ଡେପୁଟୀ କଲେକ୍ଟରଙ୍କ ପରକୀୟା ପ୍ରୀତି : ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ, ପ୍ରତିବାଦ କରିବାରୁ ମାରିଲେ ମାଡ

Published By : Prameya-News7 Bureau | September 27, 2020 IST

ଝାରସୁଗୁଡା, ୨୭|୦୯:   ବଡ ଲୋକ ବଡ ଗୁମର କଥା । କିନ୍ତୁ ଜଣେ ବଡଲୋକଙ୍କ ଗୁମର ଖୋଲି ଦେଇଛନ୍ତି ହାତଧରି ବାହା ହୋଇଥିବା ପତ୍ନୀ । ବୌଦ୍ଧ ଡେପୁଟି କଲେକ୍ଟରଙ୍କ ପରକୀୟା ପ୍ରୀତିର ଗୁମର ଖୋଲିବାକୁ ଯାଇ ତାଙ୍କ ପତ୍ନୀ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ନେଇ ଝାରସୁଗୁଡା ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

ଓଏଏସ୍‌ ପତିଙ୍କ ପରକିୟା ପ୍ରୀତିକୁ ଧରିବାକୁ ଲୁଚି ଲୁଚି ମୋବାଇଲ୍ କ୍ୟାମେର୍‌ ଅନ୍‌ କରି ପହଞ୍ଚୁଛନ୍ତି ପତ୍ନୀ । ଆଉ ଏହି କୋଠରୀରେ ପତିଙ୍କୁ ପାଇ ତାଙ୍କୁ ଗାଳି କରିବା ଆରମ୍ଭ କରୁଛନ୍ତି । ଆଉ ଏହା ପରେ ସଂପୃକ୍ତ ମହିଳାଙ୍କ ମୋବାଇଲ୍‌ ଛଡାଇବାକୁ ପ୍ରୟାସ କରିବା ସହ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ପତିଦେବ ଓ କିଛି ବ୍ୟକ୍ତି ।

ଘଟଣା ଘଟିଛି ଝାରସୁଗୁଡାରେ । ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ୍‌, ପତ୍ନୀଙ୍କୁ କଟକ ଯାଉଥିବା କହି ପହଞ୍ଚିଥିଲେ ଝାରସୁଗୁଡାରେ । ଶରତ କଟକ ନଯାଇ ଝାରସୁଗୁଡାରେ ନିଜ ବାନ୍ଧବୀଙ୍କ ସହ ବୁଲୁଥିବା ଖବର ପାଇ ପିଛାକରିଥିଲେ ପତ୍ନୀ ଡାଲିଆ ଦେବନାଥ । ସେବି ତାଙ୍କ ପଛରେ ଆସି ପହଞ୍ଚିଥିଲେ ଝାରସୁଗୁଡାରେ । ଶରତ ବାଗ ମହିଳାଙ୍କ ପାଖରେ ଏକ ବେଡ୍‌ରେ ଗଡୁଥିବା ଦେଖି ପତ୍ନୀଙ୍କ ପାରା ମୁଣ୍ଡକୁ ଚଢି ଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଡାଲିଆ ଦେବନାଥ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ପତି ଶରତ ବାଗ୍‌, ତାଙ୍କ ବାନ୍ଧବୀ, ପତିଙ୍କ ଜଣେ ସଂପର୍କୀୟ ଓ ତାଙ୍କର କିଛି ବନ୍ଧୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ତେବେ କୌଶଳକ୍ରମେ ଡାଲିଆ ସେଠାରୁ ଖସିଆସି ବିଟିଏମ୍ ଫାଣ୍ଡିରେ ଏତଲା ଦେବା ସହ ଏସପିଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ | ତେବେ ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି। ପୂର୍ବରୁ ଶରତ ବାଗ୍‌ ବଲାଙ୍ଗିରରେ ଅବସ୍ଥାପିତ ଥିବାବେଳେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇ ଆସୁଛି । ଏନେଇ ଏକ ମାମଲା କୋର୍ଟରେ ମଧ୍ୟ ବିଚାରାଧୀନ ରହିଛି। ବର୍ତ୍ତମାନ ଡାଲିଆ ନିଜର ୩ ଝିଅଙ୍କ ସହ ବାପା ମା ଙ୍କ ନିକଟରେ ରହୁଛନ୍ତି । ୩ଟି ଝିଅ ଜନ୍ମ କରିବାରୁ ଓଏଏସ୍‌ ଅଧିକାରୀ ପତି, ସ୍ତ୍ରୀକୁ ନିର୍ଯାତନା ଦେବାସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଅଭିଯୋଗ ଉଠିଛି ।

ଏହି ଘଟଣାକୁ ନେଇ ଡେପୁଟି କଲେକ୍ଟର ଶରତ ବାଗଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପରକିୟା ପ୍ରୀତି ଘଟଣା ଝାରସୁଗୁଡା ସମେତ ବୌଦ୍ଧରେ ବେଶ ଚର୍ଚ୍ଚିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.