ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍

Published By : Prameya-News7 Bureau | July 30, 2021 IST

ବେଜିଂ ୩୦।୦୭: ଭାରତରେ ତାଣ୍ଡବ ମଚାଇବା ପରେ ଏବେ ଚୀନରେ କରୋନାର ଡେଲ୍‌ଟା ଭାଇରସ୍‌ର ଆତଙ୍କ ଦେଖିବାକୁ ମିଳିଛି। ପଡୋଶୀ ଦେଶରେ ଏହି ଭାଇରସ୍‌ର ଅଚାନକ କେସ୍ ବୃଦ୍ଧି ଘଟିଛି। ୨୦୧୯ ଉହାନରେ ଭାଇରସ୍‌ର ପ୍ରକୋପ ପରେ ଏହା ସବୁଠୁ ବଡ କରୋନା ଆତଙ୍କ ବୋଲି ଚୀନ ଗଣମାଧ୍ୟମ ଦର୍ଶାଇଛନ୍ତି। 'ଗ୍ଲୋବାଲ ଟାଇମ୍ସ' କହିଛି ଯେ, କୋଭିଡ୍-୧୯ର ନୂତନ କେସ୍ ପୂର୍ବ ଚୀନର ଜିଆଙ୍ଗସୁ ପ୍ରାନ୍ତର ରାଜଧାନୀ ନାନଜିଙ୍ଗର ଏକ ବିମାନ ବନ୍ଦରରୁ ଆରମ୍ଭ ହୋଇଛି। ପରେ ଏହା ଅନ୍ୟ ପ୍ରାନ୍ତ ଓ ବେଜିଂ ନଗରପାଳିକାରେ ବ୍ୟାପି ଯାଇଛି।

ନାନଜିଙ୍ଗ ସହରର ଅନେକ ବିମାନ ବନ୍ଦରର କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତ ଉଡାଣ ରଦ୍ଦ କରାଯାଇଛି। ଦ୍ରୁତ ଗତିରେ  ବ୍ୟାପୁଥିବା ଡେଲ୍‌ଟା ଭାରିଏଣ୍ଟ ଚୀନର ୧୫ ସହରରେ ଚିହ୍ନଟ ହୋଇଛି। ଏହି ସବୁ ସହରରୁ ଶତାଧିକ ଡେଲ୍‌ଟା ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଡେଲ୍‌ଟା ଭାରିଏଣ୍ଟର ସର୍ବ ପ୍ରଥମ କେସ୍ ଭାରତରେ ଚିହ୍ନଟ ହୋଇଥିଲା। ହେଲେ ଏବେ ଚୀନରେ ଏହି କେସ୍ ସାମ୍ନାକୁ ଆସିଛି। ବିଭିନ୍ନ ପ୍ରାନ୍ତରେ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ଥିବାରୁ ଚୀନ ପ୍ରଶାସନର ଚିନ୍ତା ବଢି ଯାଇଛି।

ଗୁରୁବାର ସୁଦ୍ଧା ଚୀନରେ କୋଭିଡ୍-୧୯ର ସକ୍ରିୟ ପଜିଟିଭ୍ ସଂଖ୍ୟା ୯୨,୮୫୪ ଥିଲା। ଏଥିରୁ ୯୩୨ ଜଣ ଚିକିତ୍ସାଧୀନ ଥିଲେ। ୨୫ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଦେଶରେ ଗତ ବର୍ଷଠୁ ଆଜି ଯାଏଁ କରୋନାରେ ୪,୬୩୬  ଜଣଙ୍କ ମୃତ୍ୟୁ ଘଟିଛି। ଚୀନ ଅଧିକାରୀଙ୍କ ଅନୁଯାୟୀ, ଅଦ୍ୟାବଧି ୪୦ ପ୍ରତିଶତ ଜନତାଙ୍କ ଟିକାକରଣ ହୋଇଛି।

କରୋନା କେସ୍‌କୁ ଦୃଷ୍ଟିରେ ରଖି ଚୀନ ଦ୍ଵାରା ଭାରତ ଓ ଅନ୍ୟ ଦେଶକୁ ବିମାନ ଚଳାଚଳ ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ। ବେଜିଂ ଆସୁଥିବା ଅଧିକାଂଶ ଅନ୍ତରାଷ୍ଟ୍ରୀୟ ଉଡାଣ ସ୍ଵାଭାବିକ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.