୧୦ ମହଲାରୁ ଡେଇଁ ଏସିପି ରାଙ୍କର ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 29, 2018 IST

ନୂଆଦିଲ୍ଲୀ ୨୯/୧୧ : ଦିଲ୍ଲୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟର ୧୦ ମହଲା ଉପରୁ ତଳକୁ ଡେଇଁ ଏସିପି ରାଙ୍କର ଜଣେ ପୋଲିସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି | ଆତ୍ମହତ୍ୟା କରିଥିବା ଏହି ଅଧିକାରୀଙ୍କ ନାଁ ପ୍ରେମ ବଲ୍ଲଭ (୫୫) ବୋଲି ଜଣାପଡିଛି | ଆଜି ସକାଳ ୧୦ଟା ବେଳେ ଏହି ଘଟଣା ଘଟିଛି | ପ୍ରେମ ବଲ୍ଲଭ ଅପରାଧ ଏବଂ ଯାତାୟାତ ବିଭାଗର ଏସିପି ଦାୟିତ୍ୱରେ ଥିଲେ | ଆତ୍ମହତ୍ୟା ସମ୍ପର୍କରେ ପ୍ରେମ ବଲ୍ଲଭ କୌଣସି ସୂଈସାଇଡ ନୋଟ ଛାଡି ନଥିବାରୁ ଏଭଳି ଆତ୍ମହତ୍ୟା ପଛର କାରଣ ଜଣାପଡିନାହିଁ | ତେବେ ପ୍ରେମ ବଲ୍ଲଭଙ୍କ ସହକର୍ମୀଙ୍କ କହିବା ଅନୁସାରେ ପ୍ରେମ ବଲ୍ଲଭ ଗତ କିଛିଦିନ ହେଲା ଉଦାସ ରହୁଥିଲେ | ସେ ଦୀର୍ଘ ମାସେ ହେଲା ଡିପ୍ରେସନ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ | ପୋଲିସ ମୁଖ୍ୟାଳୟର ୧୦ମ ମହଲାରେ ପ୍ରେମ ବଲ୍ଲଭଙ୍କ କାର୍ଯ୍ୟାଳୟ | ଆଜି ସକାଳୁ ଅଫିସ ଆସିବାପରେ ସେ ନିଜ ଚୌକିରେ ବସି କାମ କରୁଥିଲେ | ଅଚାନକ ଚୌକିରୁ ଉଠି ଝରକା ପାଖକୁ ଯାଇଥିଲେ ଓ ତଳକୁ ଡେଇଁ ପଡ଼ିଥିଲେ | ସହକର୍ମୀମାନେ କିଛି ବୁଝିବା ଆଗରୁ ପୋଲିସ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଚଟାଣରେ ପିଟି ହୋଇ ପ୍ରେମ ବଲ୍ଲଭଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା | କର୍ମଚାରୀମାନଙ୍କ ଅଫିସ ଆସିବା ସମୟ ହୋଇଥିବାରୁ ପୋଲିସ ମୁଖ୍ୟାଳୟର ମୁଖ୍ୟ ଫାଟକରେ ବେଶ ଭିଡ ଥିଲା | ସମସ୍ତେ ପ୍ରେମ ବଲ୍ଲଭଙ୍କ ଶବ ଦେଖି ଅବାକ ହୋଇଯାଇଥିଲେ | ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ସୂଚନାଯୋଗ୍ୟ ଯେ, ପ୍ରେମ ବଲ୍ଲଭ ହେଡ଼ କନେଷ୍ଟବଳ ରାଙ୍କର ନିଜ ପୋଲିସ କ୍ୟାରିୟର ଆରମ୍ଭ କରିଥିଲେ | ୨୦୧୬ ମସିହାରେ ଏସିପି ରାଙ୍କକୁ ସେ ପଦୋନ୍ନତି ପାଇଥିଲେ | ଆତ୍ମହତ୍ୟା ପଛରେ ପାରିବାରିକ ଆସନ୍ତି ବା କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଥିଲା ତାହା ଜଣାପଡିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.