ଦୀର୍ଘ ୧୪ ବର୍ଷର ଅପେକ୍ଷାର ଅନ୍ତ; ଆଜି ଉଦଘାଟନ ହେଲା ଦିଲ୍ଲୀର ସର୍ବୋତ୍କୃଷ୍ଟ ସେଲ୍ଫି ସ୍ପଟ ସିଗ୍ନେଚର ବ୍ରିଜ

Published By : Prameya-News7 Bureau | November 04, 2018 IST

ଦିଲ୍ଲୀ ୪/୧୧ : ଦୀର୍ଘ ୧୪ ବର୍ଷର ଅପେକ୍ଷାର ଅନ୍ତ ହୋଇଛି | ଦିଲ୍ଲୀ ଯମୁନା ନଦୀ ଉପରେ ନିର୍ମିତ ସିଗନେଚର ବ୍ରିଜ ଆଜି ଉଦ୍ଘାଟିତ ହୋଇଛି | ବାଜିରାବାଦ ଯମୁନା ନଦୀ ଉପରେ ୮ ଲେନ ବିଶିଷ୍ଟ ବ୍ରିଜକୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ଉଦଘାଟନ କରିଛନ୍ତି | ଆସନ୍ତାକାଲିଠାରୁ ଏହି ବ୍ରିଜ ଉପରେ ଯାନବାହାନ ଚଳାଚଳ ଆରମ୍ଭ ହେବ | ବ୍ରିଜ ଆରମ୍ଭ ହେବାପରେ ଦିଲ୍ଲୀ ଟ୍ରାଫିକ ସମସ୍ୟାରୁ କିଛିଟା ମୁକ୍ତି ପାଇବ ବୋଲି ଆଶା କରାଯାଉଛି | ବ୍ରିଜଟି ଉତ୍ତର-ପୂର୍ବ ଦିଲ୍ଲୀ ଏବଂ ଗାଜିଆବାଦକୁ ସଂଯୋଗ କରୁଛି | ବ୍ରିଜର ଦୈର୍ଘ ୫୭୫ ମିଟର | ହେଲ୍ଥ ମନିଟରିଂ ସିଷ୍ଟମ ଦ୍ୱାରା ବ୍ରିଜରେ ୧୦୪ଟି ସେନ୍ସର ଲଗାଯାଇଛି | ଏହି ସେନ୍ସରଗୁଡିକ ୨୪ ଘଣ୍ଟା ବ୍ରିଜ ଉପରେ ନଜର ରଖିବ | ଏହି ସେନ୍ସରଗୁଡିକ ଏକ କଣ୍ଟ୍ରୋଲ ରୁମ ସହିତ ଯୋଡାଯାଇଛି | ବ୍ରିଜରେ କେଉଁ ଜାଗାରେ ଯଦି କୌଣସି ତ୍ରୁଟି କିମ୍ବା  ଅସୁବିଧା ଦେଖାଦିଏ ତାହେଲେ ସେନ୍ସର ଏହାର ସୂଚନା ଦେବ | କଣ୍ଟ୍ରୋଲ ରୁମରେ ୨୪ ଘଣ୍ଟା ବ୍ରିଜର ମନିଟରିଂ ହେବ | ସୂଚନାଯୋଗ୍ୟ ଯେ, ୧୯୮୮ ମସିହାରେ ଯମୁନା ନଦୀରେ ଏକ ସ୍କୁଲ ବସ ଓଲଟି ପଡିଥିଲା | ଏଥିରେ ୨୨ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା | ଏହି ଦୁର୍ଘଟଣା ପରେ ଯମୁନା ନଦୀରେ ଏହି ସ୍ୱତନ୍ତ୍ର ବ୍ରିଜ ତିଆରି କରିବାର ନିଷ୍ପତ୍ତି ନିଆଯାଇଥିଲା | ଏହା ଭାରତର ପ୍ରଥମ ବ୍ରିଜ ଯାହା ଉପରେ ଛିଡ଼ାହୋଇ ପୁରା ଦିଲ୍ଲୀକୁ ଦେଖିହେବ | ବ୍ରିଜର ଉଚ୍ଚତା ୧୫୪ ମିଟର | ବ୍ରିଜର ଉଚ୍ଚତା କୁତବ ମିନାରର ଉଚ୍ଚତାର ଦୁଇଗୁଣ | ବ୍ରିଜଟି ଏକ ବହୁତ ସୁନ୍ଦର ସେଲଫି ସ୍ପଟ ଭାବେ ପରିଗଣିତ ହେବ ବୋଲି ମଧ୍ୟ ଆଶା କରାଯାଉଛି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.