ଯୁବକଙ୍କ ଜୀବନ ବଞ୍ଚାଇବା ଲାଗି ଆର୍ୟଲାଣ୍ଡରୁ ଆସିଲା ଦିଲ୍ଲୀ ପୋଲିସକୁ ଫୋନ୍ : ମାନସିକ ଅବସାଦ ଯୋଗୁଁ କରିବାକୁ ଯାଉଥିଲେ ଆତ୍ମହତ୍ୟା

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ ୧୦/୮: ଭାରତରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଦିଲ୍ଲୀ ପୋଲିସକୁ ବିଦେଶରୁ କଲ୍‌ ଆସିଥିଲା। ଡିସିପି ସାଇବର ସେଲ୍ ପାଖରେ ବିଦେଶରୁ ଆସିଥିବା ଏହି ଗୋଟିଏ କଲ୍ ଯୋଗୁଁ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିଲା। ଶନିବାର ଅଗଷ୍ଟ ୮ତାରିଖ ସନ୍ଧ୍ୟା ୭ଟା ବାଜି ୫୧ମିନିଟରେ ଦିଲ୍ଲୀ ପୋଲିସ୍ ସାଇବର ସେଲର ଡିସିପିଙ୍କ ମୋବାଇଲରେ ଆୟାର୍ଲାଣ୍ଡ ନମ୍ବରରୁ ଏକ ଆଇଏସଡି କଲ୍ ଆସିଥିଲା। କଲ୍ ଫେସବୁକର ଜଣେ ଅଧିକାରୀ କରିଥିଲେ।

ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ କହିଥିଲେ ଯେ ତାଙ୍କ ସିଷ୍ଟମରେ କିଛି ଏପରି ସୂଚନା ମିଳିଛି ଯେ ଯାହା ଅନୁସାରେ ଏପରି ଲାଗୁଛି ଯେ ଜଣେ ବ୍ୟକ୍ତି ପ୍ରାଣଘାତୀ ପଦକ୍ଷେପ ନେଇପାରେ। ଫୋନ୍ କରିଥିବା ବ୍ୟକ୍ତି ଅଜଣା ବ୍ୟକ୍ତିଙ୍କ ଇମେଲ୍ ଆଇଡି ଏବଂ ଫୋନ୍ ନମ୍ବର ତୁରନ୍ତ ଡିସିପିଙ୍କ ଆଇଡିରେ ମେଲ୍ କରିଥିଲେ। ଡିସିପି ସିଧା ସେହି ନମ୍ବରରେ କଲ୍ କରି ଏହାର ସୂଚନା ଡିସିପି ଇଷ୍ଟକୁ ଦେଇଥିଲେ। କାରଣ ସେହି ବ୍ୟକ୍ତିଙ୍କ ଲୋକେସନ ମଣ୍ଡାବଳିରୁ ଆସୁଥିଲା।

ପୋଲିସ୍ ଟିମ୍ ତୁରନ୍ତ ମଣ୍ଡାବଳୀ ପହଞ୍ଚିଥିଲା,ସେଠାରେ ତାଙ୍କୁ ଜଣେ ମହିଳା ମିଳିଥିଲେ। ସେ ପୋଲିସକୁ କହିଥିଲେ ଯେ ସେ ଏହି ଫୋନ୍ ନମ୍ବର ବ୍ୟବହାର କରନ୍ତି କିନ୍ତୁ ଫେସବୁକ ଆକାଉଣ୍ଟ ତାଙ୍କ ସ୍ବାମୀ ବ୍ୟବହାର କରନ୍ତି। ମହିଳା ପୋଲିସକୁ କହିଥିଲେ ଯେ ତାଙ୍କ ସ୍ବାମୀ ପାଖାପାଖି ୨ସପ୍ତାହ ତଳେ ଝଗଡ଼ା କରି ମୁମ୍ବାଇ ଚାଲି ଯାଇଛନ୍ତି ଏବଂ ସେଠାରେ ସେ କୌଣସି ଛୋଟ ହୋଟେଲରେ କୁକ୍ କାମ କରୁଛନ୍ତି। ମହିଳାଙ୍କ ପାଖରେ ତାଙ୍କ ସ୍ବାମୀଙ୍କ ନମ୍ବର ଥିଲା କିନ୍ତୁ ଘର ଠିକଣା ଜଣା ନଥିଲା। ଏହି ସୂଚନା ପୂର୍ବ ଦିଲ୍ଲୀ ପୋଲିସ୍ ତୁରନ୍ତ ଡିସିପି ସାଇବର ସେଲକୁ ଦେଇଥିଲେ।

ଡିସିପି ସାଇବର ସେଲ୍ ତୁରନ୍ତ ମୁମ୍ବାଇର ସାଇବର ସେଲ୍ ସହ କଥା ହୋଇଥିଲେ ଏବଂ ତାଙ୍କୁ ସେହି ନମ୍ବର ଦେଇଥିଲେ। ମୁମ୍ବାଇ ପୋଲିସ୍ ତୁରନ୍ତ ସେହି ନମ୍ବରର ଡିଟେଲ୍ ବାହାର କରିଥିଲା ଏବଂ ପୀଡ଼ିତ ବ୍ୟକ୍ତିଙ୍କ ସହ କଥା ହେବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଥିଲା। ପ୍ରଥମେ ନମ୍ବର ବନ୍ଦ ଥିଲା,କିନ୍ତୁ ନମ୍ବର ଅନ୍ ହେବା ମାତ୍ରେ ପୋଲିସ୍ ସେହି ନମ୍ବରରେ କଥା ହୋଇଥିଲା ଏବଂ ତାଙ୍କ ପରିସ୍ଥିତିକୁ ବୁଝିବାକୁ ଉଦ୍ୟମ କରିଥିଲା।

ପୋଲିସ୍ କହିବା ଅନୁସାରେ,ବ୍ୟକ୍ତି ଜଣକ ମାନସିକ ଅବସାଦରେ ଥିଲେ। ପୋଲିସ୍ ପୀଡ଼ିତର କାଉନସିଲିଂ କରିଥିଲା ଏବଂ ପରିବାର ଲୋକଙ୍କୁ ପୂରା ସୂଚନା ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.