ନିଜାମୁଦ୍ଦିନ ମରକଜ ଉପରେ ଦିଲ୍ଲୀ ପୋଲିସର ବଡ ଖୁଲାସା, ଜମାତରେ ସାମିଲ ଥିଲେ ୧୫ ହଜାର ଲୋକ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪।୦୫: ଦେଶରେ କରୋନା ଭାଇରସ୍‌ ସଂକ୍ରମିତ ସଂଖ୍ୟା ପାଖାପାଖି ୫୦ ହଜାର ପହଞ୍ଚିଲାଣି। ଦେଶରେ କରୋନା ସଂକ୍ରମଣ ବଢିବାର ଏକ ପ୍ରମୁଖ କାରଣ ତବଲିଗି ଜମାତଙ୍କ କାର୍ଯ୍ୟକ୍ରମ। ଏହି ଧାର୍ମିକ ସମାରୋହରେ ବିଦେଶରୁ ହଜାର ହଜାର ଲୋକ ସାମିଲ  ହୋଇଥିଲେ। ପ୍ରାରମ୍ଭିକ ରିପୋର୍ଟରେ ମରକଜରେ ୩୦୦୦ ଲୋକ ଉପସ୍ଥିତ ଥିବା କଥା କୁହାଯାଇଥିଲା। ମାତ୍ର ଦିଲ୍ଲୀ ପୋଲିସ୍‌ର ଏକ ସଦ୍ୟତମ ରିପୋର୍ଟରେ ବଡ ଖୁଲାସା ହୋଇଛି। ଦିଲ୍ଲୀ ପୋଲିସ୍ ଅନୁଯାୟୀ ତବଲିଗି ଜମାତଙ୍କ କାର୍ଯ୍ୟକ୍ରମରେ ୩ ନୁହେଁ  ବରଂ ୧୫ ହଜାର ଲୋକ ସାମିଲ ଥିଲେ।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍ ସମୟରେ ସମଗ୍ର ଦେଶରେ ତବଲିଗି ଜମାତ ସମ୍ବନ୍ଧିତ ଲୋକଙ୍କୁ ଗିରଫ କରାଯାଇଛି। ମାତ୍ର ଜମାର ମୁଖ୍ୟ ମୌଲାନା ସାଦ ଏବେ ମଧ୍ୟ ଫେରାର ଅଛି। ଏହା ମଧ୍ୟରେ ଦିଲ୍ଲୀ ପୋଲିସ୍‌ର ତଦନ୍ତ ରିପୋର୍ଟରେ ବଡ ଖୁଲାସା ହୋଇଛି। ମାର୍ଚ୍ଚ ୧୩ରୁ ମାର୍ଚ୍ଚ ୧୪ ମଧ୍ୟରେ ନିଜାମୁଦ୍ଦିନର ମରକଜରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଦିଲ୍ଲୀ ପୋଲିସ୍‌ ମୋବାଇଲ ଫୋନର ଡାଟା ବ୍ୟବହାର ଏବଂ ଲୋକେଶନ ଟ୍ରେସିଂ କରି ଏହି ତାରିଖ ମଧ୍ୟରେ ମରକଜରେ ସକ୍ରିୟ ମୋବାଇଲ ନମ୍ଵର ଆଧାରରେ ଏହି ଖୁଲାସା କରିଛି।

ଦିଲ୍ଲୀ ପୋଲିସ୍ ନିଜର ଏହି ଯାଞ୍ଚ ରିପୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହା ସହିତ ଦିଲ୍ଲୀ ପୋଲିସ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ମଧ୍ୟ ସନ୍ଧାନ କରିଛି ଯେ, ମରକଜରୁ  ବାହାରି ଏହି ଲୋକ କେଉଁ କେଉଁ ଜାଗାକୁ ଗଲେ, କେତେ ଲୋକଙ୍କ ସଂସ୍ପର୍ଶରେ ଆସିଲେ ସେହି ହଜାର ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି। ଏହା ଜଣିବା ପରେ ଜମାତିଙ୍କ ସନ୍ଧାନ କରି ସେମାନଙ୍କୁ କ୍ଵାରେଣ୍ଟାଇନରେ ପଠା ଯାଇଥିଲା। ଯେତେ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ସମସ୍ତଙ୍କୁ ଆଇସୋଲେନ କେନ୍ଦ୍ରରେ ରଖାଯାଇଥିଲା।

ତଦନ୍ତ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ମରକଜରୁ ବାହାରିଥିବା ଲୋକଙ୍କ ଦ୍ଵାର ପ୍ରାୟ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ମୌଲାନା ସାଦ୍ ଜମାତିଙ୍କ ସଂଖ୍ୟା ଓ ସ୍ଥାନର ଭୁଲ ସୂଚନା ଦେଇଥିଲା। ଏହି ଯାଞ୍ଚ ରିପୋର୍ଟକୁ ମୌଲାନା ସାଦଙ୍କ ବିରୋଧରେ ପ୍ରମାଣ ଭାବେ ଉପସ୍ଥାପନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.