Covid ସଂକଟରେ ଉଗ୍ର ଦାରିଦ୍ର୍ୟତା ବେଶ୍ୟାବୃତ୍ତିରେ ବୃଦ୍ଧି କରୁଛି ମହିଳାଙ୍କ ସଂଖ୍ୟା: କ୍ୟାମ୍ପେନ ଗ୍ରୁପ
9/01/2021 at 9:20 PM

ଲଣ୍ଡନ: କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ବାରମ୍ବାର ଲକଡାଉନ୍ ଲୋକଙ୍କ ରୋଜଗାର ଛଡାଇନେଇଛି। ଏଥିରେ ଅନେକ ଦେଶରେ ସରକାରଙ୍କ ନିଷ୍ଠୁର ଆର୍ଥିକ କଟକଣା ଲୋକଙ୍କୁ ଭୋକ ଉପାସରେ ଛାଡିଦେଇଛି। ହଜାରହଜାର ଲୋକେ ନିରାଶ୍ରୟ ହୋଇପଡିଥିବା ବେଳେ ପିଲାଙ୍କ ମୁହଁରେ ଦାନା ଦେବାକୁ ମହିଳାମାନେ ବେଶ୍ୟାବୃତ୍ତି ଆପଣେଇ ନେଉଥିବା ପ୍ରମୁଖ କ୍ୟାମ୍ପେନ ଗ୍ରୁପ ‘ଦି ଇଂଲିସ କଲେକ୍ଟିଭ ଅଫ ପ୍ରଷ୍ଟିଚ୍ୟୁଟସ୍’ ସୂଚିତ କରିବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ବେଶ୍ୟାବୃତ୍ତି ଭଳି ଏକ ଘୃଣ୍ୟ ବ୍ୟବସାୟରୁ ମହିଳାଙ୍କୁ ବାହାର କରିବା ଲାଗି କାର୍ଯ୍ୟ କରୁଥିବା ଏହି ଗ୍ରୁପ ଏକ ଅନୁଧ୍ୟାନରୁ ଶିକ୍ଷା କ୍ଷେତ୍ର, ହୋଟେଲ ଓ ଆତିଥେୟତା, ବ୍ୟୁଟିସିୟାନ, ହାଉସ୍ କିପିଂ ଆଦି ବୃତ୍ତିରେ ଥିବା ଅଧିକାଂଶ ମହିଳା ଏବେ ନୂଆକରି ବେଶ୍ୟାବୃତ୍ତିରେ ପାଦ ଥାପିଛନ୍ତି, ଫଳରେ କୁତ୍ସିତ ବୃତ୍ତିରେ ମହିଳାଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥିବା କ୍ୟାମ୍ପେନ୍ ସୂଚିତ କରଛି। ବିଶ୍ୱର ଅନେକ ଦେଶରେ ବେଶ୍ୟାବୃତ୍ତିକୁ ଅପରାଧ ବିଚାର କରାଯାଉଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ଏପରି ବୃତ୍ତିକୁ ଆଦରି ନେଇଥିବା ମହିଳା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କ୍ୟାମ୍ପେନ କହିଛି।

ଗତ ବସନ୍ତ ଋତୁରେ ପ୍ରଥମ କୋଭିଡ ଲକଡାଉନ୍ ହୋଇଥିଲା। ଲୋକେ ଭାବିଥିଲେ ସାମୟିକ ଛୁଟି। ହେଲେ ଧିରେ ଧିରେ ଅବଧି ସମ୍ପ୍ରସାରଣ ସହ ଲୋକଙ୍କ ସମସ୍ୟା ଆରମ୍ଭ ହୋଇଥିଲା। ପାଖରେ ସଞ୍ଚିତ ସରିଯିବା ପରେ ପ୍ରଥମେ ସେମାନଙ୍କ ମୁଣ୍ଡ ଉପରୁ ଆଶ୍ରା ହଟିଯାଇଥିଲା। ସେମାନେ ରାସ୍ତାକୁ ଚାଲିଆସିଥିବା ବେଳେ ପେଟର ଦାଉ ଅସମ୍ଭାଳ ହୋଇଥିଲା। ସେମାନଙ୍କ କହିବା କଥା ହେଲା ଆମେ ଏପରି ଦେଶରେ ରହୁଛେ ଯେଉଁଠି ବିଲ ପୈଠ କରିନପାରିଲେ ସେମାନେ ଆଉ ଏକ ବଡ ବୋଝ ମୁଣ୍ଡେଇ ଦିଅନ୍ତି। ଏଥିରେ ଯଦି ଆପଣଙ୍କର ଗୋଟେ ବା ଦୁଇଟି ପିଲା ଅଛନ୍ତି ତେବେ ଆପଣ କରିବେ କ’ଣ? ଯାଦୁକର ତ ନୁହନ୍ତି ! ଏଣୁ ଭିକ ମାଗିବେ ନଚେତ କାହାକୁ ଉଧାର ମାଗିବେ। ହେଲେ ଭିକ କି ଉଧାର ଦେବ କିଏ?

ସରକାର ଲକଡାଉନ ଘୋଷଣା କରି ନିଜ ଘରେ ରହିଗଲେ। କିଏ ରାସ୍ତାକୁ ଗଲେ ବା ଭୋକରେ ମଲେ ତାଙ୍କର ଯାଏ କି ଆସେନା। ସରକାର ଅନେକ ସୁବିଧା ସୁଯୋଗ ଘୋଷଣା କଲେ, ହେଲେ ୧୦ ଜଣରେ ୭ ଜଣ ଏଥିରୁ ବଞ୍ଚିତ ରହିଗଲେ। ସେମାନଙ୍କର କ’ଣ ହୁଏ କେହି ବି ଚିନ୍ତା କଲେନି। ଏଣୁ ବେଶ୍ୟାବୃତ୍ତି ଛଡା ଆଉ କ’ଣ କରାଯାଇ ପାରିଥାନ୍ତା ବୋଲି ଓଲଟି ସେମାନେ ପ୍ରଶ୍ନ କରୁଛନ୍ତି।

ପ୍ରଥମ ଲକଡାଉନ୍ ଏତେଟା ପ୍ରଭାବ ପକାଇନଥିଲା। ହେଲେ ନଭେମ୍ବର ଦ୍ୱିତୀୟ ଲକଡାଉନ୍ ଘୋଷଣା ପରିସ୍ଥିତିକୁ ଅସମ୍ଭାଳ କରିଦେଇଛି। ପ୍ରଥମ ଲକଡାଉନରେ ବୃତ୍ତି ହରାଇଥିବା ଲୋକେ ଦ୍ୱିତୀୟ ଲକଡାଉନ୍ ବେଳେ ରାସ୍ତାକୁ ଆସିଗଲେ। ଏଥିରେ ନୂଆ କରି ବେଶ୍ୟାବୃତ୍ତିକୁ ଆପଣାଇଥିବା ମହିଳା କେଉଁଠି ପୋଲିସ ହାତରେ ଧରାପଡିଲେ ସେମାନେ ନିଜ ଲାଗି ବଣ୍ଡ ମଧ୍ୟ ପୂରଣ କରିପାରୁନଥିବା ଦେଖାଯାଇଛି ବୋଲି କ୍ୟାମ୍ପେନ ଗ୍ରୁପ କହିବା ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି।

କ୍ୟାମ୍ପେନ ଗ୍ରୁପ ବିଶ୍ୱର ୧୦୦ରୁ ଊର୍ଦ୍ଧ୍ୱ ଦେଶରେ କରୋନାରେ ମହିଳାଙ୍କ ସ୍ଥିତି ନେଇ ସର୍ଭେକ୍ଷଣ କରିଥିଲା। ଯେଉଁଥିରେ ବୃହତ୍ତର ବିଶ୍ୱରେ କରୋନା ଭାଇରସ ମହାମାରୀ ମହିଳାଙ୍କୁ ବେଶ୍ୟାବୃତ୍ତିକୁ ଠେଲିଦେଇଥିବା ଜଣାପଡିଛି। ସରକାରଙ୍କ ଅଦୂରଦର୍ଶିତା ଓ ନୀତି ନିର୍ଣ୍ଣୟରେ ତ୍ରୁଟି ଏପରି ପରିସ୍ଥିତି ସୃଷ୍ଟି କରିଥିବା ବେଳେ ମହିଳାଙ୍କୁ ମରଣ ମୁହଁକୁ ଠେଲିଦେଇଛି। ଘର କାର୍ଯ୍ୟସହ ପରିବାରର ଆର୍ଥିକ ସହାୟତା ଲାଗି ଛୋଟମୋଟ କାମକରି ଆୟ କରୁଥିବା ମହିଳାଙ୍କ ହାତ ଶୁନ ହୋଇପଡିଥିବା ବେଳେ ଘରର ମୁଖ୍ୟ ଆୟକାରୀଙ୍କୁ କୋଭିଡ ଲକଡାଉନ୍ ବେକାର କରିଦେଇଛି। ଏଥିରେ ପିଲାଛୁଆଙ୍କ ଭରଣ ପୋଷଣ ଦୂରର କଥା ଏବେ ସେମାନଙ୍କ ମୁହଁରେ ଦାନାମୁଠେ ଦେବାକୁ ମହିଳା ଏପରି ବିପଦକୁ ବରଣ କରିନେଇଛନ୍ତି।

କୋଭିଡ-୧୯ ମହାମାରୀରେ ବେଶ୍ୟାବୃତ୍ତି ଏକ ବିପଦଜନକ ପେଷା। ଏଥିରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଗଲେ କେବଳ ମହିଳା ନୁହନ୍ତି ତାଙ୍କ ପୁରା ପରିବାର ସଂକ୍ରମିତ ହେବାର ସମ୍ଭାବନା ଥିବା ବେଳେ ଚିକିତ୍ସା ବାବଦ ଖର୍ଚ୍ଚ ମଧ୍ୟ କରିବାକୁ ସେମାନେ ଏବେ ସମର୍ଥ ନୁହନ୍ତି। ଏଣୁ ଏପରି ପରିସ୍ଥିତିରେ ସରକାରମାନେ ନୂଆ କରି ନୀତି ନିର୍ଣ୍ଣୟ କରିବା ଜରୁରି ହୋଇପଡିଥିବା ଗ୍ରୁପ କହିଛି।