ଗଭୀର ଅବପାତରେ ପରିଣତ ହେଲା ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟ ଲଘୁଚାପ : ୨୪ଘଣ୍ଟାରେ ଘୂର୍ଣ୍ଣିବାତ୍ୟାର ରୂପ ନେବା ଆଶଙ୍କା
6/11/2019 at 11:28 AM

ଭୁବନେଶ୍ବର ୬।୧୧: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଏବେ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏବେ ଏହା ଉତ୍ତର ଆଣ୍ଡାମାନ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଛି ।
ଭାରତୀୟ ପାଣିପାଗ ବିଭାଗର ବୁଲେଟିନ୍ ଅନୁଯାୟୀ ଏହି ଅବପାତର ସ୍ଥିତି ପାରାଦୀପର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୧୦କିଲୋମିଟର ଦୂରରେ ରହିଛି । ୨୪ଘଣ୍ଟାରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ତେବେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଉତ୍ତରଓଡିଶାର ଆଖପାଖ ଅଞ୍ଚଳ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଆଡକୁ ଗତି କରୁଛି । ଆଜି ରାତି ସୁଦ୍ଧା ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଆସନ୍ତାକାଲି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ଏବଂ ୮ରୁ ୧୦ତାରିଖ ଭିତରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଅବପାତ ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ଧରି ଆଣ୍ଡାମାନର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତା ୯ତାରିଖରୁ ଓଡିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୮ ତାରିଖରେ ଓଡିଶା ଏବଂ ପଶ୍ଚିମବଙ୍ଗର ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୬୦କିଲୋମିଟର ରହିବ । ଏହାପରେ ପବନ ବେଗ ଧୀରେ ଧୀରେ ବଢିପାରେ । ଆସନ୍ତାକାଲିଠାରୁ ସମୁଦ୍ର ଅଶାନ୍ତ ରହିବ । ୯ ଏବଂ ୧୦ତାରିଖରେ ସମୁଦ୍ର ବେଶ ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।
ଓଡିଶା ଛୁଇଁବନି ସାମୁଦ୍ରିକ ଝଡ଼ । ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି । କେବଳ ଉପକୂଳ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ସାରା ରାଜ୍ୟରେ ବାତ୍ୟାକୁ ନେଇ ନାନା ମାତ୍ରାଧିକ ଚର୍ଚ୍ଚା ହେଉଥିବାରୁ ଲୋକଙ୍କୁ ଭୟଭୀତ ନ ହେବା ଲାଗି ସରକାର ପରାମର୍ଶ ଦେଇଛନ୍ତି । ବାତ୍ୟା ଓଡିଶା ନଛୁଇଁଲେ ବି ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୯ ତାରିଖ ଠାରୁ ବର୍ଷା ହେବାକୁ ଥିବାରୁ ଏସଆରସି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା, ଓ ମାଲକାନଗିରି ଆଦି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ।