ରାଜଧାନୀ ଦିଲ୍ଲୀରେ ଜୈସ ଆତଙ୍କବାଦୀଙ୍କ ଉପସ୍ଥିତି ସନ୍ଦେହ, ବିଭିନ୍ନ ସ୍ଥାନରେ ପୋଲିସ ଚଢଉ,୨ ସନ୍ଦିଗ୍ଧ ଅଟକ

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ: ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ପାକିସ୍ତାନୀ ଆତଙ୍କବାଦ ସଙ୍ଗଠନ ଭାରତ ଉପରେ ବଡ ଧରଣର ଆକ୍ରମଣ ଯୋଜନାରେ ଅଛନ୍ତି। ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାର ସୁରକ୍ଷା କଡାକଡି କରାଯାଇଛି। ଗୁଇନ୍ଦା ସୂଚନାରେ ଦିଲ୍ଲୀ ପୋଲିସ ରାଜଧାନୀ ସମେତ ଏନସିଆରରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଲୋକଙ୍କୁ ସତର୍କ କରାଇ ଦେଇଛି। 

{"id":165846}

ଗୁଇନ୍ଦା ବିଭାଗଙ୍କ ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀକୁ ପାକିସ୍ତାନୀ ଆତଙ୍କବାଦ ସଙ୍ଗଠନ ଜୈସ-ଏ-ମହମ୍ମଦର ପ୍ରାୟ ୬ ଜଣ ଆତଙ୍କବାଦୀ ପଶି ଆସିଛନ୍ତି। ଏହି ସୂଚନା ଅନୁସାରେ ଦିଲ୍ଲୀ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ କରିଦେଇଛି। ଏହିକ୍ରମରେ  ବୁଧବାର ରାତି ତମାମ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। ଏଥିରେ ପୋଲିସ ପ୍ରାୟ ୯ଟି ସ୍ଥାନରେ ଚଢଉ କରିଥିବା ବେଳେ   ସ୍ପେସାଲ ସେଲ ୨ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି। ସେମାନଙ୍କୁ ଏବେ ପଚରା ଉଚରା କରାଯାଉଛି।

{"id":165847}

ପୋଲିସ ଚଢଉ ସମ୍ପର୍କରେ ଦିଲ୍ଲୀ ଡିସିପି ଏମ.ଏସ୍. ରନ୍ଧାବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରେ ସେ ଲୋକଙ୍କୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। ଗୁଇନ୍ଦା ଇନପୁଟ୍ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଚଳାଇଛି। ଏହା ପୂର୍ବରୁ ଆମେରିକା ମଧ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ର ସମ୍ପର୍କରେ ଆଗୁଆ ଭାରତକୁ ଜଣାଇଦେଇଛି। ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ବି ଟାର୍ଗେଟ୍ ରେ ରଖିଛନ୍ତି।

{"id":165848}

ତେବେ ଗତ ଦିନରେ ଗୋଇନ୍ଦା ବିଭାଗ ଜୈସ୍ ର ଜନୈକ ଅପରେଟିଭ ଓ ହ୍ୟାଣ୍ଡଲରଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପର ଇଣ୍ଟରସେପ୍ଟ କରାଯାଇଥିଲା। ଏଥିରେ ଜୈସ କେବଳ ରାଜଧାନୀ ଦିଲ୍ଲୀ ନୁହେଁ ମୁମ୍ବାଇ, ଜମ୍ମୁ, ଅମୃତସର, ଚଣ୍ଡିଗଡ, ପଠାନକୋଟ, ୟୁପିର କାନପୁର ଓ ଲକ୍ଷ୍ନୌ ଆଦି ୩୦ଟି ସହରରେ ଆତଙ୍କବାଦ ଆକ୍ରମଣ ଲାଗି ଯୋଜନା କରୁଥିବା ଜଣାପଡିଛି। ଏଣୁ ସତର୍କତା ମୂଳକ ଭାବେ ପୋଲିସ ଆଗୁଆ ପଦକ୍ଷେପ ନେଉଥିବା ଡିସିପି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.