କରୋନାକୁ ଖାତିର ନକରି ଅଯୋଧ୍ୟା ପହଞ୍ଚିବେ ଲକ୍ଷାଧିକ ଶ୍ରଦ୍ଧାଳୁ, କିଛି ଖାସ୍ ହେବାକୁ ଯାଉଛି ଏଥର ‘ରାମ ନବମୀ’
17/03/2020 at 5:35 PM

ନୂଆଦିଲ୍ଲୀ ୧୭।୦୩: ସଂପ୍ରତି ସମଗ୍ର ବିଶ୍ଵ ସହିତ ଭାରତରେ ମଧ୍ୟ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ ଏହି ମାରାତ୍ମକ ରୋଗରେ ୩ ଜଣଙ୍କ ପ୍ରାଣହାନୀ ଘଟିଛି। ଉତ୍ତର ପ୍ରଦେଶ ସରକାର ଏହି ରୋଗର ପ୍ରକୋପକୁ ଦୃଷ୍ଟିରେ ରଖି ସାର୍ବଜନୀନ ସ୍ଥଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହିତ ଧାର୍ମିକ ସ୍ଥଳଗୁଡିକରେ କେମିତି ଭିଡ କମ କରାଯାଇ ପାରିବ ସେ ନେଇ ବ୍ୟବସ୍ଥା କରିଛନ୍ତି। କିନ୍ତୁ କରୋନା ଭୂତାଣୁକୁ ଭ୍ରୁକ୍ଷେପ ନକରି ଅଯୋଧ୍ୟାରେ ରାମ ନବମୀ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଯାଉଛି। ଏହି ମେଳା ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ।

ଅନ୍ୟପଟେ ଅଯୋଧ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ସାଂପ୍ରତିକ ସ୍ଥିତିରେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକଙ୍କ ଭିଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଏଥର ଖାସ୍ ହେବାକୁ ଥିବା ରାମ ନବମୀରେ ଅଯୋଧ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଯାଉଛି। ଉଲ୍ଲେଖନୀୟ କରୋନା କାରଣରୁ ଯୋଗୀ ଆଦିତ୍ୟନାଥ ସରକାର ବିସିସିଆଇ କହିବା ପରେ ଲକ୍ଷ୍ନୌରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍କୁ ବାତିଲ କରିଥିଲେ।

ଚଳିତ ବର୍ଷ ଅଯୋଧ୍ୟାରେ ରାମ ନବମୀ ଖାସ୍ ହେବାକୁ ଯାଉଛି। କାରଣ ଶତାଧିକ ପୁରୁଣା ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ରାମଲଲାଙ୍କ ପକ୍ଷରେ ଆସିଛି। ସବୁଠୁ ବଡ କଥା ଏଥର ରାମ ନବମୀରେ ଶ୍ରଦ୍ଧାଳୁ ବିବାଦୀୟ ଭୂମିର ମୁଖ୍ୟ ପରିସରରେ ପ୍ରବେଶ କରି ପାରିବେ। ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ମୁଖ୍ୟ ପରିସରରେ ରାମ ନବମୀ ଉତ୍ସବ ପାଳନ ହେଉଥିଲେ ବି ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଦୀର୍ଘ ବର୍ଷ ପରେ ଟେଣ୍ଟରେ ରହୁଥିବା ରାମଲଲା ଫାଇବର ଗ୍ଲାସରେ ନିର୍ମିତ ବୁଲେଟ୍ ପ୍ରୁଫ ମନ୍ଦିରକୁ ସ୍ଥାନାନ୍ତର ହେବେ। ଏଥର ରାମନବମୀ ମେଳା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆୟୋଜନ କରାଯାଉଛି।