ଯୁବକଙ୍କୁ କରୋନା ସହ ହେଲା ଡେଙ୍ଗୁ, ପ୍ରଥମ ମାମଲା ପରେ ଦିଲ୍ଲୀରେ ବଢ଼ିଲା ଚିନ୍ତା

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ ୦୩/୦୯- ଏବେ ଦିଲ୍ଲୀବାସୀଙ୍କୁ କରୋନା ସହ ଡରାଇଲାଣି ଡେଙ୍ଗୁ। ଦିଲ୍ଲୀରେ ପ୍ରଥମଥର ପାଇଁ ଏମିତି ଗୋଟିଏ କେସ୍ ସାମ୍ନାକୁ ଆସିଛି ଯିଏ କି କରୋନା ସହ ଡେଙ୍ଗୁରେ ମଧ୍ୟ ପୀଡ଼ିତ ହୋଇଛନ୍ତି। ଡାକ୍ତରଙ୍କ ଅନୁସାରେ ଜଣେ ରୋଗୀଙ୍କ ଉପରେ କରୋନା ଓ ଡେଙ୍ଗୁର ଡବଲ୍ ଅାଟାର୍କ ଅଧିକ ମାରାତ୍ମକ। ଏହା ରକ୍ତ ସହ ଜଡ଼ିତ ରୋଗ ଉପରେ ଅଧିକ ପ୍ରଭାବ ପକାଇବ। ମୁଲଚନ୍ଦ ହସପିଟାଲରେ କରୋନା ଓ ଡେଙ୍ଗୁରେ ପୀଡ଼ିତ ଜଣେ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ୨୦ ବର୍ଷୀୟ ଏହି ଯୁବକଙ୍କୁ ୭-୮ ଦିନ ଜ୍ବର ହୋଇଥିଲା। ଏହା ସହ କାଶ ହେଉଥିଲା, ଦୁର୍ବଳ ଲାଗୁଥିଲା ଓ ଭୋକ ମଧ୍ୟ ହେଉ ନ ଥିବା ସେ ଡାକ୍ତରଙ୍କୁ ଜଣାଇଥିଲେ। ସେ ଚିକିତ୍ସା ନିମନ୍ତେ ହସପିଟାଲ୍ ଆସିଥିଲେ। ଏହା ପରେ ତାଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। କିଛି ଦିନ ପରେ ତାଙ୍କ ପ୍ଲେଟଲେଟସ୍ କମ୍ ହୋଇ ଶରୀରରେ ନାଲି ନାଲି ଫଳି ଗଲା।

ଏହା ପରେ ତାଙ୍କର ଡେଙ୍ଗୁ ଆଣ୍ଟିବଡି ପରୀକ୍ଷା କରିବାରୁ ପଜିଟିଭ୍ ବାହାରିଲା। କିଛି ଦିନର ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲା। ଏବେ ସେ ପୂର୍ବ ତୁଳନାରେ ଠିକ୍ ଅଛନ୍ତି। ଶରୀରରେ ଏକାସଙ୍ଗରେ ଦୁଇ ଭାଇରସ ଆକ୍ଟିଭ୍ ହେବା ଦ୍ବାରା ଅଧିକ କ୍ଷତିକାରକ ହୋଇଥାଏ। ଶରୀରରେ ଦୁଇଟି ରୋଗର ପ୍ରଭାବ ମଧ୍ୟ ଭିନ୍ନ ପ୍ରକାର ପଡ଼େ।

ଏବକା ପାଣିପାଗ ଯୋଗୁ ଯେଉଁ ରୋଗୀଙ୍କୁ ଜ୍ବର ହେଉଛି ସେମାନଙ୍କୁ କରୋନା ଟେଷ୍ଟ ସହ ଡେଙ୍ଗୁ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଉଛି। ଏହା ପ୍ରଥମ ମାମଲା ହୋଇଥିବାରୁ ଏବେଠୁ ସାବଧାନ ହୋଇଗଲେ ସ୍ଥିତି ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.