ଦେଶର ଦୁଇଟି ସ୍ଥାନରେ ବିସ୍ଫୋରଣ ପାଇଁ ଚାଲିଥିଲା ଷଡ଼ଯନ୍ତ୍ର: ୩ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ…
26/11/2019 at 3:33 PM

ନୂଆଦିଲ୍ଲୀ୨୫/୧୧: ଆତଙ୍କବାଦୀଙ୍କ ଦ୍ବାରା ଚାଲିଥିବା ଏକ ବଡ଼ ଷଡ଼ଯନ୍ତ୍ରକୁ ଦିଲ୍ଲୀ ସ୍ପେଶାଲ ପୋଲିସ ଭଣ୍ଡୁର କରିଛି। ଏଥିସହ ସଂପୃକ୍ତ ତିନିଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ତିନିଜଣ କୁଖ୍ୟାତ ଆତଙ୍କବାଦୀ ଆସାମରୁ ଗିରଫ ହୋଇଛନ୍ତି। ବାଂଲାଦେଶୀ ଆଇଏସଆଇଏସରେ ପ୍ରଭାବିତ ହୋଇ ତିନିଜଣ ଆତଙ୍କବାଦୀ ହୋଇଥିବା ଜଣାପଡ଼ିଛି। ଏହି ତିନି ଆତଙ୍କବାଦୀ ଆସାମରେ ବୋମା ବିସ୍ଫୋରଣ କରି ଦିଲ୍ଲୀରେ ଲୁଚି ରହୁଥିଲେ। ପୁଣି ଆସାମରେ କିଛି ଗୋଟିଏ ଅଘଟଣ ଘଟାଇ ପୁଣି ଦିଲ୍ଲୀ ଚାଲି ଆସୁଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି। ପୁଣି ଏକ ଜନଗହଳି ସ୍ଥାନରେ ବୋମା ବିସ୍ଫୋରଣ କରିବା ଲାଗି ତିନିଜଣ ଯୋଜନା କରିଥିଲେ। କିନ୍ତୁ ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଏମାନଙ୍କ ଯୋଜନା ସଂପର୍କରେ ଜାଣି ପାରିଥିଲା।

୨୦୧୮ ମସିହା ଜୁଲାଇ ୧୩ ତାରିଖରେ ଉଜୈନରେ ଟ୍ରେନ ହୋଇଥିବା ବିସ୍ଫୋରଣ ଭଳି ଆଉ ଏକ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ଚାଲିଥିଲା। ଏହି ବିସ୍ଫୋରଣ ଦିଲ୍ଲୀ ଓ ଆସାମର ଜନଗହଳି ସ୍ଥାନରେହେବ ବୋଲି ଯୋଜନା ଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଗିରଫ ଲୁଇତ୍ ଜମୀଲ୍ ଓରଫ ଅଲ୍ଲୀ ଆସାମରେ ଏକ ଅନ୍ୟ ସମ୍ପ୍ରଦାୟ ଯୁବତୀଙ୍କୁ ପ୍ରେମ କରୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଧରି ମାରପିଟ୍ କରିବା ସହ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ସେ ଲଭ୍ ଜିହାଦ କରିଥିବା କଥା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଉଲ୍ଲେଖ କରିଥିଲେ । ସେୟାର କରିଥିବା ଭିଡିଓରେ ଏହି କଥା ଉଲ୍ଲେଖ କରିଥିଲେ ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜମୀଲ ବା ଅଲ୍ଲୀ ବଦନାମ୍ ହୋଇ ଯାଇଥିଲେ। ସେ ପ୍ରତିଶୋଧ ନେବା ନିଶାରେ ଆଇଏସଆଇଏସ ଦ୍ୱାରା ପ୍ରଭାବିତ ହୋଇ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ଏହି ଆତଙ୍କୀବାଦି ସଂଗଠନର ସର୍ଦ୍ଦାର ହେଉଛି ରଞ୍ଜୀତ ଇସ୍ଲାମ। ସେହିପରି ଅଲ୍ଲୀଙ୍କ ଅନ୍ୟ ଦୁଇଜଣ ସାଙ୍ଗ ବେରୋଜଗାର ଥିଲେ । ସେ ମଧ୍ୟ ଅଲ୍ଲୀ ସହ ମିଶି ଆତଙ୍କବାଦୀ କାର୍ଯ୍ୟାରେ ଲିପ୍ତ ରହିଥିଲେ।

ଇଣ୍ଟରନେଟ୍ କଲ କରି ଏମାନେ ପରସ୍ପର କଥାବାର୍ତ୍ତା ହେଉଥିଲେ। ଦିଲ୍ଲୀ ପୋଲିସ ତିନିଜଣଙ୍କ ଫୋନ ଜବତ କରି ଯାଞ୍ଚ କରିଛି। ଏମାନଙ୍କ ସହ ଦିଲ୍ଲୀର ଆଉ କେଉଁ କେଉଁ ଯୁବକ ସାମିଲ ଅଛନ୍ତି ଏ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଆଇଡି ତିଆରି ପାଇଁ କେଉଁ ସ୍ଥାନରୁ ଜିନିଷ କିଣା ଯାଉଥିଲା। ଏମାନଙ୍କୁ ଆର୍ଥିକ ସହୟତା କିଏ ଯୋଗାଉଥିଲେ? ଏ ସବୁର ତଦନ୍ତ ଏବେ ପୋଲିସ କରୁଛି।