ସାବଧାନ ! ଚେକ୍ ବାଉନ୍ସ ସମ୍ପର୍କିତ ଆଇନ ବଦଳାଇବା ଲାଗି ବିଚାର କରୁଛନ୍ତି ସରକାର
10/06/2020 at 4:19 PM

ନୂଆଦିଲ୍ଲୀ ୧୦।୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆର୍ଥିକ କ୍ଷେତ୍ର ସମ୍ପର୍କିତ ଆଇନ ପରିବର୍ତ୍ତନ ଲାଗି ବିଚାର କରୁଥିବାର ଜଣାପଡିଛି। ଚେକ୍ ବାଉନ୍ସ ଭଳି ଘଟଣାକୁ ଏବେ କେବଳ ଅପରାଧ ନ ଭାବି ଏପରି କରିଥିବା ବ୍ୟକ୍ତି ବିରୋଧରେ ଜରିମାନା ସାଙ୍ଗକୁ ଦଣ୍ଡ ବିଧାନର ବ୍ୟବସ୍ଥା ଲାଗି ସରକାର ଚିନ୍ତା କରୁଛନ୍ତି। ଏଣୁ ଫାଇନାନ୍ସ ସର୍ଭିସେସ୍ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ, ରିଜର୍ଭ ବ୍ୟାଙ୍କ ଅଧିନିୟମ, ବୀମା ଅଧିନିୟମ ଓ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଭଳି ୩୯ଟି ଆର୍ଥିକ ଆଇନକୁ ବୈଧିକରଣ କରିବାକୁ ସର୍ବସାଧାରଣଙ୍କ ମତାମତ ଲୋଡିଛନ୍ତି।

ସରକାର ବ୍ୟବସାୟୀକ ଶରଳତା (ଇଜ୍ ଅଫ ଡୁଇଂ ବିଜନେସ୍) ଲାଗି ଅନେକ ଆଇନରେ ପରିବର୍ତ୍ତନ ଲାଗି ବିଚାର କରୁଛନ୍ତି। ଏହାଦ୍ୱାରା ବ୍ୟବସାୟୀଙ୍କୁ କୋର୍ଟ କଚେରୀରୁ ରିହାତି ମିଳିବା ସହ ସମସ୍ୟାର ସୁଗମ ସମାଧାନ ହେବ। ଆଇନର ଜଟିଳ ପ୍ରକ୍ରିୟା ବ୍ୟବସାୟୀଙ୍କ ସମୟ ଅପଚୟ କରୁଛି। ଏଣୁ ସରକାର ଏପରି ଆଇନରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ସରକାର ସୂଚିତ କରିଛନ୍ତି। ଗତ ଫେବୃଆରୀ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନା କରିବା ବେଳେ ଏ ନେଇ ସୂଚନା ଦେଇଥିଲେ।

ପୂର୍ବରୁ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ୧୮୮୧ରେ କୌଣସି ବ୍ୟକ୍ତି ଦେଇଥିବା ଚେକ୍ ବାଉନ୍ସ ହେଲେ ତାଙ୍କୁ ୩୦ ଦିନ ମଧ୍ୟରେ ଲିଗାଲ ନୋଟିସ୍ କରିବାକୁ ପଡୁଥିଲା। ଏବେ ନୂଆ ଆଇନରେ ନୋଟିସ୍ ମିଳିବାର ୧୫ ଦିନ ମଧ୍ୟରେ ମାମଲାର ସମାଧାନ ଜରୁରି କରିଦିଆଯିବ। ଏଥିରେ ବ୍ୟତିକ୍ରମ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନର ଆଶ୍ରୟ ନିଆଯିବାର ବ୍ୟବସ୍ଥା ହେବାକୁ ଥିବା ବେଳେ ଦଣ୍ଡର ମଧ୍ୟ ପ୍ରାବଧାନ ରହିବ।