ଦିଲ୍ଲୀରେ ପରିସ୍ଥିତି ଅଣାୟତ୍ତ: କେନ୍ଦ୍ର ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଦୋଷ ଲଦିଲେ ସୋନିଆ ଗାନ୍ଧି

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ୨୬/୨: ଦିଲ୍ଲୀ ହିଂସା ଥମିବାର ନାଁ ନେଉନାହିଁ । ଉତ୍ତରପୂର୍ବ ଦିଲ୍ଲୀରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ ଅଧିକାରୀ ଅଛନ୍ତି। ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏହି ମାମଲାରେ ଶୁଣାଣି ହୋଇଛି । ହିଂସା ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ଥିଲା ବୋଲି କୋର୍ଟ କହିଛନ୍ତି । ସେପଟେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।

ଦିଲ୍ଲୀ ଜଳୁଛି । ଉତ୍ତର ପୂର୍ବ ଦିଲ୍ଲୀରେ ଏବେ ସ୍ଥିତି ସଂଗୀନ । ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ  ପରେ ଏବେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜୋରଦାର ପ୍ରୟାସ ଚାଲିଛି । ରାସ୍ତାରେ ପଡ଼ିଛି ଜଳିଯାଇଥିବା କାର, ବାଇକ ଏବଂ ଅନ୍ୟାନ୍ୟ ଗାଡ଼ି । ପରିସ୍ଥିତି ଏମିତି ହୋଇଛି ଯେ ଘରୁ ବାହାରିବା ବିପଦଜ୍ଜନକ ହୋଇପଡ଼ିଛି ।

ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ ।ଆଜି ୪ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ ୨୬ ବର୍ଷୀୟ ଅଫିସର ଅଙ୍କିତ ଶର୍ମା ଅଛନ୍ତି । ଚାନ୍ଦବାଗ ଅଞ୍ଚଳର ଏକ ନାଳରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।ସେ ଆଇବିରେ ଜଣେ ସିକ୍ୟୁରିଟି ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ଅପରାହ୍ନ ସାଢେ ୪ଟା ବେଳେ ସେ କାମରୁ ଫେରୁଥିବା ବେଳେ ଉପଦ୍ରବକାରୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ପେଟରେ ବାରମ୍ବାର ଛୁରୀ ଭୁସା ଯିବା ସହ ପିଟିପିଟି ଡ୍ରେନରେ ଫିଙ୍ଗି ଦେଇଥିଲେ ଦଙ୍ଗାକାରୀ

ପରିସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା  ଅଜିତ ଡୋଭାଲ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ସୀଲମପୁର ଓ ମୌଜପୁରରେ ବୁଲି ପରିସ୍ଥିତି ସମୀକ୍ଷା କରିଛନ୍ତି ।ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡୋଭାଲ । ଏହି ସମୟରେ ଲୋକେ ସିଧା ତାଙ୍କୁ ସ୍ଥିତି ସଂପର୍କରେ ଜଣାଇଥିଲେ। ଆଉ  ସେମାନଙ୍କୁ ଆଶ୍ବାସନା ଦେଇଥିଲେ ଡୋଭାଲ।

ସେପଟେ ଘଟଣାକୁ ନେଇ ରାଜନୀତି କିଛି କମ ହେଉନି।  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରେସମିଟ୍ କରି ହିଂସାକାଣ୍ଡ ପାଇଁ କେନ୍ଦ୍ର ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି ।ଦିଲ୍ଲୀ ଜଳିବା ବେଳେ ଅମିତ ଶାହ ଓ କେଜ୍ରିୱାଲ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୋନିଆ । ଦିଲ୍ଲୀରେ ଶାନ୍ତି ବଜାୟ ରଖିବା ପାଇଁ କଂଗ୍ରେସ ପକ୍ଷରୁ ଗୁରୁବାର ରାଷ୍ଟ୍ରପତି ଭବନ  ପର୍ଯ୍ୟନ୍ତ ମାର୍ଚ୍ଚ କରାଯିବ ।ତେବେ ସୋନିଆ ଗାନ୍ଧିଙ୍କର ଅଭିଯୋଗର ଜବାବ ରଖିଛି ବିଜେପି ।

ଦିଲ୍ଲୀରେ ବର୍ତ୍ତମାନ ଯାହା ପରିସ୍ଥିତି ଆଗକୁ ତାହା ୧୯୮୪ର ଦଙ୍ଗା ଭଳି ସ୍ଥିତି କରିବାକୁ ଦିଆଯିବ ନାହିଁ ।ଆଜି ହିଂସାକାଣ୍ଡ ମାମଲାରେ ଶୁଣାଣି କରି ଏହା କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।ତେବେ ଏହି ହିଂସାକାଣ୍ଡ ପାଇଁ ନିଆଁରେ ଘିଅ ଢାଳିଥିବା ଭଳି କାମ କରିଥିବା ନେତାଙ୍କ ଭାଷଣ ଶୁଣିଛନ୍ତି କୋର୍ଟ । କପିଲ ମିଶ୍ରା, ଅନୁରାଗ ଠାକୁର ପରବେଶ ବର୍ମାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସିଏଏକୁ ନେଇ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ଦେଶରେ ଚିନ୍ତା ବଢୁଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏନେଇ ବିଷ ଓଗାଳିଛନ୍ତି ।ଭାରତରେ ୨୦ କୋଟି ମୁସଲମାନଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ଇମ୍ରାନ୍ ଟ୍ବିଟ୍ କରିଛନ୍ତି ।ଗତବର୍ଷ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଅଭିଭାଷଣରେ ମୁଁ ଏହାର ପୂର୍ବାନୁମାନ କରିଥିଲି ବୋଲି ଇମ୍ରାନ୍ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.