ପାରାଦୀପଠାରୁ ୯୨୦କିଲୋମିଟର ଦୂରରେ ଅବପାତ : ୨୪ଘଣ୍ଟା ପରେ ସ୍ପଷ୍ଟ ହେବ ସ୍ଥିତି
5/11/2019 at 1:05 PM

ଭୁବନେଶ୍ବର ୫।୧୧: ଅବପାତର ରୂପନେଲା ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟ ଲଘୁଚାପ । ଏହା ଏବେ ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆଜି ସକାଳେ ଡିପ୍ରେସନ୍ ବା ଅବପାତରେ ପରିଣତ ହୋଇଛି ।
ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନ୍ ବା ସାମୁଦ୍ରିକ ଝଡବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା କେଉଁଠି ଅତିକ୍ରମ କରିବ ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ୨୪ ଘଣ୍ଟା ପରେ ବାସ୍ତବ ସ୍ଥିତି ଜଣାପଡିବ । ଏହା ପାରାଦୀପଠାରୁ ୯୨୦ କିଲୋମିଟର ଦୂରରେ ରହିଛି ।
ଏହାର ପ୍ରଭାବରେ ୯ ତାରିଖଠାରୁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୯ରୁ ୧୧ ତାରିଖ ମଧ୍ୟରେ ଉପକୂଳ ଓଡିଶା ସମେତ ଅଳ୍ପ କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବୋହିବା ସମ୍ଭାବନା । ଓଡିଶା ଉପକୂଳର ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ଅନ୍ୟପଟେ ଏହାକୁ ନେଇ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ସରକାର । ଏସଆରସି ସୂଚନା ଦେଇଛନ୍ତି ଯେ, ବତ୍ୟା ଓଡିଶା ଛୁଇଁବନି । ଏଥିପାଇଁ ଲୋକେ ଆତଙ୍କିତ ନହେବା ଦରକାର ।