କାଠଗଡ଼ାରେ ଦିଲ୍ଲୀ ପୋଲିସ- ହିଂସାକାଣ୍ଡରେ ଉତ୍ତର-ପୂର୍ବ ଦିଲ୍ଲୀ ଜଳୁଥିବା ବେଳେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ

Published By : Prameya-News7 Bureau | February 29, 2020 IST

ନୂଆଦିଲ୍ଲୀ ୨୯।୦୨- କାଠଗଡ଼ାରେ  ଦିଲ୍ଲୀ ପୋଲିସ। ହିଂସାକାଣ୍ଡରେ ଉତ୍ତର-ପୂର୍ବ ଦିଲ୍ଲୀ ଜଳୁଥିବା ବେଳେ ନିରବଦ୍ରଷ୍ଟା ସାଜିଥିଲା ପୋଲିସ। ଖୋଦ୍ ପୋଲିସ କମିଶନର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିଲେ। ହିଂସାକାଣ୍ଡ ପାଇଁ ବଦନାମ ହୋଇଥିବା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଆଜି ଅବସର ନେଇଥିବା ବେଳେ ଏସ.ଏନ. ଶ୍ରୀବାସ୍ତବଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେପଟେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଦିଲ୍ଲୀ ପୋଲିସର ଅସହାୟତା । …

ଦିଲ୍ଲୀ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତ ସମୟରେ ଉତ୍ତରପୂର୍ବ ଦିଲ୍ଲୀରେ ଯେତେବେଳେ ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା, ସେତେବେଳେ ନିରବଦ୍ରଷ୍ଟା ହୋଇଥିଲା ପୋଲିସ। ଧୀରେଧୀରେ ଦିଲ୍ଲୀ ପୋଲିସର ବିକଳ ଚିତ୍ର ପଦାକୁ ଆସୁଛି। ଏମିତି ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଦଙ୍ଗାକାରୀଙ୍କୁ ଅଟକାଇବା ପରିବର୍ତ୍ତେ ପୋଲିସ ନିଜେ ଜୀବନ ବଞ୍ଚାଇ ପଳାଇ ଯିବାର ଦୃଶ୍ୟ କଏଦ ହୋଇଛି। କେବଳ ଏତିକି ନୁହେଁ  ଦଙ୍ଗାକାରୀ ବିଭିନ୍ନ ଅଞ୍ଚଳରେ ନିଆଁ ଲଗାଉଥିବା ବେଳେ ପୋଲିସ ଅସହାୟ ହୋଇ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ପୋଲିସର ଏଭଳି ବିକଳ ଚିତ୍ରକୁ ସବୁ ମହଲରେ ନିନ୍ଦା କରାଯାଉଛି । ତେବେ ଗୋକୁଲପୁରୀ ଅଞ୍ଚଳରେ ହିଂସାକାଣ୍ଡ ବେଳେ ଡ୍ୟୁଟିରେ ଥିବା ଏସିପି ଅନୁଜ କୁମାର କହିଛନ୍ତି ଯେ, ସେ ସମୟରେ ଉତ୍ତେଜିତ ଲୋକଙ୍କ ସଂଖ୍ୟା ୨୦ରୁ ୨୫ ହଜାର ଥିବା ବେଳେ ପୋଲିସ ସଂଖ୍ୟା ଥିଲା ମାତ୍ର ୨୦୦।…

ଗତ ସୋମବାର ହିଂସାକାଣ୍ଡରେ ଜଣେ ହେଡ୍ କନଷ୍ଟେବଲଙ୍କ ସହ ୪୨ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦୦ ଆହତ ହୋଇଥିଲେ । ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୩୫ ଜଣଙ୍କ ପରିଚୟ ମିଳିଛି । ଏମାନଙ୍କ  ଭିତରୁ ୨୨ ଜଣଙ୍କର ମୃତ୍ୟୁ ଟେକାପଥର ମାଡ ଯୋଗୁ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ଗୁଳିମାଡ଼ରେ ହୋଇଛି। ହିଂସା ମାମଲାରେ ଏପର୍ଯ୍ୟନ୍ତ ୧୨୩ଟି ଏତଲା ଦିଆଯାଇଥିବା ବେଳେ ୧୦୦  ଜଣଙ୍କୁ ପୋଲିସ ଗିରଫ କରିଛି, ୫୩୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।…

ହିଂସାକାଣ୍ଡକୁ ନେଇ ବଦନାମ ହୋଇଥିବା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଆଜି ଅବସର ନେଇଛନ୍ତି। ଯେଉଁ ସମୟରେ ଦିଲ୍ଲୀ ଜଳୁଥିଲା, ଗାଡ଼ିମୋଟର, ଦୋକାନ, ଘର ପୋଡ଼ାଜଳା, ଭଙ୍ଗାରୁଜା ହେଉଥିଲା, ସେତେବେଳେ ପୋଲିସ କମିଶନର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ। ଅମୂଲ୍ୟ ପଟ୍ଟନାୟକ ଗତ ଜାନୁଆରି ୩୧ରେ ଅବସର ନେବାର ଥିଲା। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କର କାର୍ଯ୍ୟକାଳ ମାସକ ପାଇଁ ବୃଦ୍ଧି କରାଯାଇଥିଲା । ଏସ.ଏନ. ଶ୍ରୀବାସ୍ତବ ଆସନ୍ତାକାଲି ଦିଲ୍ଲୀ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବେ। …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.