କାଲିଠୁ ଖୋଲିବ ମଲ୍, ସିନେମା ହଲ, ମଲଟିପ୍ଲେକ୍ସ ; ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି କିନ୍ତୁ ହେବନି ଅଫଲାଇନ୍‌ କ୍ଲାସ୍‌

Published By : Prameya-News7 Bureau | July 25, 2021 IST

ନୂଆଦିଲ୍ଲୀ ୨୫/୦୭ : ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଜୁଲାଇ ୨୬ ତାରିଖ ସୋମବାର ଠାରୁ ଅନଲକ୍‌ ୮ ଲାଗୁ ହେବାକୁ ଯାଉଛି । ସଂକ୍ରମଣ ହାର କମୁଥିବାରୁ ରାଜଧାନୀ ଦିଲ୍ଲୀରେ କଟକଣା ଆହୁରି କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜଧାନୀ ଦିଲ୍ଲୀରେ ନୂଆ ଗାଇଡଲାଇନ ଅନୁଯାୟୀ, ସିନେମା ହଲ, ଥିଏଟର ଏବଂ ମଲ୍ଟିପ୍ଲେକ୍ସ ଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଆସନ୍ତାକାଲି ଠାରୁ ଖୋଲିବ । ଏହା ଛଡା ଦିଲ୍ଲୀରେ ମେଟ୍ରୋ ସେବା ୧୦୦ ପ୍ରତିଶତ କ୍ଷମତା ସହ ଖୋଲିବ । ତା ସହିତ DTC ବସଗୁଡିକ ମଧ୍ୟ ପୂର୍ଣ୍ଣ କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେବା ଆଣିବା କରିପାରିବେ । ବିବାହ କାର୍ଯ୍ୟରେ ପୂର୍ବରୁ ଅତିବେଶୀରେ ୫୦ ଜଣଙ୍କ ଉପସ୍ଥିତିକୁ ଅନୁମତି ଦିଆଯାଇଥିଲା ଏବେ ଏହାକୁ ବଢାଇ ଦିଆଯାଇ ୧୦୦ ଜଣ କରିଦିଆଯାଇଛି । ଅର୍ଥାତ ବିବାହ କାର୍ଯ୍ୟରେ ଏଣିକି ଅତିବେଶିରେ ୧୦୦ ଜଣ ଉପସ୍ଥିତ ରହିପାରିବେ ।

ସେହିଭଳି ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ଗୁଡିକରେ କେବଳ ପାଠ ପଢିବା ପାଇଁ ଅନୁମତି ଦିଆଯାଇଛି କିନ୍ତୁ ଅଫଲାଇନ୍‌ କ୍ଲାସ୍ ବର୍ତ୍ତମାନ ମଧ୍ୟ ଖୋଲାଯିବ ନାହିଁ । ଅନଲକ୍‌ ୭ରେ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ଜାରି କରାଯାଇଥିବା ଗାଇଡଲାଇନ୍ ଅନଲକ୍‌ ୮ରେ ମଧ୍ୟ ଜାରି ରହିବ ।  

ଦିଲ୍ଲୀରେ ଗତ ଶନିବାର ୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ସୁସ୍ଥ ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ କାରୋନା ଜନୀତ ମୃତ୍ୟୁ ହୋଇନାହିଁ । ତେଣୁକରି ବର୍ତ୍ତମାନ ସଂକ୍ରମଣ କମିଥିବାରୁ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଆକ୍ଟିଭ୍ କେସ୍‌ ରହିଛି ୫୮୭ । ମହାମାରୀ ଆରମ୍ଭରୁ ବର୍ତ୍ତମାନ ଯାଏଁ ଦିଲ୍ଲୀରେ ମୋଟ ୧୪ ଲକ୍ଷ ୧୦ ହଜାର ୨୧୬ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଲେଣି ଏବଂ ୨୫,୦୪୧ ଜଣଙ୍କର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.