ଡେଙ୍ଗୁ ଭଳି କୋଭିଡରେ ନଷ୍ଟ ହେଉଛି ପ୍ଲେଟଲେଟ୍ସ, ଚିନ୍ତାରେ ଡାକ୍ତର

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧।୧୦: କରୋନା ଭାଇରସ୍‌ ଫୁସଫୁସ୍‌ ସମେତ ଆକ୍ରାନ୍ତଙ୍କ ରକ୍ତକୁ ମଧ୍ୟ ପ୍ରଭାବିତ କରୁଛି।  କରୋନା ଆକ୍ରାନ୍ତଙ୍କ ରକ୍ତରେ ପ୍ଲେଟଲେଟ୍‌ସ ହ୍ରସ ହେଉଥିବାର ପ୍ରଥମଥର ଜଣାପଡିଥିବା ବେଳେ ଏହା ଏବେ ଡାକ୍ତରଙ୍କ ଚିନ୍ତା ବଢାଇଦେଇଛି। ମୌସୁମୀ ମଧ୍ୟଭାଗରେ ଡେଙ୍ଗୁ ବ୍ୟାପିଥାଏ। ମସା କାମୁଡିବା ଯୋଗୁ ହେଉଥିବା ଜ୍ୱରରେ ଆକ୍ରାନ୍ତଙ୍କ ରକ୍ତରେ ପ୍ଲେଟଲେଟ୍‌ସ ହ୍ରାସ କରିଥାଏ। ତେବେ କରୋନା ଆକ୍ରାନ୍ତ ରୋଗୀଙ୍କ ରକ୍ତରେ ମଧ୍ୟ ପ୍ଲେଟଲେଟସ୍‌ ହ୍ରାସ ହେଉଥିବା ଡାକ୍ତରମାନେ କହିଛନ୍ତି।

କରୋନା ଅସୁସ୍ଥଙ୍କ ସିବିସି( କମ୍ପ୍ଲିଟ ବ୍ଲଡ କାଉଣ୍ଟ) ଯାଞ୍ଚ ପରେ ଡାକ୍ତରମାନେ ଏହା ଜାଣିବାକୁ ପାଇଛନ୍ତି। ଏଣୁ ଡାକ୍ତରମାନେ ୩ରୁ ୪ ଦିନ ଜ୍ୱର ଲାଗି ରହିଲେ କରୋନା ସହ ଡେଙ୍ଗୁ ଯାଞ୍ଚ ଲାଗି ମଧ୍ୟ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏଣୁ ଯେଉଁ ରୋଗୀଙ୍କ ଠାରେ ପ୍ଲେଟଲେଟ୍‌ସ ହ୍ରାସ ଦେଖାଯାଉଛି ଡାକ୍ତରଙ୍କ ପ୍ରଥମ ସନ୍ଦେହ ଡେଙ୍ଗୁ ଆଡକୁ ଯାଉଛି।

ତେବେ କେତେକ କରୋନା ଆକ୍ରାନ୍ତ ଯେଉଁମାନଙ୍କଠାରେ ପ୍ଲେଟଲେଟ୍‌ସ ହ୍ରାସ ହୋଇଛି ସେମାନଙ୍କ ଡେଙ୍ଗୁ ଯାଞ୍ଚ କରାଯିବାରେ ରିପୋର୍ଟ ନେଗେଟିଭ ଆସିଛି। ଯାହା କରୋନାରେ ଲୋକଙ୍କୁ ଡେଙ୍ଗୁ ଲାଗି ଆତଙ୍କିତ କରିଛି। ଏଣୁ ଜ୍ୱର ହେଉଥିବା ରୋଗୀଙ୍କ ସିବିସି କରାଇବା ଡାକ୍ତରଙ୍କ ଲାଗି ଜରୁରି ହୋଇପଡିଛି। ଯାହା ଦ୍ୱାରା ଉପଯୁକ୍ତ ସମୟରେ ପ୍ଲେଟଲେଟ୍‌ସ ହ୍ରାସକୁ ରୋକାଯାଇପାରିବ ବୋଲି ଡାକ୍ତରମାନେ କହିଛନ୍ତି।

ଉତ୍ତର ପ୍ରଦେଶ ଗୋରଖପୁର ଜିଲ୍ଲା ହସ୍ପିଟାଲରେ ଡକ୍ତରମାନେ କରୋନା ଆକ୍ରାନ୍ତଙ୍କଠାରେ ଏପରି ଲକ୍ଷଣ ଦେଖିବାକୁ ପାଇଛନ୍ତି। ହସ୍ପିଟାଲର ଡାକ୍ତର ରାଜେଶ କୁମାର ଏହା କହିଛନ୍ତି। ସାଧାରଣ ଥଣ୍ଡା ଓ ଜ୍ୱରରେ ଲୋକଙ୍କ ବ୍ଲଡପ୍ଲେଟଲେଟସ୍‌ ହ୍ରାସ ବାସ୍ତବିକ ଚିନ୍ତାଜନକ ବୋଲି ସେ କହିଛନ୍ତି। ତେବେ ଫିଜିକ୍ସିଆନ ଡା. ସଞ୍ଜୀବ ଗୁପ୍ତାଙ୍କ ଅନୁସାରେ କରୋନା ଆକ୍ରାନ୍ତ ଜ୍ୱରରେ ପୀଡିତ ହୋଇଥାନ୍ତି। ଏଥିଯୋଗୁ ରକ୍ତ ଜମାଟ ହୁଏ, ଏଣୁ ଡାକ୍ତର ଏଥିପାଇଁ ଯେଉଁ ଔଷଧ ଦେଉଛନ୍ତି ଏହା ତାର ପାର୍ଶ୍ୱ ପ୍ରତିକ୍ରିୟା ବି ହୋଇପାରେ ବୋଲି ସେ କହିଛନ୍ତି। ଏଣୁ ଏପରି ଲକ୍ଷଣ ଦେଖାଉଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସାବଧାନତା ଅବଲମ୍ବନ କରିବା ଜରୁରି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.