ଲାଲକିଲ୍ଲାରେ ହିଂସା ଓ ଧାର୍ମିକ ପତାକା ଲଗାଇବା ଘଟଣା, ଦେଶଦ୍ରୋହ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ
28/01/2021 at 3:38 PM

ନୂଆଦିଲ୍ଲୀ ୨୮।୦୧: ଦିଲ୍ଲୀ ପୋଲିସ ରାଜଧାନୀରେ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ସମୟରେ ଲାଲକିଲ୍ଲାରେ ଘଟିଥିବା ହିଂସା ଓ ପ୍ରାଚୀରରେ ଧାର୍ମିକ ପତାକା ଉଡାଇବ ସମ୍ବନ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ଧାରା ୧୨୪ଏ(ଦେଶଦ୍ରୋହ) ଆଧାରରେ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସ ଏହି ହିଂସା ଘଟଣାରେ ରୁଜୁ ଏଫଆଇଆରରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ତଥା ଗ୍ୟାଙ୍ଗଷ୍ଟରରୁ ସାମାଜିକ କର୍ମୀ ପାଲଟିଥିବା ଲକ୍ଖା ସିଧାନାଙ୍କ ନାମ ମଧ୍ୟ ସାମିଲ।
ଦିଲ୍ଲୀ ପୋଲିସ ମଙ୍ଗଳବାର ହିଂସା ପାଇଁ କୃଷକ ନେତା ରାକେଶ ଟିକାୟତ, ଯୋଗେନ୍ଦ୍ର ଯାଦବ, ରାଜିନ୍ଦର ସିଂହ, ମେଧା ପାଟକର, ବୁଟା ସିଂହ, ଦର୍ଶନ ପାଲ ଓ ବଲବୀର ସିଂହ ରାଜେଓ୍ଵାଲଙ୍କ ସମେତ ୩୭ ଜଣଙ୍କ ବିରୋଧରେ ସମୟପୁର ବାଦଲି ଥାନାରେ ଏଫଆଇଆର ରୁଜୁ ହୋଇଛି।

ଜାନୁଆରୀ ୨୬ରେ ଟ୍ରାକ୍ଟର ଶୋଭାଯାତ୍ରା ସମୟରୋ ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରି ସାରିଛି ଏବଂ ୨୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୋଲିସ କମିଶନର ଏସ.ଏନ. ଶ୍ରୀବାସ୍ତବ ବୁଧବାର କହିଥିଲେ ଯେ, ୩୯୪ ପୋଲିସ କର୍ମଚାରୀ ଏହି ହିଂସାରେ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଆଇସିୟୁରେ ଭର୍ତ୍ତି ଅଛନ୍ତି।
ନୂତନ କୃଷି ଆଇନ ବିରୋଧରେ ନିଜର ଟ୍ରାକ୍ଟର ରାଲି ସମୟରେ ପ୍ରଦର୍ଶନକାରୀ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଦିଲ୍ଲୀ ପୋଲିସ ଦ୍ଵାରା ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗିଥିଲେ ଏବଂ ରାଜଧାନୀର ଅନେକ ଅଞ୍ଚଳରେ ଭଙ୍ଗାରୁଜା ଓ ହିଂସାକାଣ୍ଡ ଘଟାଇଥିଲେ।