ପାଇଖାନା ଟାଙ୍କି ସଫା ବେଳେ ଜଣଙ୍କ ପରେ ଜଣେ ଚାଲିଗଲା ୬ ଜଣଙ୍କ ଜୀବନ, ମୃତକଙ୍କ ମଧ୍ୟରେ ଦୁଇ ଭାଇ ଓ ୩ ଶ୍ରମିକ

Published By : Prameya-News7 Bureau | August 09, 2020 IST

ଦେଓଘର ୦୯।୦୮: ଝାଡଖଣ୍ଡର ଦେଓଘର ଜିଲ୍ଲାରେ ରବିବାର ଏକ ବଡ ଘଟଣା ସାମ୍ନାକୁ  ଆସିଛି। ପାଇଖାନା ଟାଙ୍କି ସଫା କରିବା ବେଳେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପୂରା ଇଲାକାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଏହି ଘଟଣା ଦେଓଘରର ଦେବୀପୁର ଅଞ୍ଚଳରେ ଘଟିଛି। କୁହାଯାଉଛି ଏକ କୋଠାରେ ନିର୍ମାଣଧୀନ ପାଇଖାନା ଟାଙ୍କି ଭିତରେ ପସି ଜଣେ ଶ୍ରମିକ କାମ କରୁଥିଲେ। ହେଲେ କିଛି ସମୟ ପରେ ସେ ବେହୋସ ହୋଇ ଯାଇଥିଲେ। ସେ ବାହାରକୁ ନଆସିବାରୁ ତାଙ୍କୁ ବଞ୍ଚାଇବା ପାଇଁ କାମ କରାଉଥିବା ଠିକାଦାର ଏବଂ ତାଙ୍କର ଅନ୍ୟ ଦୁଇ ଶ୍ରମିକ ମଧ୍ୟ ଟାଙ୍କି ଭିତରକୁ ଯାଇଥିଲେ। ହେଲେ ସେମାନେ ମଧ୍ୟ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ବେହୋସ ହୋଇ ଟାଙ୍କିରେ ଫସି ଯାଇଥିଲେ। ଅଚେତ ହୋଇ ପଡିଥିବା ଏହି ଲୋକମାନଙ୍କୁ ବଞ୍ଚାଇବା ପାଇଁ ଶୌଚାଳୟର କାମ କରାଉଥିବା ଦୁଇ ଭାଇ ବ୍ରଜେଶ ବରନଓ୍ଵାଲ ଓ ମିଥଲେଶ ବରନଓ୍ଵାଲ ମଧ୍ୟ ଟାଙ୍କି ଭିତରକୁ ପଶିଥିଲେ। ଏହି ପରି ଦେଖୁ ଦେଖୁ ଛଅ ଜଣ ଟାଙ୍କି ଭିତରେ  ବେହୋସ୍ ହୋଇ ଫସି ଯାଇଥିଲେ।

{"id":312094,"sizeSlug":"large"}

ଶୌଚାଳୟରେ ଲୋକେ ଫସି ରହିବା ପରେ ତୁରନ୍ତ ଜେସିବି ଡକାଯାଇଥିଲା। ଏହାରି ଜରିଆରେ ଟାଙ୍କି ଭାଙ୍ଗି ଛଅ ଜଣଙ୍କୁ ବାହାର କରାଯାଇଥିଲା। ସମସ୍ତଙ୍କୁ ଆମ୍ବୁଲାନ୍ସ ଜରିଆରେ ଦେଓଘର ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତରଖାନାରେ ଡାକ୍ତର ସମସ୍ତ ଛଅ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇବା ସହ ଶୋକର ଛାୟା ଖେଳାଇ ଦେଇଛି। ଦେଓଘର ଡେପୁଟୀ କମିଶନର ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିଜନକୁ କ୍ଷତିପୂରଣ ଯୋଗାଇ ଦେବା କଥା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.