ବାର୍ଡ ଫ୍ଲୁ: ପର୍ଯ୍ୟଟକଙ୍କ ଲାଗି ଜାନୁୟାରୀ୨୬ ପର୍ଯ୍ୟନ୍ତ ଲାଲକିଲ୍ଲା ବନ୍ଦ
19/01/2021 at 4:33 PM

ନୂଆଦିଲ୍ଲୀ ୧୯।୧: ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲାକୁ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଲାଲକିଲ୍ଲା ଆଖପାଖରେ ମୃତ କାଉଙ୍କ ଶବ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ। ପ୍ରାଣୀଧନ ବିଭାଗ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷଣ ଲାଗି ପଠାଇଥିବା ବେଲେ ମଙ୍ଗଳବାର ରିପୋର୍ଟ ମିଳିଛି।

ପରୀକ୍ଷଣ ରିପୋର୍ଟରୁ ଲାଲକିଲ୍ଲା ଅଞ୍ଚଳରୁ ମିଳିଥିବା ମୃତ ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ପୁଷ୍ଟି ହୋଇଛି। କୋଭିଡ ଅନଲକ୍ରେ ଐତିହ୍ୟ ସ୍ଥଳକୁ ପର୍ଯ୍ୟଟକଙ୍କ ଲାଗି ଉନ୍ମୁକ୍ତ କରାଯାଇଛି। ଏଥିରେ ଲାଲକିଲ୍ଲା ଆଖପାଖରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କଟକଣା ଲାଗୁ କରିଛନ୍ତି। ପ୍ରଶାସନଙ୍କ ନିଷ୍ପତ୍ତି ଅନୁସାରେ ଜାନୁୟାରୀ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲାକୁ ପର୍ଯ୍ୟଟଙ୍କ ନିମନ୍ତେ ବନ୍ଦ ରହିବ।

ବାର୍ଡ ଫ୍ଲୁ ଲାଗି ପ୍ରଶାସନ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଣୁ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଲାଲକିଲ୍ଲା ପର୍ଯ୍ୟଟକଙ୍କ ବନ୍ଦ ହୋଇଯାଇଛି। ଦିଲ୍ଲୀ ସରକାର ରାଜଧାନୀରେ ଚିକେନ ଓ ଅଣ୍ଡା ବିକ୍ରି ଉପରୁ କଟକଣା ପ୍ରତ୍ୟାହାର କରିନେଇଛନ୍ତି। ଗାଜିପୁର ବଜାରରୁ ସଂଗୃହୀତ ପୋଲଟ୍ରି ନମୁନାରୁ ବାର୍ଡ ଫ୍ଲୁ ମିଳି ନଥିଲା। ଏଣୁ ସରକାର ଲାଗୁ କରିଥିବା କଟକଣା ପ୍ରତ୍ୟାହାର ପରେ ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ମାମଲାରେ କୋର୍ଟ ଜାନୁୟାରୀ ୧୮ ତାରିଖରେ ଶୁଣାଣି କରିଥାନ୍ତେ। ତେବେ ଏହାକୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଟାଳି ଦିଆଯାଇଥିବା ଜଣାପଡିଛି।

କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ବାର୍ଡ ଫ୍ଲୁ ବ୍ୟାପୁଛି। ଏଣୁ ସଂକ୍ରମଣ ବ୍ୟାପୁଥିବା ରାଜ୍ୟମାନେ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। ଆଗକୁ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଲାଲକିଲ୍ଲା ଅଞ୍ଚଳରେ ପକ୍ଷୀଙ୍କ ମୃତ୍ୟୁ ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟିଛି।