ବଢିଲା ରେସଲର ସୁଶିଲ କୁମାରଙ୍କ ଅଡୁଆ, ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଜାରି କଲା ଲୁକଆଉଟ୍ ନୋଟିସ୍

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦।୦୫: ଦିଲ୍ଲୀ ପୋଲିସ ଛତ୍ରସାଲ ଷ୍ଟାଡିୟମରେ ଝଗଡା ପରେ ଜଣେ ମଲ୍ଲଯୋଦ୍ଧାଙ୍କ ମୃତ୍ୟୁ ପରେ ଫେରାର ଅଲିମ୍ପିକ ପଦକ ବିଜେତା ସୁଶିଲ କୁମାରଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି। ପୋଲିସର ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି, ରବିବାର ବିଳମ୍ବିତ ସନ୍ଧ୍ୟାରେ ଏହି ନୋଟିସ୍ ଜାରି କରାଯାଇଛି। ଏହା ପୂର୍ବରୁ ପୋଲିସ ପୀଡିତ ପରିବାରଙ୍କ ବୟାନ ରେକର୍ଡ କରି ସାରିଛି। ମୋଡେଲ୍ ଟାଉନ ଇଲାକାରେ ଏକ ଫ୍ଲାଟ୍‌ ଖାଲି କରିବା ନେଇ ଏହି ଝଗଡା ହୋଇଥିଲା।

ଲୁକ୍ ଆଉଟ୍ ନୋଟିସ୍ ଜାରି ହେବା ପୂର୍ବରୁ ସୁଶିଲ କୁମାରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଝଗଡା ପରଠୁ ସେ ଫେରାର ହୋଇଥିବା ଜଣା ପଡିଛି। ବର୍ତ୍ତମାନ ପୋଲିସ ତାଙ୍କ ସନ୍ଧାନରେ ଜୁଟିଛି। ତାଙ୍କୁ ଧରିବା ପାଇଁ ଦିଲ୍ଲୀ-ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ପୋଲିସ ଚଢାଉ କରୁଛି। ଅଧିକାରୀ କହିଛନ୍ତି, ପୀଡିତ ପରିବାରଙ୍କ ଅନୁଯାୟୀ ଯେବେ ଏହି ଘଟଣା ଘଟିଲା ସେହି ସମୟରେ ଘଟଣାସ୍ଥଳରେ ସୁଶିଲ କୁମାର ଉପସ୍ଥିତ ଥିଲେ।

ଗତ ମଙ୍ଗଳବାର ରାତିରେ ଛତ୍ରସାଲ ଷ୍ଟାଡିୟମରେ ଝଗଡାରେ ୨୩ ବର୍ଷୀୟ ରେସଲରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ଏବଂ ତାଙ୍କର ଦୁଇ ଜଣ ବନ୍ଧୁଙ୍କ ଉପରେ ଅନ୍ୟ ରେସଲରମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ। ପୋଲିସ ଅନୁଯାୟୀ, ଝଗଡାରେ ସୁଶିଲ କୁମାର, ଅଜୟ, ପ୍ରିନ୍ସ ଦଲାଲ, ସୋନୁ ସାଗର, ଅମିତ୍ ଓ ଅନ୍ୟ ସାମିଲ ଅଛନ୍ତି।

କଣ ଏହି ଲୁକ୍ଆଉଟ୍‌ ନୋଟିସ୍

ଯେବେ କୌଣସି ବ୍ୟକ୍ତିଙ୍କୁ ଅପରାଧ ସଂଦର୍ଭରେ ଯାଞ୍ଚ ଏଜେନ୍ସି ଦ୍ଵାରା ଡକାଯାଏ ଏବଂ ସେ ବ୍ୟକ୍ତି ଯାଞ୍ଚ ଏଜେନ୍ସିଙ୍କୁ ସହଯୋଗ କରନ୍ତି ନାହିଁ ଏବଂ କୌଣସି ଗୁପ୍ତ ସ୍ଥାନରେ ଲୁଚିବାକୁ ପ୍ରୟାସ କରନ୍ତି ତେବେ ତାଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍ ଜାରି କରାଯାଏ। ଲୁକଆଉଟ୍ ନୋଟିସ୍‌ର ତାତ୍ପର୍ଯ୍ୟ ଉକ୍ତ ବ୍ୟକ୍ତିଙ୍କୁ ଦେଶ ବାହାରକୁ ଯିବାରେ ରୋକଯାଇଥାଏ। ଏହି ନୋଟିସ୍ ଆଧାରରେ ବ୍ୟକ୍ତିଙ୍କୁ ଜଳମାର୍ଗ ଏବଂ ବାୟୁ ମାର୍ଗରେ ଯାତ୍ରା ପାଇଁ କଟକଣା ଜାରି କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.