ମୁସଲିମ ତଲାକୀ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ଗୃହ ହେଲା ସ୍ବଭାବିକ…

Published By : Prameya-News7 Bureau | August 02, 2019 IST

ଭୁବନେଶ୍ବର ୨|୮: ମୁସଲିମ ତଲାକୀ ମହିଳାଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ପାଇଁ ବିଧାନସଭାରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସେ କହିଛନ୍ତି ଯେ, ବିଭିନ୍ନ ଖବରକାଗଜ ଓ ସର୍ଭେ ରିପୋର୍ଟକୁ ଆଧାର କରି ସେ ଏଭଳି କହିଥିଲେ । ତେବେ ଗୋଟିଏ ସମ୍ପ୍ରଦାୟର ମହିଳାଙ୍କ ସମ୍ପର୍କରେ ଏଭଳି ଟିପ୍ପଣୀ ଦେବା ଅନୁଚିତ ବୋଲି ବିଷ୍ଣୁ ସ୍ବୀକାର କରିଛନ୍ତି । ତାଙ୍କ ବକ୍ତବ୍ୟ ଗୃହ ବିବରଣୀରୁ ବାଦ୍ ଦିଆଯାଉ ବୋଲି ମଧ୍ୟ ବିଷ୍ଣୁ ସେଠୀ କହିଛନ୍ତି ।

ଅପରପକ୍ଷରେ ବିଷ୍ଣୁଙ୍କ ଗତ କାଲିର ଏହି ବିବାଦୀୟ ମନ୍ତବ୍ୟକୁ ମିଡିଆରେ ପ୍ରକାଶ ନକରିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ତେବେ ବିଷ୍ଣୁଙ୍କ ମନ୍ତବ୍ୟ ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଛି । ସୂଚନାଯୋଗ୍ୟ ଯେ, ବିଷ୍ଣୁ ତଲକୀ ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବାପରେ କଂଗ୍ରେସ ଓ ବିଜେଡି ବିଧାୟକମାନେ ପ୍ରବଳ ବିରୋଧ କରିବା ସହ ବିଷ୍ଣୁଙ୍କଟିପ୍ପଣୀକୁ ଗୃହର ବିବରଣୀରୁ ବାଦ ଦେବା ପାଇଁ ଦାବି କରିଥିଲେ । ତେବେ ତାଙ୍କ ଟିପ୍ପଣୀ କାହିଁକି ଗୃହ ବିବରଣୀରୁ ବାଦ ଦିଆଯିବ ବୋଲି ବିଷ୍ଣୁ ପାଲଟା ପ୍ରଶ୍ନ କରିଥିଲେ ।

 ବିଷ୍ଣୁଙ୍କ ଗତକାଲିର ଟିପ୍ପଣୀକୁ ନେଇ ବିଧାନସଭା ବାହାରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗଣ ମାଧ୍ୟମରେ ବିଷ୍ଣୁଙ୍କ ମନ୍ତବ୍ୟ ପ୍ରକାଶ ପାଇବାପରେ ହଇଚଇ ମଧ୍ୟ ହୋଇଥିଲା । ଏହାପରେ ଯାଇ ବିଷ୍ଣୁ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ସଚେତନ ହୋଇଥିଲେ । ବିଷ୍ଣୁ କ୍ଷମା ନମାଗିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଥିଲେ ।

ବିଷ୍ଣୁ ସେଠୀଙ୍କ ବିବାଦୀୟ ବୟାନକୁ ନେଇ ଆଜି ପ୍ରଶ୍ନକାଳ ଚାଲିପାରନିଥିଲା । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଆଗରେ ହୋହାଲ୍ଲା ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି ରଖିଥିଲେ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, ନାରୀକୁ ବେଶ୍ୟା କହିବା ନାରୀ ସମାଜ ପ୍ରତି ଅସମ୍ମାନ । ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟକୁ ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତି ରୁଲିଂ ଦେବାକୁ କଂଗ୍ରେସ ଦାବି କରିଥିଲା ।

ସେପଟେ ବିଜେଡି ବିଧାୟକ ଅମର ଶତପଥୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦେବା ଦରକାର । କିନ୍ତୁ ଏହାକୁ ନେଇ ପ୍ରଶ୍ନକାଳକୁ ଅଚଳ କରିବା ଠିକ୍ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.