କାକିନାଡା ଅତିକ୍ରମ କଲା ଭୀଷଣ ଅବପାତ : ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା, ଗଞ୍ଜାମ ପାତ୍ରପୁରରେ ପାହାଡରୁ ଖସିଲା ଅତଡା

Published By : Prameya-News7 Bureau | October 13, 2020 IST

ଭୁବନେଶ୍ୱର, ୧୩ ।୧୦:  ଆନ୍ଧ୍ରପ୍ରଦେଶ କାକିନାଡ଼ା ଅତିକ୍ରମ କଲା ଭୀଷଣ ଅବପାତ । ଏହା ଧିରେଧିରେ ୱେଲ୍‌ମାର୍କଡ୍‌ ଲୋ ପ୍ରେସରରେ ପରିଣତ ହେବା ସହ ପ୍ରଭାବହୀନ ହେଉଛି । ହେଲେ ଏଥିଯୋଗୁଁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି  । ବିଶେଷକରି ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଗଞ୍ଜାମ ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ପାହଡ ଧସିଛି ।  ପାତ୍ରପୁରର ୩ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

{"id":343893,"sizeSlug":"large"}

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ବିଭିଷିକା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିପ୍ରେସନ୍‌ ସକାଳେ ଆନ୍ଧ୍ର ପ୍ରଦେଶ କାକିନାଡା ଦେଇ ସ୍ଥଳଭାଗ ଅତିକ୍ରମ କରିଥିଲେ ବି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜବୀନ ଅସ୍ତବ୍ୟସ୍ତ ହୋଇଛି । ଏ ହେଉଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳର ଦୃଶ୍ୟ । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରୁ ମାଡ଼ି ଆସିଥିଲା ମାଟି କାଦୁଅ ଓ ପଥର । ପାହାଡ ପାଦଦେଶରେ ଥିବା ଘରଦ୍ବାର ଧୋଇ ନେଉଛି । ପାତ୍ରପୁର ବ୍ଲକର ଆଙ୍କୁଲି, ତୁମ୍ବା ଓ ବୁରାତାଲ ପଞ୍ଚାୟତରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷାର ପରମାଣ କମିଥିଲେ ବି ପାହାଡ ଉପରୁ ପାଣି ସ୍ରୋତ ଚାଲିଛି । ଫଳରେ ପାହାଡି ଅଞ୍ଚଳ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି । ବର୍ଷାକୁ ନେଇ ସ୍ଥାନୀୟ ଆଦିବାସୀ ଭୟଭୀତ ହୋଇଯାଇଛନ୍ତି ।

 ଗଞ୍ଜାମ ବଡ଼ଗଡ଼ ନିକଟରେ ନିର୍ମାଣଧୀନ ଜରଉ ନଦୀ ସେତୁର ଡାଇଭରସନ ଉପରେ ବର୍ଷା ଜଳ ଚାଲିଛି । ଫଳରେ ବଡ଼ଗଡ଼ ଠାରୁ ବ୍ରହ୍ମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାହାଡ ଉପରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । କାଶୀନଗର,ଗୁମ୍ମା,ରାୟଗଡ,ଓ ଗୋଶାଣି ବ୍ଲକର ପ୍ରାୟ ୫ଶହ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଛି ।କଟକ ବାଙ୍କୀ ଦୋଲଣାପୁର ଗାଁରେ ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ମୃତକ ହେଲେ ଲିପୁ ପରିଡା ଓ  ଧାଡ଼ିଆ ସାହୁ ।

ସେପଟେ ଆନ୍ଧ୍ରପ୍ରଦେଶରର କାକିନାଡ଼ା ଦେଇ ସକାଳେ ସ୍ଥଳଭାଗ ଅତିକ୍ରମ କରିଛି ଭୀଷଣ ଅବପାତ । ଏହି ସମୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବୋହିଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କେବଳ ଆଜି ପାଇଁ ଗଞ୍ଜାମ, ଗଜପତି, ରାୟଗଡା, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

ଗୋପାଳପୁର ବନ୍ଦରରେ ୩ ନମ୍ବର ସତର୍କ ସଂକେତ ଜାରି କରାଯାଇଥିବାବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.