ଏତେ ବୁଦ୍ଧିମାନ ଥିବା ସତ୍ବେ କାହିଁକି ହୋଇଥିଲା ରାବଣଙ୍କ ସର୍ବନାଶ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | October 15, 2019 IST

ରାବଣଙ୍କ ଅନ୍ତର କାରଣ ଥିଲା ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଶକ୍ତି । ଏହା ସହିତ ଆଉ ଏକ ମୁଖ୍ୟ କାରଣ ମଧ୍ୟ ଥିଲା ,ତାହା ହେଉଛି ରାବଣ ଯେଉଁମାନଙ୍କର ଅନିଷ୍ଟ କରିଥିଲେ ସେମାନଙ୍କର ଅଭିଶାପ। ଏହି ଅଭିଶାପ ତାଙ୍କର ସର୍ବନାଶର କାରଣ ଥିଲା ଏବଂ ତାଙ୍କର ପୂରା ବଂଶ ନାଶ ଘଟିଥିଲା।

{"id":170306}

ରଘୁବଂଶରେ ଜଣେ ପରମ ପ୍ରତାପୀ ରାଜା ଥିଲେ। ତାଙ୍କ ନାଁ ଥିଲା ଅନରଣ୍ୟ। ଯେତେବେଳେ ରାବଣ ବିଶ୍ବବିଜୟ କରିବାକୁ ବାହାରିଥିଲେ ସେତେବେଳେ ରାଜା ଅନରଣ୍ୟଙ୍କ ସହ ତାଙ୍କର ଭୟଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ରାଜା ଅନରଣ୍ୟଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମରିବା ପୂର୍ବରୁ ସେ ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଅନରଣ୍ୟଙ୍କ ବଂଶର ଜଣେ ପୁତ୍ର ତାଙ୍କ ମୃତ୍ୟୁର କାରଣ ହେବେ।

{"id":170307,"width":577,"height":449}

ଥରେ ରାବଣ ,ଭଗବାନ ଶିବଙ୍କୁ ଭେଟିବାକୁ କୈଳାଶ ଯାଇଥିଲେ। ସେଠାରେ ରାବଣ ନନ୍ଦିଙ୍କୁ ଦେଖି ତାଙ୍କ ରୂପର ପରିହାସ କରିଥିଲେ ଏବଂ ତାଙ୍କୁ ମାଙ୍କଡ଼ ପରି ମୁହଁ ବୋଲି କହିଥିଲେ। ସେତେବେଳେ ନନ୍ଦି ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ମାଙ୍କଡ଼ଙ୍କ ଯୋଗୁଁ ତାଙ୍କର ସର୍ବନାଶ ହେବ।

{"id":170308}

ରାବଣ ତାଙ୍କ ପତ୍ନୀଙ୍କ ବଡ଼ ଭଉଣୀ ମାୟାଙ୍କ ସହ ମଧ୍ୟ ଛଳ କରିଥିଲେ। ମାୟାଙ୍କ ସ୍ବାମୀ ବୈଜୟନ୍ତପୁରର ଶମ୍ଭର ରାଜା ଥିଲେ। ଥରେ ରାବଣ ଶମ୍ଭରଙ୍କ ନିକଟକୁ ଯାଇଥିଲେ। ସେଠାରେ ରାବଣ ତାଙ୍କ କଥାରେ ମାୟାଙ୍କୁ ଫସାଇଥିଲେ। ଏହା ଜାଣିବାରୁ ରାଜା ଶମ୍ଭର,ରାବଣଙ୍କୁ ବନ୍ଦୀ କରିଥିଲେ। ସେହି ସମୟରେ ଶମ୍ଭରଙ୍କୁ ଆକ୍ରମଣ କରିଥିଲେ ରାଜା ଦଶରଥ। ଏହି ଯୁଦ୍ଧରେ ରାଜା ଶମ୍ଭରଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ ମାୟା ସତୀ ହେବାକୁ ବାହାରିଥିଲେ ରାବଣ ତାଙ୍କୁ ନିଜ ସହ ଯିବାକୁ କହିଥିଲେ। ସେତେବେଳେ ମାୟା ତାଙ୍କୁ କହିଥିଲେ ଯେ ସେ ତାଙ୍କ ସତୀତ୍ବକୁ ଭଙ୍ଗ କରିବାକୁ ଚାହିଁଥିଲେ ସେଥିପାଇଁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ଅଭିଶାପ ଦେଇଥିଲେ ଯେ ରାବଣ ମଧ୍ୟ ସ୍ତ୍ରୀଙ୍କ ବାସନା ଯୋଗୁଁ ମୃତ୍ୟୁବରଣ କରିବେ।

{"id":170309}

ଥରେ ରାବଣ ନିଜ ପୁଷ୍ପକ ବିମାନରେ କୌଣସି ସ୍ଥାନକୁ ଯିବାବେଳେ ଏକ ସୁନ୍ଦରୀ ସ୍ତ୍ରୀଙ୍କୁ ଦେଖିଥିଲେ। ସେହି ସ୍ତ୍ରୀ ଭଗବାନ ବିଷ୍ଣୁଙ୍କୁ ସ୍ବାମୀ ଭାବେ ପାଇବା ପାଇଁ ତପସ୍ୟା କରୁଥିଲେ। ରାବଣ ତାଙ୍କ କେଶ ଧରିଥିଲେ ଏବଂ ନିଜ ସହ ଯିବାକୁ କହିଥିଲେ। ତପସ୍ବୀ ସେହି ସମୟରେ ଦେହତ୍ୟାଗ କରିଥିଲେ ଏବଂ ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଜଣେ ସ୍ତ୍ରୀଙ୍କ କାରଣରୁ ତାଙ୍କର ମୃତ୍ୟୁ ହେବ।

{"id":170310}

ରାବଣଙ୍କ ଭଉଣୀ ଶୂର୍ପଣଖାଙ୍କ ସ୍ବାମୀ ବିଦ୍ୟୁତଜିହ୍ବ ଥିଲେ। ସେ କାଳକେୟ ନାମକ ରାଜାଙ୍କ ସେନାପତି ଥିଲେ। ରାବଣ ଯେତେବେଳେ ବିଶ୍ବଯୁଦ୍ଧ ପାଇଁ ବାହାରିଥିଲେ ସେତେବେ​‌ଳେ କାଳକେୟଙ୍କ ସହିତ ତାଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ରାବଣ ,ବିଦ୍ୟୁତଜିହ୍ବଙ୍କ ବଧ କରିଥିଲେ। ଶୂର୍ପଣଖା ମନେ ମନେ ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ଶୂର୍ପଣଖାଙ୍କ ଯୋଗୁଁ ରାବଣଙ୍କ ସର୍ବନାଶ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.