ଦିଲ୍ଲୀ ହିଂସା : ଲାଲ କିଲ୍ଲା ଉପରେ ଚଢି ବୁଲାଇଥିଲା ଖଣ୍ଡା, ଶେଷରେ ଗିରଫ କଲା ପୋଲିସ

Published By : Prameya-News7 Bureau | February 22, 2021 IST

ନୂଆଦିଲ୍ଲୀ ୨୨/୦୨ : ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ତ ଘଟଣାରେ ପୋଲିସର ଆକ୍ସନ ଜାରି ରହିଛି । ହିଂସାକାଣ୍ଡ ବେଳେ ଉପଦ୍ରବକାରୀମାନେ ଲାଲ କିଲ୍ଲାକୁ ମଧ୍ୟ କବ୍‌ଜାକୁ ନେଇଯାଇଥିଲେ । ଲାଲ କିଲ୍ଲା ଉପରକୁ ଚଢିଯିବା ସହିତ ଖଣ୍ଡା ବୁଲାଇଥିଲେ ଉପଦ୍ରବକାରୀ । ତେବେ ଲାଲ କିଲ୍ଲା ଉପରକୁ ଚଢି ଖଣ୍ଡା ବୁଲାଇଥିବା ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତର ନାଁ ଯଶପ୍ରୀତ ସିଂହ (୧୯) । ପୂର୍ବରୁ ଏହି ଘଟଣାରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ମଧ୍ୟ କିଛି ଲୋକଙ୍କୁ ଖୋଜୁଛି ​‌ପୋଲିସ । ​‌

ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଗତ ୨୬ ଜାନୁଆରୀ ଗଣତନ୍ତ୍ର ଦିବସରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଆଣିଥିଲେ । ଦିଲ୍ଲୀ ପୋଲିସ ମଧ୍ୟ ଅନୁମତି ଦେଇଥିଲା । କିନ୍ତୁ ଟ୍ରାକ୍ଟର ରାଲି ଦିନ ବେକାବୁ ହୋଇଯାଇଥିଲେ ଆନ୍ଦୋଳନକାରୀ ।

ପୋଲିସ ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ ଉପଦ୍ରବକାରୀ । ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ଅନେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ । କେବଳ ସେତିକି ନୁହେଁ ହିଂସାକାଣ୍ଡ ମଧ୍ୟରେ କିଛି ପ୍ରଦର୍ଶନକାରୀ ଐିତିହ୍ୟ ଲାଲ କିଲ୍ଲା ଉପରକୁ ଚଢିଯାଇଥିଲେ । ସେଥିରେ ୨୯ ବର୍ଷୀୟ ଯଶପ୍ରୀତ ମଧ୍ୟ ସାମିଲ ଥିଲା । ସେ ଦୁଇ ହାତରେ ଖଣ୍ଡା ଧରିଥିବା ନଜର ଆସିଥିଲା । ତେବେ ବର୍ତ୍ତମାନ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।

ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତମାନଙ୍କ ଫଟୋ ମଧ୍ୟ ଜାରି କରିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଗିରଫ କରାଯାଇଛି । ଗତ ରବିବାର ଦିନ ଆଉ କିଛି ଉପଦ୍ରବକାରୀଙ୍କ ଫଟୋ ଜାରି କରିଥିଲା ପୋଲିସ । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ଦିଲ୍ଲୀ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.