କୋର୍ଟଙ୍କ ନିର୍ଦ୍ଦେଶ, ନବୀନ ଜିନ୍ଦଲଙ୍କ ବିରୋଧରେ ରୁଜୁ ହେବ ମାମଲା
1/07/2019 at 4:52 PM

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଉଦ୍ୟୋଗପତି ନବୀନ ଜିନ୍ଦଲ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁକରିବାକୁ ସୋମବାର ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଠକେଇ ଓ ଅପରାଧିକ ଷଡଯନ୍ତ୍ର ପାଇଁ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୪୨୦ ଓ ୧୨୦-ଖ ଧାରାରେ ମୋକଦ୍ଦମା ରୁଜୁକରି ତଦନ୍ତ ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟପ୍ରଦେଶର ଉତ୍ତର ଉର୍ତ୍ତାନ କୋଲ ବ୍ଲକ ଆବଣ୍ଟନ ଅନିୟମିତତା ମାମଲାରେ ନ୍ୟାୟାଧିଶ ଜଷ୍ଟିସ ଭାରତ ପରାସର ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଜିନ୍ଦଲଙ୍କ ସମେତ ଜିନ୍ଦଲ ପାୱାର ଏଣ୍ଡ ଷ୍ଟିଲର ପୂର୍ବତନ ନିର୍ଦ୍ଦେଶକ ସୁଶୀଲ ମାରୁ, ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଆନନ୍ଦ ଗୋୟଲ, ସିଇଓ ବିକ୍ରାନ୍ତ ଗୋୟଲ ଓ କାରଖାନାର ସତ୍ୱାଧିକାରୀ ଡି.ଏନ.ଆବ୍ରୋଲଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଜୁଲାଇ ୨୫ ତାରିଖ ସୁଦ୍ଧା ମୋକଦ୍ଦମା ରୁଜୁ ନିମନ୍ତେ ଏହି ନିର୍ଦ୍ଦେଶ ଦିଆଯାଇଛି।

ତେବେ କୋଇଲା ବ୍ଲକ ଆବଣ୍ଟନ ଅନିୟମିତତା ମାମଲାରେ ଜିନ୍ଦଲଙ୍କ ବିରୋଧରେ ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ଜିନ୍ଦଲ ଝରଖଣ୍ଡ ଅମରକୋଣ୍ଡା ମୁର୍ଗା ଦଙ୍ଗଲ କୋଇଲା ଖଣି ଅନିୟମିତତା ମାମଲାରେ ମଧ୍ୟ ଅଭିଯୁକ୍ତ ଅଛନ୍ତି। ଏହି ଅନିୟମିତତା ମାମଲାରେ ଜିନ୍ଦଲଙ୍କ ସମେତ ପୂର୍ବତନ କୋଇଲା ରାଜ୍ୟମନ୍ତ୍ରୀ ଦଶରୀନାରାୟଣ ରାଓ, ଝାରଖଣ୍ଡରପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ମଧ୍ୟ ଅଭିଯୁକ୍ତ ଅଛନ୍ତି।