ଦିଲ୍ଲୀ ହିଂସା : ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ, ଚାଷୀ ଆନ୍ଦୋଳନକୁ ନେଇ ହୋଇପାରେ ବଡ ଘୋଷଣା

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬/୦୧ : ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ନେଇ ହୋଇଥିବା ହିଂସା ବ୍ୟାପକ ରୂପ ଧାରଣ କରିଥିଲା । ଏହାରି ମଧ୍ୟରେ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି । ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ତାଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଦିଲ୍ଲୀ ପୋଲିସ କମିସନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

ନୂଆ କୃଷି ଆଇନକୁ ନେଇ ଚାଷୀମାନେ ପ୍ରବଳ ବିରୋଧ ଜାରି ରଖିଛନ୍ତି । ୩ଟି କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ଜିଦ୍‌ରେ ଅଟଲ ଅଛନ୍ତି ଚାଷୀ । ସେପଟେ ବିଲ୍‌କୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଚାଷୀମାନେ ଟ୍ରାକ୍ଟର ମାର୍ଚ୍ଚ କରି ପ୍ରବଳ ବିରୋଧ କରିଛନ୍ତି । ଚାଷୀମାନଙ୍କୁ ଅଟକାଇବା ପାଇଁ ପୋଲିସ ମଧ୍ୟ ନୟାନ୍ତ ହୋଇଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିପଡିଥିଲା । ଚାଷୀମାନେ ଉଗ୍ର ରୂପ ଧାରଣ କରିଥିଲେ । ଲାଲ କିଲ୍ଲାକୁ ମଧ୍ୟ ନିଜ କବଜାକୁ ନେଇଯାଇଥିଲେ କୃଷକ । ଯେଉଁଠାରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଉଡାନ୍ତି ସେଠାରେ ଚାଷୀମାନେ ନିଜ ସଂଗଠନର ପତାକା ଉଡାଇଥିଲେ ।

ହିଂସା ବ୍ୟାପକ ହେବା ଦେଖି ଦିଲ୍ଲୀର କିଛି ସ୍ଥାନରେ ମେଟ୍ରୋ ସେବା ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି । ତେବେ ଚାଷୀ ଆନ୍ଦୋଳନକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.