ଅଲିମ୍ପିକ୍‌ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଖୋଜୁଛି ଦିଲ୍ଲୀ ପୋଲିସ, ଜଣେ ଅଭିଯୁକ୍ତର ଭିଡିଓରୁ ମିଳିଛି ସୁରାକ୍‌

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୭/୫:  ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମ୍‌ରେ ବୁଧବାର ରେସଲରଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ଜଣେ ୨୩ ବର୍ଷୀୟ ରେସଲର ଆହତ ହୋଇଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆହତ ଅନ୍ୟ ଜଣେ ରେସଲର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଥିଲେ। ରେସଲର ସୁଶିଲ କୁମାରଙ୍କ ନାଁ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ଖୋଜୁଥିବା ଜଣାପଡ଼ିଛି। 

ଘଟଣାରେ ଆହତ ରେସଲର ସୋନୁ ମହଲଙ୍କ ବୟାନ ରେକର୍ଡ କରାଯାଇଛି । ସେ ସୁଶିଲ କୁମାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୁଶୀଲ କୁମାରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ବୋଲି ଦିଲ୍ଲୀ ପୋଲିସର ଅତିରିକ୍ତ ଡିସିପି ଗୁରିକବଲ ସିଂହ ସିଦ୍ଧୁ କହିଛନ୍ତି। ତେବେ ଏହି ଘଟଣାରେ ସାମିଲ ଥିବା ଲୋକେ ବାହାରୁ ଆସିଥିଲେ ବୋଲି ସେ କହିଛନ୍ତି। ପୋଲିସ ଅନୁସାରେ  ଛତ୍ରସାଲ ଷ୍ଟାଡିୟମ୍‌ରେ ବୁଧବାର ମଧ୍ୟାହ୍ନ ୧୨ଟାରେ ରେସଲରଙ୍କ ମଧ୍ୟରେ ବଚସା ହୋଇଥିବା ନେଇ ଖବର ମିଳିଥିଲା।

ଏଥିରେ ରେସଲର ସାଗର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କର ମୃତ୍ୟୁ ହୋଇଥିଲା। ସାଗର ଜୁନିୟର ନ୍ୟାସନାଲ୍‌ ଚାମ୍ପିୟନ ହୋଇଥିବା ବେଳେ ବର୍ତ୍ତମାନ ବରିଷ୍ଠ ଜାତୀୟ ଶିବିରରେ ସାମିଲ ହୋଇଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଷ୍ଟାଡିୟମ୍‌ର ପାର୍କିଂ ଅଞ୍ଚଳରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ପରେ ହାତାହାତି ହୋଇଥିଲା।

ଏହି ଘଟଣାରେ ଗିରଫ ହୋଇଥିବା ପ୍ରିନ୍ସ ଦଲାଲର ଫୋନ୍‌ରେ ସୁଟ୍‌ ହୋଇଥିବା ସମସ୍ତ ଘଟଣାକ୍ରମର ଭିଡିଓ ମଧ୍ୟ ପୋଲିସ ହାତରେ ଲାଗିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚିବା ବେଳକୁ ସମସ୍ତ ରେସଲର ସେଠାରୁ ଚମ୍ପଟ ମାରିଥିଲେ। କେବଳ ଜଣେ ଅଭିଯୁକ୍ତ ପ୍ରିନ୍ସ ଦଲାଲକୁ ପୋଲିସ ଗିରଫ କରିଥିଲା। ତା ପାଖରୁ ପୋଲିସ ବନ୍ଧୁକ, ୭ଟି ଗୁଳି ଏବଂ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.