ଦିଲ୍ଲୀ ହିଂସା ନେଲାଣି ୨୭ ଜଣଙ୍କ ଜୀବନ, ୨୦୦ ଆହତଙ୍କ ଚାଲିଛି ଚିକିତ୍ସା : ତେଜୁଛି ରାଜନୀତି

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨।୨: ଦିଲ୍ଲୀ ହିଂସା ଥମିବାର ନାଁ ନେଉନାହିଁ । ଉତ୍ତରପୂର୍ବ ଦିଲ୍ଲୀରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଗତକାଲି ହିଂସାରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା ।

ମୃତକଙ୍କ ମଧ୍ୟରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ ଅଧିକାରୀ ଅଛନ୍ତି । ତାଙ୍କ ନାଁ ଅଙ୍କିତ ଶର୍ମା ଓ ସେ ଆଇବିରେ ଜଣେ ସିକ୍ୟୁରିଟି ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ଅପରାହ୍ନ ସାଢେ ୪ଟା ବେଳେ ସେ କାମରୁ ଫେରୁଥିବା ବେଳେ ଉପଦ୍ରବକାରୀଙ୍କ ଆକ୍ରମଣର ଶିକାର ହୋଇଥିଲେ ।ତାଙ୍କ ପେଟରେ ବାରମ୍ବାର ଛୁରୀ ଭୁସା ଯିବା ସହ ପିଟିପିଟି ଡ୍ରେନରେ ଫିଙ୍ଗି ଦେଇଥିଲେ ଦଙ୍ଗାକାରୀ ।

ପରିସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ସୀଲମପୁର ଓ ମୌଜପୁରରେ ବୁଲି ପରିସ୍ଥିତି ସମୀକ୍ଷା କରିଛନ୍ତି । ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡୋଭାଲ ।

ସେପଟେ ଘଟଣାକୁ ନେଇ ରାଜନୀତି ବି ଜୋରଦାର ଚାଲିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରେସମିଟ୍ କରି ହିଂସାକାଣ୍ଡ ପାଇଁ କେନ୍ଦ୍ର ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି । ଦିଲ୍ଲୀରେ ଶାନ୍ତି ବଜାୟ ରଖିବା ପାଇଁ କଂଗ୍ରେସ ପକ୍ଷରୁ ଆଜି ରାଷ୍ଟ୍ରପତି ଭବନ  ପର୍ଯ୍ୟନ୍ତ ମାର୍ଚ୍ଚ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.