ଆସନ୍ତା ୧୨ଘଣ୍ଟାରେ ବାତ୍ୟାର ରୂପ ନେବ ଲଘୁଚାପ, ପାରାଦୀପଠୁ ରହିଛି ୭୬୦କି.ମି. ଦୂରରେ

Published By : Prameya-News7 Bureau | December 03, 2021 IST

ଭୁବନେଶ୍ବର ୩୧୨: ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ । ଆସନ୍ତା ୧୨ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ । ଶନିବାର ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଶୁକ୍ରବାରଠୁ ବର୍ଷା ହେବ । ଗୋପାଳପୁରରୁ ଦକ୍ଷିଣ ପୂର୍ବ ଦିଗରେ ୬୭୦କି.ମି. ଏବଂ ପାରାଦୀପରୁ ୭୬୦କି.ମି. ଦୂରରେ ରହିଛି । ୩୦ କି.ମି. ବେଗରେ ଏହା ଗତି କରୁଛି । ପବନର ବେଗ ୮୦ରୁ ୯୦ ରହିବା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି ।

ଆଇଏମଡି ଅକଳନ କରିଥିଲା ଯେ, ଶୁକ୍ରବାରଠାରୁ କ୍ରମଶଃ ପାଗ ବଦଳିବ । ଦକ୍ଷିଣ ଓଡ଼ିଶା ଉପକୂଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସର୍ବାଧିକ ପ୍ରଭାବ ପଡ଼ିବ ଶନିବାର । ସାରା ଉପକୂଳରେ ବର୍ଷା ହେବ । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏମିତିକି ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ଅଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବାଲେଶ୍ବର, ଭଦ୍ରକ, ଯାଜପୁର ଓ ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ରବିବାର ଉତ୍ତର ଉପକୂଳରେ ଅଧିକ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସୋମବାର ଉତ୍ତର ଉପକୂଳରେ କେତେକ ଜାଗାରେ ବର୍ଷା ହେବ । କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ମଧ୍ୟରାତ୍ରିରୁ ସମୁଦ୍ର ଅଧିକ ଅଶାନ୍ତ ହୋଇ ଉଠିବ । ତେଣୁ ୫ ତାରିଖ ଯାଏଁ ସମୁଦ୍ର ଓ ଚିଲିକାରେ ମାଛ ଧରିବା ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.