ଆସନ୍ତା ୭ ତାରିଖରୁ ଉପକୂଳରେ ଘନ କୁହୁଡି, ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ କୁଆପଥର ସହ ବର୍ଷା
6/02/2019 at 10:02 AM

ଭୁବନେଶ୍ବର ୬|୨: ଆସନ୍ତା ୭ ତାରିଖରୁ ୯ ତାରିଖ ମଧ୍ୟରେ ଉପକୂଳ ଓଡିଶାରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ୮ ରୁ ୯ ତାରିଖ ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଦେବଗଡ, ବଲାଙ୍ଗୀର, ସୋନପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଏବଂ ଯାଜପୁର ପ୍ରଭୃତି ଜିଲ୍ଲାଗୁଡ଼ିକରେ ଫେବୃୟାରୀ ୮ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି ।
ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ଉଭୟ ଦିନ ଏବଂ ରାତିର ତାପମାତ୍ରା ଫେବୃୟାରୀ ୭ ତାରିଖ ପର୍ଯ୍ୟନ୍ତ ବଢ଼ିପାରେ । ତେବେ ଏହା ପରେ ବର୍ଷା ହେବା ଯୋଗୁଁ ତାପମାତ୍ରା କମିବା ସହ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି । ଫେବୃୟାରୀ ୧୦ ରୁ ୧୨ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିପାରେ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି ।