ଲକଡାଉନ୍ ଯୋଗୁଁ ଗାଡ଼ି ନମିଳିବାରୁ ୭କିମି ପାଦରେ ଚାଲିଚାଲି ଶେଷରେ ରାସ୍ତା କଡ଼ରେ ଜନ୍ମ କଲେ ମହିଳା : ଦେବଦୂତ ସାଜି ନବଜାତ ଶିଶୁ ଓ ମହିଳାଙ୍କ ଜୀବନ ବଞ୍ଚାଇଲେ ଡେଣ୍ଟିଷ୍ଟ

Published By : Prameya-News7 Bureau | April 22, 2020 IST

ବେଙ୍ଗାଲୁରୁ ୨୨/୪: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ହସ୍ପିଟାଲ ସନ୍ଧାନରେ ୭କିଲୋମିଟର ଯାଏଁ ଚାଲିଚାଲି ଯିବା ପରେ ପ୍ରସବ ପୀଡ଼ା ହେବାରୁ ଫୁଟପାଥରେ ଜନ୍ମ ଦେଇଥିବା ମହିଳା ଏବଂ ତାଙ୍କ ନବଜାତକୁ ଏକ ସ୍ଥାନୀୟ ଦନ୍ତ ଚିକିତ୍ସକ ଜୀବନ ବଞ୍ଚାଇଥିଲେ। ଏହି ଘଟଣାଟି ହେଉଛି ଅପ୍ରେଲ୍ ୧୪ତାରିଖର। କିନ୍ତୁ ଏହି ଘଟଣା ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ଦନ୍ତ ଚିକିତ୍ସକ ରାମ୍ୟା ହିମାନିଶଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଇଥିଲା। ରାମ୍ୟା ଡୋଡା ବୋମ୍ମାସନ୍ଦ୍ରରେ ଡେଣ୍ଟାଲ୍ କ୍ଲିନିକ୍ ଚଲାନ୍ତି।

ପ୍ରବାସୀ ଶ୍ରମିକ ଶାନ୍ତି ହସ୍ପିଟାଲ ଖୋଜି ୭କିଲୋମିଟର ଚାଲି ଚାଲି ଯାଇଥିଲେ କିନ୍ତୁ ସେହି ସମୟରେ ପ୍ରସବ ପୀଡ଼ା ଆରମ୍ଭ ହେବାରୁ ସେ କ୍ଲିନିକ୍ ନିକଟରେ ଥିବା ଫୁଟପାଥରେ ଶିଶୁକୁ ଜନ୍ମ ଦେଇଥିଲେ। ଡେଣ୍ଟାଲ୍ କ୍ଲିନିକ୍ ସେହି ସମୟରେ ଖୋଲିନଥିଲା। ଜନ୍ମ ପରେ ଯେତେବେଳେ ଶିଶୁ ହଲଚଲ୍ କରିନଥିଲା ସେତେବେଳେ ମହିଳାଙ୍କ ସ୍ବାମୀ ଶିଶୁକୁ ମୃତ ଭାବି ଖବରକାଗଜରେ ଘୋଡ଼ାଇ ଦେଇଥିଲେ। ପରେ ଡେଣ୍ଟିଷ୍ଟ ମହିଳାଙ୍କୁ ରାସ୍ତାରେ ଶୋଇଥିବାର ଦେଖିଥିଲେ ଏବଂ ତାଙ୍କ ନିକଟରେ ରକ୍ତସ୍ରାବ ହୋଇଥିବାର ମଧ୍ୟ ଦେଖିଥିଲେ। ଯାହା ପରେ ସେ ତାଙ୍କୁ କ୍ଲିନିକକୁ ନେଇ ଆସିଥିଲେ।

ରାମ୍ୟା ପିଟିଆଇକୁ କହିଥିଲେ,‘ ଯେତେବେଳେ ସେ ସେଠାକୁ ଗଲେ ଦେଖିଲେ ଯେ ମହିଳାଙ୍କ ରକ୍ତସ୍ରାବ ହେଉଛି। ସେ ତାଙ୍କୁ କ୍ଲିନିକ୍ ଭିତରକୁ ଆଣି ତାଙ୍କର ଚିକିତ୍ସା କରିଥିଲେ। ଏହା ପରେ ସେ ଶିଶୁର ଯାଞ୍ଚ କରିଥିଲେ। ଅଳ୍ପ ଉଦ୍ୟମ କରିବା ପରେ ଶିଶୁଠାରେ ଜୀବନ ଆସିଥିଲା। ପରେ ଦନ୍ତ ଚିକିତ୍ସକ ଆମ୍ବୁଲାନ୍ସ ଡକାଇ ମହିଳାଙ୍କୁ ନବଜାତ ସହ ଯାଞ୍ଚ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.