Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ମଧ୍ୟ ବଡ଼ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ ହୋଇପାରିଲାନାହିଁ, ପୁରୀ ସୁରକ୍ଷା ମଞ୍ଚ କହିଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ…

4/09/2019 at 5:16 PM

ପୁରୀ ୪|୯: ପୁରୀରେ ଆଜି ମଧ୍ୟ ବଡ଼ଆଖଡ଼ା ମଠ ଉଛେଦ ଆରମ୍ଭ ହୋଇପାରିନାହିଁ। ତେବେ ଶ୍ରୀମନ୍ଦିର ମେଘନାଦ ପାଚେରୀ ୭୫ ମିଟର ପରଧି ମଧ୍ୟରେ ଅସୁରକ୍ଷିତ ଘର, କୋଠା ଓ ମଠ ଉଛେଦ କାର୍ଯ୍ୟ ଜାରୀ ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃlତ୍ବରେ ପୁରୀ ସୁରକ୍ଷା ମଞ୍ଚର ୧୫ ଜଣିଆ କମିଟି ପ୍ରଶାସନ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରିନାହିଁ।   

ଦୁଇଦିନ ବନ୍ଦ ରହିବା ପରେ ଗତକାଲି ବଡ଼ଆଖଡ଼ା ମଠ ଭାଙ୍ଗିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା। ତେବେ ମଠ ମହନ୍ତଙ୍କ ସହ ଅନ୍ୟ କିଛି ମଠାଧିଶ ଅସନ୍ତୋଷ ପ୍ରକାଶ କରିବାରୁ ଗତକାଲି ଠାରୁ ଉଛେଦ ଆରମ୍ଭ ହୋଇପାରିନାହିଁ। ଜିଲ୍ଲାପାଳ ଦୁଇ ପର୍ଯ୍ୟାୟରେ ମଠ ମହନ୍ତଙ୍କ ସହ ଆଲୋଚନା କରିଥିବା ବେଳେ ସାମୟିକ ସମୟ ପାଇଁ ଏହି ମଠ ଭଙ୍ଗା ବନ୍ଦ ରହିଛି।

ଏଥିସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବୁଦ୍ଧିଜୀବି, ଆଇନଜୀବି ଓ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ନେଇ ଗଠିତ ପୁରୀ ସୁରକ୍ଷା ମଂଚର ୧୫ଜଣିଆ କମିଟି ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ଆଲୋଚନା ଫଳପ୍ରଦ ହୋଇଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଅଧିକ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ବୋଲି ବିଧାୟକ କହିଛନ୍ତି। କମିଟିର ଅନ୍ୟ ସଦସ୍ୟ କିନ୍ତୁ ଆଲୋଚନା ଫଳପ୍ରଦ ହୋଇନଥିବା କହିଛନ୍ତି।

୭୫ ମିଟର ଉଛେଦର ବ୍ଲୁ ପ୍ରିଣ୍ଟ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା, ଆଇନଗତ ପ୍ରକ୍ରିୟାରେ ଭଙ୍ଗା କାର୍ଯ୍ୟ କରିବା ଏବଂ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଥଇଥାନ ନକରିବା ପର୍ଯ୍ୟନ୍ତ ଉଛେଦ କାର୍ଯ୍ୟ ବନ୍ଦ ର‌ଖିବାକୁ ସୁରକ୍ଷା ମଂଚ ଦାବୀ କରିଛି। ଏହାସତ୍ତ୍ବେ ଉଛେଦ କାର୍ଯ୍ୟ କରାଗଲେ ମଂଚ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛି।

ତେବେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ପ୍ରାଚୀନ ଓ ଐତିହ୍ୟ ସଂପନ୍ନ ମଠର ଗାଦି, ବିଜେସ୍ଥଳୀ ଓ ମନ୍ଦିରକୁ ସଂରକ୍ଷିତ କରି ରଖାଯିବା ସହ ଅଧିକ ସୁନ୍ଦର କରାଯିବ। କେବଳ ସୁରକ୍ଷା ଜୋନରେ ୭୫ ମିଟର ଆସୁଥିବା ବିପଦଶଙ୍କୁଳ ଘର, କୋଠା, ମଠ ଓ ଦୋକାନ ଗୁଡ଼ିକୁ ଭଙ୍ଗାଯିବ। ଉଛେଦ ପ୍ରକ୍ରୀୟା ଜାରୀ ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।                         

ଉଛେଦ କାର୍ଯ୍ୟ ପୁନଃ କେବେ ଆରମ୍ଭ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ବାକିଥିବା ଏମାର ମଠର ବିପଦଶଙ୍କୁଳ କୋଠା ଓ ବଡ଼ଆଖଡ଼ା ମଠ ଉଛେଦ ପରେ ପ୍ରଶାସନ ପରବର୍ତ୍ତୀ ପଦକ୍ଷେପ ନେବ।   

   Related Posts