ଦିଲ୍ଲୀ ଶାସନ ଠପ
19/06/2018 at 6:07 AM

ଦିଲ୍ଲୀ ଉପରାଜ୍ୟପାଳଙ୍କ ଘରେ ଗତ ୯ଦିନ ଧରି ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଣେ ଦିଲ୍ଲୀ ଶାସନ ଠପ ହୋଇ ଯାଇଛି । ଗତ ୧୧ତାରିଖଠାରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ, ମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଏବଂ ଗୋପାଳ ରାୟ ମଧ୍ୟ ଧାରଣାରେ ବସିଛନ୍ତି । ଧାରଣା ରାଜନୀତିକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ଧାରଣା ନେଇ ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ବିନା ଅନୁମତିରେ କାହା ଘରେ ଅନଶନ କରିବା ବେଆଇନ ବୋଲି ହାଇକୋର୍ଟ କହିଛନ୍ତି । ଏଣେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୈତିକ ସ୍ତରରେ ବାକବିତଣ୍ଡା ଆରମ୍ଭ ହୋଇଛି । ଏହି ଘଟଣାକୁ ନେଇ ସାରା ଦେଶର ରାଜନୀତିକୁ ଛୁଇଁଛି । ବିବାଦର ସମାଧାନ ପାଇଁ ୪ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ପରେ ଧାରଣା ରାଜନୀତିକୁ ନେଇ ରାଜନୀତି ଘନେଇବାରେ ଲାଗିଛି । ଏବେ ହାଇକୋର୍ଟଙ୍କ ପ୍ରତିକ୍ରିୟା ପରେ କେଜ୍ରିୱାଲଙ୍କ ଧାରଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ଫଳରେ ଗତକାଲି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ପ୍ରଶାସନିକ ଅଧିକାରୀମାନେ କାମରେ ଯୋଗ ନହେବା ଯାଏଁ ଅନଶନ ଭାଙ୍ଗିବେ ନାହିଁ ବୋଲି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି । ପୂରା ମାମଲାରେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ।