ୩ଟି ମ୍ୟାଚ୍‌ରୁ ୬ ଓ୍ଵିକେଟ୍ ନେଇଥିଲେ। ଏହା ବ୍ୟତୀତ ଅହମ୍ମଦାବାଦରେ ଖେଳାଯାଇଥିବା ଟି-୨୦ ସିରିଜ୍‌ରେ ସେ ୪ ଓ୍ଵିକେଟ୍ ନେଇଥିଲେ। ଇକୋନୋମି ହାର ମଧ୍ୟ ବହୁତ କମାଲ ଥିଲା। ଏଥିରୁ ସ୍ପଷ୍ଟ ଯେ, ଭୁବନେଶ୍ଵର କୁମାର ସହିତ ଫର୍ମ ଅଛି ଏବଂ ଫିଟ୍ ମଧ୍ୟ ଅଛନ୍ତି। ମାତ୍ର ଦଳର ଚୟନକର୍ତ୍ତା ତାଙ୍କ ପ୍ରତି ଅଣଦେଖା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.