ଶପଥ ଗ୍ରହଣ ପରେ ପରେ ଘୋଷଣା ହେବ ମନ୍ତ୍ରୀମାନଙ୍କ ବିଭାଗ, ମନ୍ତ୍ରୀ ପରିଷଦ ବୈଠକରେ ବିଜେଡି ଇସ୍ତାହାରକୁ ମିଳିବ ଅନୁମୋଦନ

Published By : Prameya-News7 Bureau | May 29, 2019 IST

ଭୁବନେଶ୍ବର ୨୯|୫: ଶପଥ ଗ୍ରହଣ ପରେ ପରେ ମନ୍ତ୍ରୀମାନଙ୍କ ବିଭାଗ ଘୋଷଣା ହେବ । ଚଳିତ ଥର ୧୧ଜଣ ମନ୍ତ୍ରୀ କ୍ୟାବିନେଟ୍ ପାହ୍ୟା ଓ ୯ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କିନ୍ତୁ କାହାକୁ କେଉଁ ବିଭାଗ ମିଳିଛି ତାହା ଘୋଷଣା ହୋଇନାହିଁ । ଯଦିଓ କାହାକୁ କେଉଁ ମନ୍ତ୍ରୀ କରାଯିବ ତାହା ନବୀନ ସ୍ଥିର କରିସାରିଛନ୍ତି କିନ୍ତୁ ପ୍ରକାଶ କରିନାହାନ୍ତି । ଶପଥ ଗ୍ରହଣ ଉତ୍ସବ ପରେ ପରେ ବିଭାଗ ଘୋଷଣା ହେବ ।

ଏହାପରେ ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ରେ ନବ ଗଠିତ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ନିର୍ବାଚନ ପୂର୍ବରୁ ବିଜେଡି ଜାରି କରିଥିବା ଇସ୍ତାହାରକୁ ସରକାର ନିଜ ଏଜେଣ୍ଡା ଭାବେ ଗ୍ରହଣ କରିବେ । ଏହାକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିବ । ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ଜାରି କରିଥିବା ଇସ୍ତାହାରକୁ ସରକାର ଏଜେଣ୍ଡା ଭାବେ ଗ୍ରହମ କରି ପ୍ରତ୍ୟେକ ପ୍ରତିଶ୍ରୁତିକୁ ପାଳନ କରିଥିଲେ ।

ଚଳିତ ଥର ବିଜେଡି ଦେଇଥିବା ଇସ୍ତାହାରରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ପ୍ରମୁଖ ପ୍ରତିଶ୍ରୁତି ରହିଛି । ଶପଥ ଗ୍ରହଣ କରିବା ପରେ ପରେ ସହାୟତା ପାଇନଥିବା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବେ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ସେହିଭଳି କ୍ଷମତାକୁ ଆସିଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ୫ହଜାର କୋଟି ଟଙ୍କାର ସରକାରୀ କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ବିଜେଡି ପ୍ରତିଶ୍ରୁତି ଦେଇଥିଲା । ଏଥିସହ ପ୍ରତ୍ୟେକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ବିନା ସୁଧରେ ୫ଲକ୍ଷ ଟଙ୍କା ଲେଖାଏଁ ଋଣ ଦିଆଯିବ ବୋଲି  ମଧ୍ୟ ଦଳ ପ୍ରତିଶ୍ରୁତି ଦେଇଥିଲା । ଏହା ବ୍ୟତୀତ ବିବାହ ବେଳେ ଯୁବତୀମାନଙ୍କୁ ଆର୍ଥିକ ସହାୟତା ଲାଗି ବିଜେଡି ପ୍ରତିଶ୍ରୁତି ରଖିଥିଲା । ଆଜି ମନ୍ତ୍ରୀ ପରିଷଦ ବୈଠକରେ ଏହିସବୁ ପ୍ରତିଶ୍ରୁତିକୁ ସରକାରୀ ଏଜେଣ୍ଡା ଭାବେ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.