‘ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମାଗଣାରେ କରୋନା ଟିକା ଉପଲବ୍ଧ କରାଇବି’- ଜୋ ବିଡେନ

Published By : Prameya-News7 Bureau | October 24, 2020 IST

ଓ୍ବାଶିଂଟନ୍ ୨୪/୧୦: ଭାରତ ଓ ଆମେରିକାରେ ଚାଲିଛି ଏବେ ନିର୍ବାଚନୀ ଋତୁ। କରୋନା ଭାଇରସ ମହାମାରୀ ଭିତରେ ହେଉଥିବା ଏ ନିର୍ବାଚନରେ ଏବେ କରୋନା​ ଟିକା ପ୍ରତିଶ୍ରୁତି ଉପରେ ଭୋଟ୍ ହାସଲରେ ଅଣ୍ଟାଭିଡ଼ିଛନ୍ତି ପ୍ରାର୍ଥୀ। କରୋନା ଟିକାକୁ ନେଇ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା ଚାଲିଛି। ଡେମୋକ୍ରେଟ୍ ପ୍ରାର୍ଥୀ ଜୋ ବିଡେନ ମଧ୍ୟ ଏଭଳି କିଛି କହିଥିବା ଜଣାପଡ଼ିଛି। ସେ କହିଛନ୍ତି ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଜିତିଲେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଉପଲବ୍ଧ କରାଇବେ। ଏଭଳି ଅନୁରୂପ ପ୍ରତିଶ୍ରୁତି ମଧ୍ୟ ବିହାର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳୁଛି। ତେବେ ଏ ପ୍ରତିଶ୍ରୁତି ବିଜେପି ସେଠାରେ ଦେଖାଇଛି।

ଶୁକ୍ରବାର ବିଡେନ ଡେଲାଭେୟରରେ ଏକ ରାଲିକୁ ସମ୍ବୋଧନ କରିଥିଲେ। ସେଠାରେ ସେ ସମର୍ଥକଙ୍କୁ କହିଥିଲେ ଥରେ ପ୍ରଭାବି ଓ ସୁରକ୍ଷିତ ଭାକସିନ ଆସିଗଲେ ତାପରେ ସମସ୍ତଙ୍କୁ ମାଗଣାରେ ଦିଆଯିବ। ଆମେରିକା ନିର୍ବାଚନକୁ ୧୦ ଦିନ ବାକି ରହିଛି। ଯଦି ହ୍ବାଇଟ ହାଉସ ପହଞ୍ଚି ଯାଆନ୍ତି ତେବେ କିଭଳି ପ୍ରଶାନସନ କରୋନାର ସାମ୍ନା କରିବ ସେ କଥା ମଧ୍ୟ ଲୋକଙ୍କ ସାମ୍ନାରେ ରଖିଥିଲେ। ଏହା ସହ ସେ ମାଗଣା ଟିକା ପ୍ରତିଶ୍ରୁତି ଲୋକଙ୍କୁ ଦେଇଥିଲେ।

କେବଳ ବିଡେନ ନୁହନ୍ତି ଟ୍ରମ୍ପ ମଧ୍ୟ ଭାକସିନ ଉପରେ ଜୋର ଦେଇଛନ୍ତି। ସେ ମଧ୍ୟ ନିର୍ବାଚନର ଶେଷ ବିତର୍କରେ କହିଛନ୍ତି କିଛି ଦିନ ମଧ୍ୟରେ ଭାକସିନ ପ୍ରସ୍ତୁତ ହୋଇଯିବ ଓ ଲୋକଙ୍କୁ ମାଗଣାରେ ଦିଆଯିବ। ତେବେ ଡେମୋକ୍ରେଟ ପ୍ରାର୍ଥୀଙ୍କ ତରଫରୁ କ୍ରମାଗତ କୁହାଯାଇ ଆସୁଛି ଯେ ଟ୍ରମ୍ପ ପ୍ରଶାସନ କରୋନା ବିରୋଧୀ ଲଢ଼େଇରେ ବିଫଳ ହୋଇଛନ୍ତି। କରୋନା ​‌ଯୋଗୁ ଏବେ ସୁଦ୍ଧା ଆମେରିକାରେ ୨୨୩,୦୦୦ ଲୋକ ପ୍ରାଣ ହରାଇଛନ୍ତି।

ଆାଠ ମାସରୁ ଅଧିକ ହୋଇଗଲାଣି ହେଲେ କରୋନାକୁ ଆୟତ୍ତ କରାଯାଇ ପାରୁ ନ ଥିବା ବିଡେନ କହିଛନ୍ତି। ଟ୍ରମ୍ପଙ୍କ ପାଖରେ ଏଥିରୁ ମୁକୁଳିବାର କିଛି ଯୋଜନା ନାହିଁ ଓ ଟ୍ରମ୍ପ ମଧ୍ୟ କରୋନା ସାମ୍ନାରେ ହାତ ଟେକି ଦେଇଥିବା କହିଛନ୍ତି ବିଡେନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.