ବକ୍ରି ଇଦ୍ ଉପରେ କରୋନା ଚଡ଼କ ! ଉତ୍ସବ ଲାଗି ଗାଇଡଲାଇନ ଜାରି ନିମନ୍ତେ ଦାବି
19/07/2020 at 4:15 PM

ନୂଆଦିଲ୍ଲୀ ୧୯।୭: କରୋନା ଭାଇରସ୍ ମହାମାରୀ ଦେଶର ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି। ଏଥିରେ ମାଂସ ବଜାର ପ୍ରଭାବିତ ହେବା ଉଭୟ ପଶୁପାଳକ ଓ କଂସେଇ ଉଭୟ ପ୍ରଭାବିତ ହୋଇଛନ୍ତି। ଲକଡାଉନ୍, ସଟ୍ ଡାଉନ ଯୋଗୁ ଅଚାନକ ହାଟବଜାର ବନ୍ଦ ହେଉଥିବାରୁ ଆଗକୁ ବକରଇଦ୍ ଲାଗି ସରକାର ତୁରନ୍ତ ଗାଇଡଲାଇନ ଜାରି କରନ୍ତୁ ବୋଲି ଦାବି କରିଛନ୍ତି। ବକରଇଦ୍ ଲାଗି ଆଉମାତ୍ର ୧୨ ଦିନ ବାକି। ହେଲେ ଏ ପର୍ଯ୍ୟନ୍ତ ଏଥିଲାଗି ଆବଶ୍ୟକ ପଶୁଙ୍କ କିଣାକିଣି ଆରମ୍ଭ ହୋଇ ନାହିଁ।

ସରକାର ଇସ୍ଲାମ ଧର୍ମର ଏହି ପର୍ବ ଲାଗି ଏପର୍ଯ୍ୟନ୍ତ ଦିଶାନିର୍ଦ୍ଦେଶ ଜାରି କରି ନଥିବାରୁ କୁର୍ବାନ ଲାଗି ଏପରି ପଶୁ ସଂଗ୍ରହ କରିବା ଓ ଆଣିବା ସମ୍ଭବ ହେଉ ନାହିଁ। ଏଣୁ ଉପୁଜିଥିବା ପରିସ୍ଥିତିରେ କୁର୍ବାନୀ କିପରି ହେବ ସେ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ଅଲଇଣ୍ଡିଆ ଜମିୟତ-ଉଲ-କୁରେସର ଅଧ୍ୟକ୍ଷ ସିରାଜୁଦ୍ଦିନ କୁରେସୀ ଗଣ ମାଧ୍ୟମ ସହ ଆଲୋଚନା ବେଳେ ଏ ସମ୍ପର୍କରେ କହିଛନ୍ତି। କୁର୍ବାନୀ ଲୋକଙ୍କ ଆସ୍ଥାକୁ ନେଇ ଏକ ପରମ୍ପରା। ଏଣୁ ଏ ଦିଗରେ ସରକାର କଣ ବିଚାର କରୁଛନ୍ତି ତାହା ଆମେ ଏପର୍ଯ୍ୟନ୍ତ ଜାଣି ନାହୁଁ ବୋଲି ସେ କହିଛନ୍ତି। ଏଣୁ ସରକାର ଏ ନେଇ ଖୁବ୍ ସତର୍କତାର ସହ ବିଚାର କରି ଏହାର କୌଣସି ସୁଗମ ମାର୍ଗ କାଢିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ସାରା ଦେଶରେ ମୁସଲମାନ ଏବେ ବକରଇଦ୍ ପାଳନ ଲାଗି ଚିନ୍ତାରେ ରହିଛନ୍ତି। ବିଭିନ୍ନ ରାଜ୍ୟରେ ଲୋକେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଏ ନେଇ ଆଲୋଚନା ମଧ୍ୟ କରୁଛନ୍ତି। କୁରେସୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଧାର୍ମିକ ଉତ୍ସବ ଲାଗି ଗାଇଡଲାଇନ ଜାରି ହୋଇ ନଥିବାରୁ ମଦରସାମାନେ ମଧ୍ୟ ଏହି ଧାର୍ମିକ ବିଧି ପାଳନ ଲାଗି ପଛଘୁଞ୍ଚା ଦେଉଛନ୍ତି। ଏଣୁ ପର୍ବ ପାଳନ ଲାଗି ପଶୁଙ୍କୁ ଆଣିବାରେ ଯେପରି କେହି ଅସୁବିଧା ନ କରନ୍ତି ସେ ନେଇ ସରକାର ସୁନିଶ୍ଚିତ କରିବା ପରେ ହିଁ ଯାହା ପଦକ୍ଷେପ ନିଆଯିବ ବୋଲି କୁରେସୀ କହିଛନ୍ତି।