ହୁକ୍କା ବାରରେ ଚଢ଼ଉ ପରେ ପୋଲିସର ଟ୍ୱିଟ୍-‘ୟେ ହମ୍ ହେଁ…ୟେ ହୁକ୍କା ହେ…’, ହେଉଛି ଭାଇରାଲ
8/03/2021 at 12:07 PM

ନୂଆଦିଲ୍ଲୀ ୦୮/୦୩ : ରାଜଧାନୀ ଦିଲ୍ଲୀରେ ଦିଲ୍ଲୀ ପୋଲିସର ଏକ ଟ୍ୱିଟ ବହୁତ ଭାଇରାଲ ହେଉଛି | ଦିଲ୍ଲୀ ପୋଲିସର ଏହି ଟ୍ୱିଟ ଚର୍ଚ୍ଚାର ବିଷୟ ହୋଇଛି। ଦିଲ୍ଲୀ ପୋଲିସ ଅବୈଧ ହୁକ୍କା ବାରକୁ ସିଜ କରିଥିଲା। ଚଢ଼ଉ ବେଳେ ପୋଲିସ ବହୁ ମାତ୍ରାରେ ହୁକ୍କା ଓ ନିଶାଦ୍ରବ୍ୟ ଜବତ କରିଥିଲା। ଏହାପରେ ପୋଲିସ ବାରକୁ ସିଜ କରିଥିଲା। ପୋଲିସ ହୁକ୍କା ବାରର କିଛି ଫଟୋ ପୋଷ୍ଟ କରି ଟ୍ୱିଟ କରିଥିଲା ଯେ, ‘ୟେ ହମ ହେଁ…ୟେ ହୁକ୍କା ହେ…ଔର ଅବ ପାୱାରୀ ନାହିଁ ହୋ ରହି ହେ।’ ଦିଲ୍ଲୀ ପୋଲିସର ଏହି ଟ୍ୱିଟ ଦେଖୁ ଦେଖୁ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଗଲା।

ସ୍ଥାନୀୟ ଥାନା ପୋଲିସ ଅନୁଯାୟୀ, ନାଇଟ ପାଟ୍ରୋଲିଂ ସମୟରେ ୨ଟି ରେସ୍ତୋରାଁକୁ ପୋଲିସ ଭିଜିଟ କରିଥିଲା। ପୋଲିସ ଦେଖିଥିଲେ ସେଠାରେ କୋଭିଡ ନିୟମ ପାଳନ କରାଯାଉନାହିଁ। ଏହାସହ ରେସ୍ତୋରାଁରେ ଲୋକେ ହୁକ୍କା ଧୂଆଁ ମଧ୍ୟ ଉଡ଼ାଇଥିଲେ। ପୋଲିସ ଦୁଇଟି ରେସ୍ତୋରାଁର ମ୍ୟାନେଜରକୁ ପଚରାଉଚୁରା କରିବାକୁ ଚେଷ୍ଟା କରିବାରୁ ପୋଲିସକୁ ରେସ୍ତୋରାଁ ଭିତରକୁ ପଶିବାକୁ ରୋକାଯାଇଥିଲା। ଫଳରେ ପୋଲିସ ଜୋର ଜବରଦସ୍ତ ଭିତରେ ପଶିଥିଲା।
ପୋଲିସ କହିଛି, ରେସ୍ତୋରାଁ ଭିତରେ ଚାଲିଥିବା ଅବୈଧ ହୁକ୍କା ବାର ଉପରେ ପରଦା ପକାଇବାକୁ ମ୍ୟାନେଜର ସେମାନଙ୍କୁ ଭିତରକୁ ଯିବାକୁ ରୋକିଥିଲା। ଫଳରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ରେସ୍ତୋରାଁରେ ଚଢ଼ଉ କରିଥିଲା। ଭିତରୁ ବହୁ ମାତ୍ରାରେ ହୁକ୍କା ଜବତ କରିଥିଲା। ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ହୁକ୍କା ଉପରେ ପ୍ରତିବନ୍ଧକ ରହିଛି। ସେଥିପାଇଁ ପୋଲିସ ଜବତ କରିଥିବା ହୁକ୍କାର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଟ୍ୱିଟ କରିଥିଲା। ଦିଲ୍ଲୀ ପୋଲିସର ଏହି ଟ୍ୱିଟ ଖୁବ ଭାଇରାଲ ହେଉଛି। ଲୋକଙ୍କୁ ବି ଏହି ଟ୍ୱିଟ ବହୁତ ପସନ୍ଦ ଆସିଛି।